ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ଅପରେସନ ସିନ୍ଦୂର ପରେ ପାକିସ୍ତାନ ଘାଇଲା । ଭାରତର ଆକ୍ରମଣରେ ପାକିସ୍ତାନର ଭୀଷଣ କ୍ଷୟକ୍ଷତି । ପାକିସ୍ତାନର ସବୁ ଆକ୍ରମଣକୁ ପଣ୍ଡ କରିଥିଲା ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ । ଯୁଦ୍ଧ ବିରାମ ପରେ ଏବେ ନିଜର ସ୍ଥିତି ସୁଧାରୁଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନ ଏବେ ଆମେରିକାର ଶରଣ ପଶିଛି । ୱାସିଂଟନରେ ପାକିସ୍ତାନର ୧୩ ଜଣିଆ ପ୍ରତିନିଧି ଦଳ ଆମେରିକାଠୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ ଅନୁରୋଧ କରିଛି । ପାକିସ୍ତାନ ଉପରେ ଆକ୍ରମଣ ସମୟରେ ଚୀନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଭାରତର କ୍ଷେପଣାସ୍ତ୍ରକୁ ଅଟକାଇବାରେ ବିଫଳ ହୋଇଥିଲା । ଅପରେସନ ସିନ୍ଦୂରରେ ଭାରତ ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ।
ଏହା ପରେ ପାକିସ୍ତାନର ଆକ୍ରମଣର ଜବାବ ଦେଇ ତାହାର ୧୧ଟି ସାମରିକ ଘାଟିକୁ କ୍ଷତି ପହଞ୍ଚାଇଥିଲା । ଭାରତର ଏୟାର ଡିଫେନ୍ସ ଏବଂ ସାମରିକ ଶକ୍ତି ଆଗରେ ପାକିସ୍ତାନ ସମ୍ପୂର୍ଣ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା । ପାକିସ୍ତାନର ମନ୍ତ୍ରୀ ମୁସାଦିକ ମଲିକ କହିଛନ୍ତି, “ଆମ ପାଖରେ ଥିବା ବ୍ୟବସ୍ଥା ବିଫଳ ହୋଇଥିବାରୁ ଏବେ ଆମେରିକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ହିଁ ଆମ ପାଇଁ ଲାଭକାରୀ ହେବ ।” ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ମଲିକ କହିଛନ୍ତି ଭାରତ ଏସ-୪୦୦ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା ଏବଂ ୮୦ଟି ଯୁଦ୍ଧ ବିମାନରୁ ୪ ଶହ କ୍ଷେପଣାସ୍ତ୍ର ମାଡ କରିଥିଲା ।
ଭାରତ ଯେଉଁ ଜ୍ଞାନକୌଶଳ ବ୍ୟବହାର କରିଥିଲା ତାହା ଅତ୍ୟନ୍ତ ଉନ୍ନତ । ସେଥିପାଇଁ ଆମେ ଏବେ ଆମେରିକାଠାରୁ ଉନ୍ନତ ଯୁଦ୍ଧାସ୍ତ୍ର କିଣିବାକୁ ଚାହୁଁଛୁ ବୋଲି ମଲିକ କହିଛନ୍ତି । ମଲିକ ହେଲେ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ର ସଦସ୍ୟ । ସୂଚନାଯୋଗ୍ୟ, ସୀମାରେ ଉତ୍ତଜନା ସମୟରେ ପାକୀସ୍ତାନ ସମସ୍ତ କ୍ଷେପଣାସ୍ତ୍ର ଓ ଡୋ୍ରନ ଆକ୍ରମଣକୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନାଶ କରିଦେଇଥିଲେ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ସ୍ୱୀକାର କରିଛନ୍ତି ଯେ ଭାରତର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପାକିସ୍ତାନର ସମସ୍ତ ଆକ୍ରମଣକୁ ମାରି ଖସାଇଥିଲା ।