ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ପିଏମ୍ ଶ୍ରୀ ବାଲେଶ୍ୱର ଜିଲ୍ଲା ସ୍କୁଲର ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ପ୍ରତିଷ୍ଠିତ ‘ନେସନ୍ ବିଲ୍ଡର ଆୱାର୍ଡ’ (Nation Builder Award) ପ୍ରଦାନ କରାଯାଇଛି। ଶୃଙ୍ଖଳିତ ନିଷ୍ଠାପର ଶିକ୍ଷାଦାନ, ରାଷ୍ଟ୍ରଭାଷାର ପ୍ରଚାର ପ୍ରସାର ଏବଂ ବିଦ୍ୟାଳୟର ସାମଗ୍ରିକ ଉନ୍ନତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଉତ୍ତରୀୟ, ମାନପତ୍ର, ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ରୋଟାରି କ୍ଲବ୍ ଶାଶ୍ୱତ (ବାଲେଶ୍ୱର ଶାଖା) ଆନୁକୂଲ୍ୟରେ ସ୍ଥାନୀୟ ଓଡ଼ିଶା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପରମେଶ୍ୱର ପଣ୍ଡାଙ୍କ ସମେତ ସମୁଦାୟ ୧୦ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧିତ ହେବା ପରେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଶିକ୍ଷକ ସମାଜର ମର୍ୟ୍ୟାଦା ବୃଦ୍ଧି ତଥା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଆୟୋଜନ ବାସ୍ତବରେ ପ୍ରଶଂସନୀୟ।
ଏହି କାର୍ଯ୍ୟକ୍ରମରେ କ୍ଲବ୍ର ସଭାପତି ବିଜୟ କୁମାର ସେଠୀ, ସମ୍ପାଦକ ସୁଦର୍ଶନ ଜେନା, ଜିଲ୍ଲା ଗଭର୍ଣ୍ଣର ଅନିଲ କୁମାର ସାମଲ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ବିହାରୀ ପଣ୍ଡା, ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାସ ଏବଂ ସୀମାନ୍ତ କଲେଜର ଅଧ୍ୟକ୍ଷ କ୍ଷିତିବର ଦାଶ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ତାଙ୍କର ଏହି ସଫଳତା ପାଇଁ ପିଏମ୍ ଶ୍ରୀ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ଜେନାଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।