ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖୋଲିବ ନବ ଦାସଙ୍କ ହତ୍ୟା ମାମଲାର ଗୁମର ପେଡ଼ି । ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନବ ଦାସ । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ଏହି ହତ୍ୟାକାଣ୍ଡ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା ।

ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡଯନ୍ତ୍ର ଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ନବ ଦାସଙ୍କ ମାମଲା ନୁହେଁ, ୨୦୨୨ ମମିତା ମେହର ହତ୍ୟା ମାମଲା ଏବଂ ୨୦୦୮ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ସେପଟେ ନବ ଦାସ ହତ୍ୟାକାଣ୍ଡ ସମେତ ବିଜେଡି ସରକାର ସମୟର କିଛି ପୁରୁଣା କେସ ରି ଓପନ କରାଯିବା ନେଇ ଆଇନ ମନ୍ତ୍ରୀଙ୍କ ବିବୃତି ପରେ ପ୍ରତିକ୍ରିୟା ରଖିଲା ବିଜେଡି । ଦଳର ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି ଆଇନର ଧାରା ଆଇପିସି ସିଆରପିସି ଅନୁଯାୟୀ କେସ ଚାଲିଥାଏ । ସେହି ଅନୁସାରେ କୋର୍ଟରେ ବିଚାରବିମର୍ଷ ହୁଏ । ତାକୁ ରିଓପନ କରିବା ନକରିବା ସେଇଟା ଆଇନର ପରିସର। ଆଇନର ଧାରା ଯାହା ଆସିବ ସେହି ଅନୁଯାୟୀ ସେମାନେ କରିବେ । ଲୋକଙ୍କ ମନରେ ନବ ଦାସ ହତ୍ୟାକାଣ୍ଡ ନେଇ କୌଣସି ସନ୍ଦେହ ନାହିଁ । ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଠିକ ଭାବେ ତଦନ୍ତ କରାଯାଇଛି ଏବଂ ଆଇନର ପରିସର ଭିତରେ ଠିକ ଭାବେ ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *