Before Header

ପ୍ରଣାମ ଗୋପବନ୍ଧୁ

0 16

(ବଡ଼ ଖବର ବ୍ୟୁରୋ)   

 “ମିଶୁ ମୋର ଦେହ ଏ’ ଦେଶ ମାଟିରେ
ଦେଶବସୀ ଚାଲି ଯାଆନ୍ତୁ ପିଠିରେ,
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ
ପୁରୁ ତହିଁ ପଡି ମୋର ମାଂସ ହାଡ଼”

– ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ

ଓଡ଼ିଶାର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ , କବି, ଲେଖକ ଓ ଦୈନିକ ଓଡିଆ ଖବର କାଗଜ ସମାଜ ଓ ସତ୍ୟବଦୀ ପତ୍ରିକାର ପ୍ରତିଷ୍ଠାତା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମଦିନ ଆଜି ।୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରୀ ଦାସ  ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମାତଙ୍କ ମୃତ୍ୟୁ ପରେ , ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା, ଯାହାଙ୍କ ଠାରୁ ସେ ଦେଶ ସେବାର ଶିକ୍ଷା ପାଇଥିଲେ । ଗୋପବନ୍ଧୁ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବିଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ତାଙ୍କର ପାଠ ପଢା ଜାରି ରଖିଥିଲେ । ପୁରୀରେ ମାଟ୍ରିକ ପାସ କରି କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

କଟକରେ ପଢିବା ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଗୋପବନ୍ଧୁ “କର୍ତ୍ତବ୍ୟ ବୋଧିନୀ ସମିତି” ଗଠନ କରି ଓଡିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କରିଥିଲେ । ଏଥିରେ ତାଙ୍କ ଆହ୍ୱାନ ଥିଲା, ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ । ରମ୍ଭାଠାରେ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ ମସିହାରେ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରେ ବିଭିନ୍ନ ବାଧାବିଘ୍ନ ସତ୍ବେ ସେ ୧୯୦୪ ସମିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ଏହା ପରେ ସେ କଲିକତାରେ ବିଏଲ ପଢିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ ସେ ଓଡ଼ିଆ ଶ୍ରମିକ ସଂଘ ଓ ସାନ୍ଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଯେଉଁଦିନ ସେ ବିଏଲ ପାସ କରିଥିଲେ ସେଦିନ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଖବର ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ ପରେ ବି ସେ କେବେ ହାରିଯାଇ ନଥିଲେ । ସ୍ୱତନ୍ତ୍ର ଓଡ଼ିଶା ଗଠନରେ ତାଙ୍କର ଅବାଦାନ ଅତୁଳନୀୟ ରହିଥିଲା । ଆଧୁନିକ ଯୁଗର ପଞ୍ଚଶଖାମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ ।

ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା । ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତାକୁ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ‘ସାପ୍ତାହିକ ସମାଜ’ ପ୍ରକାଶ କରିଥିଲେ ।

ପରେ ୧୯୩୦ରେ ସପ୍ତାହିକ ସମାଜ ଦୈନିକ ସମାଜରେ ପରିଣତ ହେଲା । ୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ ଲାହୋର ଯିବା ବାଟରେ ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ମୃତ୍ୟୁ ପୂର୍ବରୁ ସେ ନିଜ ଇଚ୍ଛାପତ୍ରରେ, ସମାଜ ଓ ସତ୍ୟବଦୀ ପ୍ରେସରେ ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଇଚ୍ଛାପତ୍ର ସମ୍ପାଦନର ଦୁଇ ଘଣ୍ଟାପରେ ୧୯୨୮ ମସିହା ଜୁନ ୧୭ ତାରିଖରେ ସନ୍ଧ୍ୟା ୭ଟା ୨୫ ମିନିଟରେ ଗୋପବନ୍ଧୁ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

Leave A Reply

Your email address will not be published.