ଉଦଳା (ବଡ଼ ଖବର ବ୍ୟୁରୋ): ମାତ୍ର ଅଧ ଘଣ୍ଟା ଭିତରେ ଘରେ ପଶିଲେ, ଲୁଟିଲେ ଆଉ ଟିଭି ଭାଙ୍ଗି ଚାଲିଗଲେ। ଏପରିକି ଠାକୁରଙ୍କ ସାମଗ୍ରୀକୁ ବି ଛାଡିଲେ ନାହିଁ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡାମପଦା ଗ୍ରାମରେ। ଗ୍ରାମର ଜୟନ୍ତ ରାଉତଙ୍କ ସ୍ତ୍ରୀ ଏବଂ ପରିବାର ସଦସ୍ୟ ଗ୍ରାମରେ ଚାଲିଥିବା ଲକ୍ଷ୍ମୀ ପୂଜା ମେଲୋଡି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗତକାଲି ରାତିରେ ଯାଇଥିଲେ । ହେଲେ ଅଧ ଘଣ୍ଟା ପରେ ଘରକୁ ଫେରିବା ପରେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ ।
ଲୁଟେରାମାନେ ଘରର ମୁଖ୍ୟ ଗେଟ ତାଲା ଭାଙ୍ଗି ଘର ଭିତରକୁ ପଶି ଗଡ଼ରେଜରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏହା ସହିତ ଘରେ ଲାଗିଥିବା ଏଲଇଡି ଟିଭିକୁ ଭାଙ୍ଗିଥିଲେ, ତା ସହିତ ଠାକୁର ଘରେ ଥିବା ପୂଜା ସାମଗ୍ରୀ ମଧ୍ୟ ଖୋଜାଖୋଜି କରି ଏଣେତେଣେ ଫୋପାଡ଼ିଛନ୍ତି ଲୁଟେରା। ପରିବାର ଲୋକେ ଏହା ଦେଖି ପୋଲିସକୁ ଖବର ଦେବା ପରେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।