Before Header

ସ୍ୱାଧୀନତାର ପ୍ରମୁଖ ଛାପ ଛାଡ଼ିଯାଇଛନ୍ତି ରମାଦେବୀ

0 34

 ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶବାସୀଙ୍କୁ ସ୍ୱାଧୀନତା ଦେବାକୁ କେତେ କେତେ ମହାପୁରୁଷ ନିଜର ବଳି ଚଢାଇଥିଲେ । ସେମାନଙ୍କ ତ୍ୟାଗ ଚିରଦିନ ପାଇଁ ଅମର ହୋଇରହିଯାଇଛି । ଦେଶର ସ୍ୱାଧୀନତାରେ ଓଡ଼ିଶାର ଭୂମିକା ଥିଲା ଅନ୍ୟତମ । ଆମ ଓଡ଼ିଶାର ବୀର ପୁରୁଷ ମାନେ ଛାଡି ଯାଇଛନ୍ତି ସେମାନଙ୍କର ଅଲିଭା ଛାପ ଯାହା ପ୍ରତ୍ୟେକଟି ଓଡ଼ିଆଙ୍କ ମନରେ ଲିପିବଦ୍ଧ ହୋଇଯାଇଛି । ସେହିଭଳି ଭାରତୀୟ ନାରୀଙ୍କ ଦେଶପ୍ରେମର ମଧ୍ୟ ପଟ୍ଟାନ୍ତର ନାହିଁ । ନାରୀ ସ୍ୱାଧୀନତା ସଂଗ୍ରାମୀଙ୍କ ତାଲିକାରେ ଓଡିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ସ୍ୱାଧୀନତାର ଏହି ଉତ୍ସବ ଅବସରରେ ଦେଶ ସ୍ୱାଧୀନତାରେ ନିଜର ପ୍ରମୁଖ ଛାପ ଛାଡିଥିବା ମା ରମାଦେବୀଙ୍କ ବିଷୟରେ ଜାଣିବା ।
୧୮୯୯ ମସିହା ଡିସେମ୍ବର ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ରମାଦେବୀ । କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମର ବସନ୍ତ କୁମାରୀ ଦେବୀ ଓ ଗୋପାଳ ବଲ୍ଲଭ ଦାସଙ୍କ ସନ୍ତାନ ଥିଲେ ରମାଦେବୀ । ପିତା ମାତା ଶ୍ରଦ୍ଧାରେ ତାଙ୍କୁ ବେଲ ବୋଲି ଡାକୁଥିଲେ ।

ରମାଦେବୀଙ୍କ ପିତା ସେ ସମୟରେ ବ୍ରିଟିଶ ସରକାରରେ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫର୍ ପୂର, ହଜାରୀବାଗ ଭଳି ସମସ୍ୟା ବହୂଳ ଅଞ୍ଚଳରେ ପ୍ରଜା ମାନଙ୍କର ନିକଟତର ହୋଇପାରିଥିଲେ । ରମାଦେବୀଙ୍କ ଆଉ ଏକ ବଡ ପରିଚୟ ହେଉଛି, ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ଯାଇ ନ ଥିଲେ ମଧ୍ୟ ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ,ବଙ୍ଗଳା ଭାଷାକୁ ଆୟତ କରିଥିଲେ । ୧୯୧୪ ମସିହାରେ ରମାଦେବୀଙ୍କ ବିବାହ ହୋଇଥିଲା ମହାନ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କ ସହ । ଜଗତସିଂହପୁରର ଜମିଦାର ଘର ଚୌଧୁରୀ ପରିବାରର ସେ ବୋହୂ ହୋଇଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଚୌଧୁରୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଅବଦାନ ଅତୁଳନୀୟ ।

ସେ ଗୋପବନ୍ଧୁ ଚୌଧୁରୀ ହୁଅନ୍ତୁ କିମ୍ବା ରମାଦେବୀ, ନବକୃଷ୍ଣ ଚୌଧୁରୀ ହୁଅନ୍ତୁ କିମ୍ବା ମାଳତୀ ଚୌଧୁରୀ, ସମସ୍ତେ ଦେଶପ୍ରେମର ମହାନ ଉଦାହରଣ ଛାଡିଯାଇଛନ୍ତି । ଲବଣ ସତ୍ୟାଗ୍ରହରେ ଓଡିଶାର ନେତୃତ୍ୱ ନେବା ସହ ଇଂରେଜ ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିଥିଲେ । ଏହାପରେ ଭୂଦାନ ଆନ୍ଦୋଳନରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସେମାନେ । ରମାଦେବୀଙ୍କ ସ୍ୱାମୀ ଗୌପବନ୍ଧୁ ଚୌଧୁରୀ ସେ ସମୟରେ ମର୍ଯ୍ୟାଦା ସମ୍ପନ୍ନ ଡେପୁଟି କଲେକ୍ଟର ପଦବୀ ଛାଡି ସସ୍ତ୍ରିକ ସ୍ୱଦେଶୀ ଆନ୍ଦୋଳନରେ ସାମିଲ ହୋଇଗଲେ । ୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡି ଓ ବିନୋଦ ବିହାରୀ ପରିସର ରେ ଦୁଇଗୋଟି ସାଧାରଣ ସମାବେଶରେ ଯୋଗଦେଇ ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନେ୍ଦାଳନର ଆବଶ୍ୟକତା ବୁଝାଇଥିଲେ । ଏବଂ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧିଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ସୁନାଗହଣାଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ । ଜଣେ ପ୍ରତିଷ୍ଠିତ ଘରର ଝିଅ ଓ ବୋହୂ ହେବା ସତ୍ୱେ ଆଜୀବନ ଖଦିବସ୍ତ୍ର ପରିଧାନ କରିବାର ସଂକଳ୍ପ କରିଥିଲେ ।

୧୯୩୦ର ଆଇନ ଅମାନ୍ୟ ଆନେ୍ଦାଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶର ମୁଖ୍ୟ ଦାୟିତ୍ୱ ନେଇଥିଲେ ରମାଦେବୀ । ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ଯେତେବେଳେ ମହାତ୍ମା ଗାନ୍ଧୀ ଉତ୍କଳ ଗୌରବ ମଧୁସୂଦନ ଙ୍କ କଟକ ବାସ ଭବନରେ ରହୁଥିଲେ ରମାଦେବୀ ସେତେବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । ଗାନ୍ଧିଜୀ କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଆରମ୍ଭ କରିଥିଲେ ସେତେବେଳେ ରମାଦେବୀ ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣକୁ ଓଡ଼ିଆରେ ଅନୁବାଦ କରି ସମସ୍ତଙ୍କୁ ବୁଝାଉଥିଲେ । ସେ ଗଢିିଥିଲେ ବରି ଆଶ୍ରମ । ରମାଦେବୀଙ୍କ ଅନେକ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଥିଲା । ୧୯୩୦ ସଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖାଗଲା । ୧୯୪୨ ଭାରତଛାଡ ଆନ୍ଦୋଳନରେ ପ୍ରତ୍ୟକ୍ଷ ସଂପୃକ୍ତି ହେତୁ ଇଂରେଜ ସରକାର ରମାଦେବୀ ଓ ତାଙ୍କ ସ୍ୱାମୀ ଗୋପବନ୍ଧୁ ଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଲେ ।

୧୯୬୨ ଚିନ ଭାରତ ଯୁଦ୍ଧ ସମୟରେ ରମାଦେବୀ ନିଜେ ସେବାଦଳ ଧରି ଦୁର୍ଦ୍ଦିନରେ ପଡିିଥିବା ଭାରତୀୟ ଯବାନମାନଙ୍କୁ ସେବା ସହ ସାହାସ ପ୍ରଦାନ କରିଥିଲେ । ୧୪୪ ଧାରା ଜାରି ସତ୍ୱେ ସମାବେଶର ଅଗ୍ରଭାଗରେ ରମାଦେବୀ ଙ୍କୁ ଦେଖି ପ୍ରଶାସନ ପଛଘୁଞ୍ଚା ଦେଇଥିଲା । ବହୁ ଜନନାୟକ ଜେଲ ଗଲେ, ମାତ୍ର ମା ରମାଦେବୀଙ୍କୁ ଗିରଫ କରିବାକୁ କେହି ସାହାସ କରିନଥିଲେ ।
ମୃତ୍ୟୁ :୧୯୮୫ ମସିହା ଜୁଲାଇ ୨୨ ତାରିଖରେ ରମାଦେବୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁରେ ରାଜ୍ୟର ତକ୍ରାଳୀନ ରାଜ୍ୟପାଳ ବିଶ୍ୱମ୍ବର ନାଥ ପାଣ୍ଡେ କହିଥିଲେ ସେ କେବଳ ଓଡ଼ିଆ ଜାତିର ମା ନଥିଲେ ମୋର ମଧ୍ୟ ମା ଥିଲେ । ରାଜଧାନୀ ଭୁବନେଶ୍ୱର ରେ ରମାଦେବୀଙ୍କ ନାମରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି ।

ପରେ ତାହା ବିଶ୍ୱାବିଦ୍ୟାଳୟର ରୂପ ନେଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପଦବୀ ଦେଇଛି । ସମର୍ପିତ ସେବାଲାଗି ମିଳିଛି ସମ୍ମାନ ଜନକ ‘ଯମୁନାଲାଲ ବଜାଜ’ ପୁରସ୍କାର । ନିଜର ଅପ୍ରମୀତ ଦେଶପ୍ରେମ ଓ ସାଦରାଣ ଲୋକଙ୍କ ସେବା ପାଇଁ ମା ରମାଦେବୀ ଚିରକାଳ ଅମର ହୋଇରହିବେ । ସ୍ୱାଧୀନତାର ଏହି ଅବସରରେ ମା ରମାଦେବୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ବଡ ଖବର ପରିବାର ।

Leave A Reply

Your email address will not be published.