Masthead

ବିଧାନସଭାରେ କିଏ ଉଠାଇବ ଜୀବିକା ପ୍ରସଙ୍ଗ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଏବେ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି । ଆଜି ସୁଦ୍ଧା ରାଜ୍ୟର ୨ ଲକ୍ଷ ୨୯ ହଜାର ୩୮୭ ରୋଗୀ ଚିହ୍ନଟ ହୋଇସାରିଲେଣି । ମୃତ୍ୟୁ ସଂଖ୍ୟା ବି ରାଜ୍ୟରେ କିଛି କମ୍ ନାହିଁ । ରାଜ୍ୟରେ ଆଜିପର୍ଯ୍ୟନ୍ତ ୯୦୯ ରୋଗୀଙ୍କ ମୃତ୍ୟୁ ହେଲାଣି । କରୋନା ଯୋଗୁ ସମଗ୍ର ରାଜ୍ୟ ପ୍ରଭାବିତ ହୋଇଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଲୋକଙ୍କ ଜୀବିକା । ଲକଡାଉନ, ସଟଡାଉନରେ ବେପାର ବଣିଜ ବନ୍ଦ । ଘରୋଇ ଅନୁଷ୍ଠାନରେ ଚାକିରି କରିଥିବା ହଜାର ହଜାର କର୍ମଚାରୀ ବି ଛଟେଇ ହୋଇଛନ୍ତି । ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ଏବେ ବେରୋଜଗାର ହୋଇଛନ୍ତି ।

ଏପର୍ଯ୍ୟନ୍ତ ବ୍ୟବସାୟ ଓ ଶିଳ୍ପାନୁଷ୍ଠାନ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ । ନୂଆ ଶିଳ୍ପକୁ ବି ସହାୟତା ନାହିଁ । ତେଣୁ ଶ୍ରମିକଙ୍କ ହାତରେ କାମ ନାହିଁ । ଫଳରେ ସେମାନେ ବି ହାତବାନ୍ଧି ବସିଛନ୍ତି । ଦେଶରେ ପ୍ରାୟ ୩ମାସ ଲକଡାଉନ ବଳବତ୍ତର ରହିବା କାରଣରୁ ଅନେକ ଶିଳ୍ପସଂସ୍ଥା ଏବେ ରୁଗଣ ହୋଇପଡ଼ିଛନ୍ତି । ଉଭୟ ଉଦ୍ୟୋଗୀ ଓ କର୍ମଜୀବୀମାନେ ଜୀବିକା ଅର୍ଜନର ସାଧନ ପାଉନାହାନ୍ତି । ଇତିମଧ୍ୟରେ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ । ମାତ୍ର ୮ ଦିନ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ପ୍ରାୟ ୭ ମାସ ପରେ ବସିଛି ଅଧିବେଶନ ।

ଆଉ ଏଇଥିପାଇଁ ଏହି ଅଧିବେଶନରେ ରାଜ୍ୟବାସୀଙ୍କ ଜୀବିକା ପ୍ରସଙ୍ଗ ସମେତ ଅନେକଗୁଡ଼ିଏ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଆଶା କରାଯାଉଥିଲା । ଅଧିବେଶନ ପୂର୍ବରୁ ବିରୋଧୀ ମଧ୍ୟ ପ୍ରସଙ୍ଗଗୁଡ଼ିକୁ ଉଠାଇବା ପାଇଁ ବେଶ୍ ସଜବାଜ ହୋଇଥିଲେ । ବିଦ୍ୟୁତ୍ ଦର ବୃଦ୍ଧି ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉଛନ୍ତି ମଧ୍ୟ । ହେଲେ ଉଠିଲାନି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାର ପ୍ରସଙ୍ଗ । ୮ ଦିନିଆ ଅଧିବେଶନର ଅଧା ଅର୍ଥାତ୍ ୪ଦିନ ଗଲାଣି । ଗୃହ ଆଉ ମାତ୍ର ୪ଦିନ ଚାଲିବ । ଏପରିକି ନିର୍ଦ୍ଧାରିତ ଦିନ ପୂର୍ବରୁ ମଧ୍ୟ ବିଧାନସଭା ଶେଷ ହୋଇଯିବା ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରାଯାଇ ପାରିବ ନାହିଁ ।

କାରଣ ଆଗରୁ ବି ଏମିତି ଅନେକ ଥର ହୋଇଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାର ବ୍ୟାକଫୁଟରେ ରହିଥିଲେ ଏବଂ ବିରୋଧୀ ସରକାରଙ୍କୁ ଗୃହରେ ଘେରି ରହିଥିଲେ ବାଚସ୍ପତି ନିର୍ଦ୍ଧାରିତ ଦିନ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରିଦେଇଥିବା ଅନେକ ନଜିର ରହିଛି । ତେବେ ଏଠି ଆମେ ବାଚସ୍ପତିଙ୍କୁ ଦୋଷ ଦେଇପାରିବୁ ନାହିଁ କାରଣ ସମ୍ବିଧାନ ତାଙ୍କୁ ଏହି ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛି । ତେବେ ଏ ସବୁ ପ୍ରସଙ୍ଗ ଆଲୋଚନା ନ କରି ଆମେ ଫେରିବା ଆଲୋଚନାର ପ୍ରସଙ୍ଗକୁ ।

ବିଧାନସଭାର ଏହି ଅଧିବେଶନ ପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଯେଉଁ ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ନେଇ ସରକାରଙ୍କୁ ଘେରିବେ ବୋଲି ସଜବାଜ ହୋଇଥିଲେ ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି କୋଭିଡ୍ ପରିଚାଳନାରେ ତ୍ରୁଟି, ମାସ୍କ ଦୁର୍ନୀତି, ବିଦ୍ୟୁତ୍ ଦର ବୃଦ୍ଧି, ରାଜ୍ୟରେ ବେରୋଜଗାରୀ ସମସ୍ୟା ଇତ୍ୟାଦି । ଗୃହରେ ପ୍ରଥମ ତିନୋଟି ପ୍ରସଙ୍ଗ ଉଠିଥିବାବେଳେ ବେରୋଜଗାରୀ ପ୍ରସଙ୍ଗ ଯେମିତି ସମସ୍ତେ ଭୁଲିଯାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଥରାସ ପୀଡ଼ିତାଙ୍କ ପରିବାରକୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଯିବାବେଳେ ୟୁପି ପୋଲିସ ସେମାନଙ୍କୁ ଅଟକାଇବା ଘଟଣାକୁ ନେଇ ଗୃହରେ ଆଜି କଂଗ୍ରେସ ହୋହାଲ୍ଲା କରିଥିଲା । କିନ୍ତୁ ରାଜ୍ୟର ଏକ ପ୍ରମୁଖ ତଥା ସମ୍ବେଦନଶୀଳ ପ୍ରସଙ୍ଗ କଥା କେହି ନ ଉଠାଇବା ଚିନ୍ତାର କାରଣ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ