ନିମାପଡ଼ା (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ନିମାପଡ଼ାରେ ଉଷ୍ମ ହେବାର ଲାଗିଲାଣି ରାଜନୀତି। ଉଗ୍ର ରୂପ ନେବାକୁ ବସିଲାଣି ସମୀର ଓ ପ୍ରଭାତୀଙ୍କ କଳି। ଆରମ୍ଭ ହୋଇଗଲାଣି ଦୁଇଜଣଙ୍କ ମଧ୍ୟରେ କାଦୁଅ ପିଙ୍ଗା ପିଙ୍ଗି। କିଛି ଦିନ ତଳେ ନିମାପଡ଼ାର ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ କଟାକ୍ଷ କରିବା ସହିତ ଏକ ବର୍ଷ ମଧ୍ୟରେ ନିମାପଡ଼ାକୁ କୌଣସି ନୂଆ ପ୍ରକଳ୍ପ ଆସିନଥିବା ଦାବି କରିଥିଲେ। ଆଉ ଯାହା ସବୁ ପ୍ରକଳ୍ପ ଉଦ୍ଘାଟନ ହୋଇଛି ସବୁ ପ୍ରକଳ୍ପ ୨୦୨୨/୨୩ ଏବଂ ୨୪ ଆର୍ଥିକ ବର୍ଷର ବୋଲି ପ୍ରକାଶ କରିଥିଲେ।
ଏକ ବର୍ଷ ମଧ୍ୟରେ ପିସି କାରବାର ମଧ୍ୟ ବ୍ୟାପକ ପରିମାଣରେ ବଢ଼ିଛି।ପରେ ସମୀରଙ୍କ ମନ୍ତବ୍ୟର କଡା ଜବାବ ରଖିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସେ କହିଥିଲେ ଯଦି ଏକ ବର୍ଷ କିଛି କାମ ହେଇନି ତାହାଲେ ପିସି କାରବାର ବଢିଲା କେମିତି? ତାଙ୍କର ମୋ ଉପରେ ଏତେ ଆକ୍ରୋଶ କାହିଁକି? କେବଳ ସେ ହିଁ କହି ପାରିବେ।କାମ ହେଇଛି କି ନାହିଁ ତାହା ନିମାପଡ଼ାବାସୀ କହିବେ । ତେବେ ଶୁକ୍ରବାର ହୋଇଥିବା ପୁଣି ନିମାପଡ଼ା ବ୍ଲକ୍ ରେଞ୍ଚ ପଞ୍ଚାୟତରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରଭାତିଙ୍କ ମନ୍ତବ୍ୟକୁ ନେଇ ସମୀର ପୁଣି ବିସ୍ପୋରକ ବୟାନ ଦେଇଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ମୁଁ ବିଜେଡି ଛାଡ଼ିବା ପରେ ସାଧାରଣ ନିର୍ବାଚନ ହୋଇଥିଲା । ତାପରେ ମୁଁ ଗୋଟେ ବର୍ଷ ପର୍ଯ୍ୟନ୍ତ ମୋ କର୍ମୀମାନଙ୍କ ସହ ମିଶି ନଥିଲି କହି ପ୍ରଭାତିଙ୍କ ଉପରେ ବୁଲେଇ ବାଲେଇ ବର୍ଷିଥିଲେ।
ସେ ପୁଣି ପ୍ରଭାତୀଙ୍କୁ ଚ୍ୟାଲେଞ୍ଜ କରିବା ସହିତ କହିଛନ୍ତି ଷଷ୍ଠ ଥର ପାଇଁ ପୁଣି ନିମାପଡ଼ା ଓ ଗୋପ ପଞ୍ଚାୟତ ସମୀର ଦାସ ନେତୃତ୍ୱରେ ଦଖଲ କରାଯିବ। ସେ ଯଦି କିଛି ଦେଇଛନ୍ତି ତାହାଲେ ସେ ଦବାକୁ ବାଧ୍ୟ । ଦୟାରେ ଦେବେନି। ଆମେ ଲୋକଙ୍କ ଭଲପାଇବାକୁ ବିଶ୍ୱାସ କରୁ । କଳା ତିଳକ ଧଳା ତିଳକ ଉପରେ ବିଶ୍ୱାସ କରୁନାହୁ।ଆଉ ଏକଥା ମଧ୍ୟ କହିଛନ୍ତି ଯଦି ମୋ ସମୟରେ କିଛି ଦୁର୍ନୀତିର ପର୍ଦ୍ଦାଫାସ କରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ତେବେ ସେ କରିପାରନ୍ତି । ମୋର କିଛି ଆପତ୍ତି ନାହିଁ।