ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ:) ଜନ୍ମମାଟିକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୫ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଗାଁ ମୟୂରଭଞ୍ଜର ଉପରବେଡା ଗସ୍ତରେ ଯିବେ। ସକାଳ ୮ଟା ୫୫ରେ ରାଜଭବନରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମହାପରିନିର୍ବାଣ ଦିବସ ଅବସରରେ ପୁଷ୍ପମାଲ୍ୟାର୍ପଣ କରିଛନ୍ତି । ଏହାପରେ ପୂର୍ବାହ୍ନ ୯.୧୫ମିନିଟ ସମୟରେ ବିଜୁପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନାର ବିମାନ ଯୋଗେ ପଶ୍ଚିମବଙ୍ଗସ୍ଥିତ କଲେଇକୁଣ୍ଡା ଏୟାରବେସରେ ୧୦.୧୫ମିନିଟ ସମୟରେ ଅବତରଣ କରିବେ ।
ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୁର୍ବାହ୍ନ ୧୧ଟା ୦୫ମିନିଟରେ ଅବତରଣ କରିବ ରାଷ୍ଟ୍ରପତିଙ୍କ ହେଲିକପ୍ଟର । ସେଠାରୁ ସଡକପଥରେ ନିଜ ଜନ୍ମଗାଁ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ ରାଷ୍ଟ୍ରପତି । ମଧ୍ୟାହ୍ନ ୧୨.୦୫ରେ ସେଠାରୁ ବାହାରି ଉପରବେଡାସ୍ଥିତ ପୈତୃକ ଘରେ ପହଞ୍ଚି ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ମଧ୍ୟାହ୍ନ ୧୨.୩୦ମିନିଟରେ ଉପରବେଡାରୁ ବାହାରି ସଡକପଥରେ ରାଇରଙ୍ଗପୁରସ୍ଥିତ ଗେଷ୍ଟ ହାଉସ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ ।
ଅପରାହ୍ନ ୩ଟା ସମୟରେ ରାଇରଙ୍ଗପୁରସ୍ଥିତ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ୱାମୀ ଓ ୨ପୁତ୍ରଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସ.ଏଲ୍.ଏସ୍. ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଦ୍ରୌପଦୀ ମୁର୍ମୁ । ଏହାପରେ ଅପରାହ୍ନ ୪ଟା ସମୟରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଠାରେ ପହଞ୍ଚି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ । ସେଠାରୁ ବାହାରି ଅପରାହ୍ନ ୪ଟା ୫୦ମିନିଟ ସମୟରେ ରାଇରଙ୍ଗପୁରସ୍ଥିତ ପୁଣ୍ୟେଶ୍ୱର ଶିବମନ୍ଦିର ଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତିକୁ ଉନ୍ମୋଚନ କରିବେ ଏବଂ ଆଳତୀ କରିବେ ପରେ ନିଜ ବାସଭବନକୁ ଆସି ରାତ୍ରୀଯାପନ କରିବେ ।