କେରଳ (ବଡ଼ ଖବର ବ୍ୟୁରୋ): କେରଳମ୍ରେ ସତୀଶନ୍ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି ସତୀଶନ୍। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସତୀଶନଙ୍କ ସହ ୨୦ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ତିରୁଅନନ୍ତପୁରମ୍ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ସତୀଶନ୍ ମାଲୟାଲମରେ ଶପଥ ନେଇଛନ୍ତି। ଦୀର୍ଘ ୬୦ ବର୍ଷ ପରେ ପୁରା କ୍ୟାବିନେଟ୍ ଏକା ସାଙ୍ଗରେ ଶପଥ ପାଠ କରିଛନ୍ତି।
ସତିସନ୍ଙ୍କ ସହିତ ଅନ୍ୟ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ)ର ପାଞ୍ଚ ଜଣ ବିଧାୟକ ମଧ୍ୟ ସାମିଲ ଅଛନ୍ତି। ଏଥର କେରଳର ନୂତନ ସରକାରରେ ୧୪ ଜଣ ନୂତନ ମୁହଁଙ୍କୁ ସାମିଲ କରାଯାଇଛି । ଏଥିରେ ୨ ଜଣ ମହିଳା ଏବଂ ଏସଟି ବର୍ଗର ୨ ଜଣ ମନ୍ତ୍ରୀ ଅନ୍ତର୍ଭୁକ୍ତ । କଂଗ୍ରେସର ୬୩ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି । ତିରୁଭାଞ୍ଚୁର ରାଧାକୃଷ୍ଣନ ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିବେ, ଯେତେବେଳେ ଶାନିମୋଲ ଉସମାନ ଉପବାଚସ୍ପତି ଭାବରେ କାର୍ଯ୍ୟ କରିବେ।
କେରଳର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, କଂଗ୍ରେସ ସାଂସଦ କେସି ଭେନୁଗୋପାଳ, କଂଗ୍ରେସ ନେତା ଦୀପା ଦାସମୁନଶୀ ଏବଂ ଭୂପେଶ ବାଘେଲଙ୍କ ସମେତ ବହୁ ନେତା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।
