ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ସାମିଲ ହେବେ । ପିଏମ୍ଙ୍କ ଗସ୍ତ ନେଇ ରାଜଧାନୀରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ଜନତା ମଇଦାନରେ ଆୟୋଜିତ ମେଗା ସୋ’ରେ ଓଡ଼ିଶାକୁ ମୋଦି ଭେଟିଦେବେ ୧୯ ହଜାର କୋଟିର ପ୍ରକଳ୍ପ । ଉପସ୍ଥିତ ଜନତାଙ୍କୁ କରିବେ ସମ୍ବୋଧନ । ଏ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ । ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ କରିବେ ବିଶାଳ ରୋଡ୍ ସୋ । ପ୍ରଧାନମନ୍ତ୍ରୀଙ୍କ ଏ ଗସ୍ତ ପାଇଁ ରାଜଧାନୀ କଡ଼ା ସୁରକ୍ଷା ବଳୟରେ ରହିଛି । ପ୍ରଧାନମନ୍ତ୍ରୀ ଜନତା ମଇଦାନର ଭବ୍ୟ ସମାରୋହରେ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ୬୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ହେବ ଲୋକାର୍ପଣ ।
ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ହେଉଛି ୧୮ ହଜାର ୭୦୦ କୋଟି । କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଓ ଭାରତ ଗଠନ ପାଇଁ ପ୍ରସ୍ତୁତ ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ କରିବେ । ଏହାସହ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ସହ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିବେ । ୧୦୦ ଇ-ବସ୍ର ଶୁଭାରମ୍ଭ, ବୌଦ୍ଧକୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ‘ବରପୁତ୍ର ସମ୍ମାନ’ ଯୋଜନାର ଶୁଭାରମ୍ଭ, ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପୁସ୍ତିକା ମଧ୍ୟ ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହେବ । କାର୍ୟ୍ୟସୂଚୀ ଅନୁସାରେ, କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ସାମିଲ ହୋବକୁ ମୋଦି ଅପରାହ୍ନ ୩.୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯିବ । ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାରୁ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ଯାଏ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ । ସେଠାରୁ ଆରମ୍ଭ ହେବ ରୋଡ୍ ସୋ ।
୩.୪୫ରୁ ୪.୧୫ ଯାଏଁ ରୋଡ ସୋରେ ପ୍ରଧାନମନ୍ତ୍ରୀ ଜନତା ମଇଦାନ ସଭାସ୍ଥଳୀକୁ ଯିବେ । ସେଠାରେ ସାଢ଼େ ୫ ଯାଏଁ କାର୍ୟ୍ୟକ୍ରମରେ ସାମିଲ ହେବେ । ବିମାନବନ୍ଦରରୁ ଜନତା ମଇଦାନ ଭିତରେ ୨୮ଟି ଜାଗାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ୫ଟା ୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ବିଶାଖାପାଟନମ୍ ଅଭିମୁଖେ ଯିବେ ମୋଦି । ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟର ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ମଧ୍ୟ ଯୋଗ ଦେବେ ।