Before Header

ମନ୍ଦିରରେ ଦେଖିବାକୁ ମିଳିବ ଶ୍ରୀରାମଙ୍କ ୧୬ ଗୁଣର ଝଲକ

0 395

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରୀରାମଙ୍କ ଜୟଜୟକାର । ମନ୍ଦିରରେ ୧୬ ଗୁଣର ସମାହାର । ଆସୁଛନ୍ତି ରାମଲଲା । ଅଯୋଧ୍ୟାରେ ଲାଗିଛି ମେଳା । ନିକଟତର ହେଉଛି ସେହି ପ୍ରତିକ୍ଷୀତ ସମୟ । ପ୍ରତିଷ୍ଠା ହେବ ରାମଲାଲାଙ୍କ ଭବ୍ୟ ମନ୍ଦିର । ଅନେକ ବର୍ଷର ଅପେକ୍ଷା ପରେ ବିରାଜମାନ କରିବେ ଶ୍ରୀରାମ । ଜାନୁଆରୀ ୨୨ରେ ପ୍ରାଣପ୍ରତିଷ୍ଠା । ଉତ୍ସବମୁଖର ସରଜୁ ନଦୀକୂଳ, ପ୍ରସ୍ତୁତିରେ ଲାଗିପଡିଛି ଅଯୋଧ୍ୟା ନଗରୀ । ଭବ୍ୟ ମନ୍ଦିରକୁ ନେଇ ଦେଶବାସୀଙ୍କ ଉତ୍ସାହ ବଢିବାରେ ଲାଗିଛି । ସବୁଠୁ ବଡ କଥା ହେଉଛି ମନ୍ଦିର ନିର୍ମାଣରେ ଏମିତି ବିଶେଷତ୍ୱ ରହିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଆଖି ଝଲସିଲା ଭଳି କାରୁକାର୍ଯ୍ୟ ସଂପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହ ମଧ୍ୟ ବଢୁଛି । ଆମେ ଆପଣଙ୍କୁ ଏହି ରିପୋର୍ଟରେ ଶ୍ରୀରାମ ମନ୍ଦିରର କିଛି ଉଲ୍ଲେଖନୀୟ ତଥ୍ୟ ସଂପର୍କରେ ଅବଗତ କରାଇବୁ । ଏହି ମନ୍ଦିର ଏମିତି ନିର୍ମାଣ ହୋଇଛି, ଯେଉଁଠି ଆପଣ ଶ୍ରୀରାମଙ୍କ ୧୬ ଗୁଣର ଝଲକ ଦେଖିବେ । ଯାହା ଦେଖି ବିମୋହିତ ହେବେ ରାମଭକ୍ତ ।

ଗର୍ଭଗୃହରେ ପ୍ରତିଷ୍ଠା ହେବେ ୩ ପ୍ରତିମା । ସମସ୍ତ ପ୍ରତିମାଙ୍କ ଉଚ୍ଚତା ରହିବ ସାଢେ ୫ ଫୁଟ୍ । ଗୋଟିଏ ମୂର୍ତ୍ତି ଶ୍ୟାମଳ ରଙ୍ଗର ହୋଇଥିବାବେଲେ ଦ୍ୱିତୀୟ ମୂର୍ତ୍ତିଟି କଳା ଶାଳଗ୍ରାମ ପଥର ଏବଂ ତୃତୀୟଟି ଧଳା ପଥରରେ ନିର୍ମାଣ କରାଯାଇଛି । ଏହି ୩ଟି ମୂର୍ତ୍ତିରୁ ଗୋଟିଏ ମୂର୍ତ୍ତିରେ ହିଁ ପ୍ରାଣ ପ୍ରତିଷ୍ଠା କରାଯିବ । ଗର୍ଭଗୃହ ସାମ୍ନାରେ ଗଣପତି ଓ ହନୁମାନଜୀଙ୍କ ମନ୍ଦିର ହେବ । ଏହା ସହ ବିଷ୍ଣୁଙ୍କ ଅବତାର ଶ୍ରୀରାମଙ୍କ ସମ୍ମୁଖରେ ରହିବେ ଭକ୍ତଶ୍ରେଷ୍ଠ ତଥା ବାହନ ଗରୁଡ଼ । ପ୍ରାଣ ପ୍ରତିଷ୍ଠା ମନ୍ଦିରର ଦ୍ୱିତୀୟ ମହଲାରେ ହେବ । ଏଠାରେ ଭଗବାନ ଶ୍ରୀରାମ, ମା ସୀତା, ଲଷ୍ମଣ ଏବଂ ମହାବୀର ହନୁମାନଙ୍କ ପ୍ରତିମା ସ୍ଥାପନା ହେବ । ରାମ ଦରବାର ମଧ୍ୟ ଦ୍ୱିତୀୟ ମହଲାରେ ରହିବ । ଭାରତରେ ୧୬ଟି ଶୈଳୀରେ ମନ୍ଦିର ଡିଜାଇନ କରାଯାଏ । ଉତ୍ତର ଭାରତରେ ନାଗର ଶୈଳୀ , ଦକ୍ଷିଣରେ ଦ୍ରାବିଡ ଏବଂ ମଧ୍ୟ ପୂର୍ବ ଭାରତରେ ପାଗୋଡ଼ା ଶୈଳୀରେ ମନ୍ଦିର ନିର୍ମାଣ କରାଯାଏ । ଅଯୋଧ୍ୟାର ମନ୍ଦିର ହେଉଛି ନାଗର ଶୈଳୀର । ସୋମନାଥ, ସ୍ୱାମୀନାରାୟଣ, ଅମ୍ବାଜୀ ମନ୍ଦିର ବି ନାଗର ଶୈଳୀରେ ନିର୍ମାଣ କରାଯାଇଛି ।

ରାମ ମନ୍ଦିରରେ ଆଠଟି ଦିଗ, ଅଷ୍ଟ ଭୁୁଜା ଏବଂ ବିଷ୍ଣୁଙ୍କ ୮ଟି ସ୍ୱରୂପକୁ ଦୃଷ୍ଟିରେ ରଖି ଗର୍ଭଗୃହର ଅଷ୍ଟକୋଣ ପ୍ରସ୍ତୁତ କରାଯାଇଛି । ମନ୍ଦିର କାରୁକାର୍ଯ୍ୟରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ୧୬ଟି ଗୁଣ ସ୍ଥାନ ପାଇବ । ଗର୍ଭଗୃହକୁ ଏଭଳି ଭାବରେ ନିର୍ମାଣ କରାଯାଇଛି ଯେ ୨୫ ଫୁଟ ଦୂରରୁ ମଧ୍ୟ ରାମଲାଲାଙ୍କୁ ଦର୍ଶନ କରିହେବ । ମନ୍ଦିରରେ ବିଷ୍ଣୁଙ୍କ ଦଶାବତାର, ୬୪ ଯୋଗୀନି, ୫୨ ଶକ୍ତିପୀଠ ଏବଂ ସୂର୍ଯ୍ୟଙ୍କର ୧୨ ସ୍ୱରୂପର ମୂର୍ତ୍ତି ସ୍ଥାପନା କରାଯିବ । ପ୍ରତ୍ୟେକ ସ୍ତମ୍ଭରେ ପ୍ରାୟ ୧୬ଟି ମୂର୍ତ୍ତି ରହିବ । ମନ୍ଦିରରେ ମୋଟ ୨୫୦ଟି ସ୍ତମ୍ଭ ରହିଛି । ବର୍ଷକ ମଧ୍ୟରେ ପୂର୍ଣ୍ଣାଙ୍ଗ ରୂପ ନେବ ମନ୍ଦିର । ଏବଂ ଅଯୋଧ୍ୟା କରିଡର ନିର୍ମାଣ ପାଇଁ ୨ବର୍ଷ ସମୟ ଲାଗିବ ।

ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କାଶ୍ମୀର ରାମଘାଟ ସ୍ଥିତ ଶ୍ରୀ ବଲ୍ଲଭରାମ ଶାଳଗ୍ରାମ ସାଂଗବେଦ ବିଦ୍ୟାଳୟର ଦ୍ରାବିଡ ବନ୍ଧୁମାନେ ୨୨ ଜାନୁଆରୀରେ ଶୁଭ ମୁହୂର୍ତ୍ତ ବାହାର କରିଛନ୍ତି । ମହାକବି କାଳିଦାସ ନିଜର ପୂର୍ବକାଳମୃତରେ ଏହି ମୁହୂର୍ତ୍ତକୁ ସଞ୍ଜୀବନୀ ମୁହୂର୍ତ୍ତ ବୋଲି କହିଛନ୍ତି । ଏହି ମୁହୂର୍ତ୍ତର ମଧ୍ୟ ଏକ ବିଶେଷତ୍ୱ ରହିଛି । ଏହି ମୁହୂର୍ତ୍ତରେ ଦୋଷ ଉତ୍ପନ୍ନ କରୁଥିବା ପାଂଚବାଣ ଅର୍ଥାତ ରୋଗବାଣ, ମୃତ୍ୟୁବାଣ, ରାଜବାଣ, ଚୋରବାଣ, ଓ ଅଗ୍ନିବାଣ ଭଳି କୌଣସି ବାଣ ସଂଜୀବନୀ ମୁହୂର୍ତ୍ତରେ ରହିନଥାଏ । ତ୍ରେତୟା ଯୁଗରେ ରାମ-ରାବଣ ସମୟରେ ଲଷ୍ମଣଙ୍କୁ ଶକ୍ତି ଭେଦ ହେବାପରେ ଭକ୍ତ ହନୁମାନ ସଂଜୀବନୀ ଆଣି ତାଙ୍କୁ ବଞ୍ଚାଇଥିଲେ । ତେଣୁ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସଂଜୀବନୀ ମୁହୂର୍ତ୍ତକୁ ବଛାଯାଇଛି । ଯେଉଁ ମୁହୂର୍ତ୍ତରେ କୌଣସି ଅଶୁଭ ହୋଇନଥାଏ । ଅଶୁଭର ପ୍ରଭାବ ମଧ୍ୟ ପଡ଼େ ନାହିଁ ।

Leave A Reply

Your email address will not be published.