Before Header

ନୂଆ ନୁହେଁ ଉଦ୍ଧବ ଓ ରାଣେଙ୍କ କଳି, ବାଲ ଠାକରେଙ୍କ ବେଳଠୁ ଚାଲିଛି ଟକ୍କର

0 32

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫଦାରୀ ପରେ ଏବେ ପୁଣି ସାମ୍ନା ସାମ୍ନି ବିଜେପି ଓ ଶିବସେନା । ବିଜେପି କହୁଛି ନାରାୟଣ ରାଣେଙ୍କ ଜୀବନ ବିପଦରେ ରହିଛି । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ନେଇ ଟିପ୍ପଣୀ ଦେଇ ଏବେ ପୋଲିସ ହେପାଜତରେ କେନ୍ଦ୍ରମନ୍ତ୍ରୀ । ତେବେ ଉଦ୍ଧବ ଓ ରାଣେଙ୍କ ଏହି ମତାନ୍ତରକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । କିନ୍ତୁ ଦୁହିଁଙ୍କ ମଧ୍ୟରେ ଏହି କଳି ନୂଆ ନୁହେଁ । ଉଭୟଙ୍କ ମଧ୍ୟରେ କଳି ସେବେଠାରୁ ଯେବେ ରାଣେ ଶିବସେନାରେ ଥିଲେ ।

ଦୁହିଁଙ୍କ ମଧ୍ୟରେ ମତାନ୍ତର ୨୦୦୩ରୁ ରହିଛି । ଏ କାହାଣୀ ଉଦ୍ଧବଙ୍କ ଦଳୀୟ ନେତୃତ୍ୱକୁ ନେଇ ଆରମ୍ଭ ହୋଇଥିଲା । ମହାବଲେଶ୍ୱରରେ ଶିବସେନାର ଏକ ସଭାରେ ଉଦ୍ଧବଙ୍କୁ ଦଳ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଘୋଷଣା କରିଥିଲା । ଯାହାକୁ ଖୋଲାଖୋଲି ବିରୋଧ କରିଥିଲେ ନାରାୟଣ ରାଣେ । ଉଦ୍ଧବଙ୍କ ନେତୃତ୍ୱକୁ ସେ ଓ ତାଙ୍କ ସମର୍ଥକ ମାନେ ଲଗାତାର ବିରୋଧ କରିଆସୁଥିଲେ ।

ଏହାର ଗୋଟିଏ ବର୍ଷ ପରେ ଆରମ୍ଭ ହୋଇଥିଲା ବିଧାନସଭା ନିର୍ବାଚନ । ଯେଉଁଥିରେ ଶିବସେନାର ପରାଜୟ ହୋଇଥିଲା । ଦଳର ପରାଜୟକୁ ନେଇ ରାଣେ ଦଳରେ ପଦ ଓ ଟିକେଟ ବିକ୍ରି ହେଉଥିବା ଭଳି ମନ୍ତବ୍ୟ ରଖିଥିଲେ । ଆଉ ଦଳର ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଥିଲେ । ଦଳର ତତ୍କାଳୀନ ଅଧ୍ୟକ୍ଷ ବାଲାସାହେବ ରାଣେଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଦଳରୁ ବହିଷ୍କାର ମଧ୍ୟ କରିଥିଲେ ।

୨୦୦୫ରେ ରାଣେ ମାଲବଣ ଆସନର ଉପନିର୍ବାଚନ ସମୟରେ ନିଜ ଅପମାନର ପ୍ରତିଶୋଧ ନେଇଥିଲେ । ରାଣେଙ୍କ ନେତୃତ୍ୱରେ ଶିବସେନା ପ୍ରାର୍ଥୀଙ୍କ ହାର ହୋଇଥିଲା । ବାଲାସାହେବଙ୍କ କୌଣସି ବି ରାଜନୀତି କାମ କରିନଥିଲା । ଏହି ନିର୍ବାଚନରେ ବାଲା ସାହେବଙ୍କ ଇଜ୍ଜତର ପ୍ରଶ୍ନ ବୋଲି ନିଜେ ବାଲା ସାହେବ କହିଥିଲେ ମଧ୍ୟ ଏହା କିଛି କାମ ଦେଇନଥିଲା ।

ଶିବସେନାର ଶାଖା ପ୍ରମୁଖ ପଦରୁ ରାଜନୀତିରେ ପ୍ରବେଶ କରିଥିବା ନାରାୟଣ ରାଣେ ରାଜନୀତିର ସିଡି ଅତି ଶୀଘ୍ର ଚଢ଼ିଥିଲେ । ଖୁବ କମ ଦିନରେ ସେ ବିଏମସିର କର୍ପୋରେଟର ହୋଇଥିଲେ । ବିଦ୍ୟୁତ ବିତରଣ କମିଟିର ଚେୟାରମ୍ୟାନ ମଧ୍ୟ ହୋଇଥିଲେ । ୧୯୯୯ରେ ରାଣେ ମୁରଲୀ ମନୋହର ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ କିଛି ଦିନ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବି ହୋଇଥିଲେ ।

ତେବେ ଶିବସେନାରେ ରହିବା ମଧ୍ୟରେ ହିଁ ନାରାୟଣ ରାଣେ ଏତେ ଶକ୍ତିଶାଳୀ ହୋଇଥିଲେ ଯେ, ତାଙ୍କ ନାଁ ମୁମ୍ବାଇର ସେହି ସବୁ ନେତା ମାନଙ୍କ ମଧ୍ୟରେ ଆସୁଥିଲା ଯେଉଁମାନଙ୍କ ପ୍ରତ୍ୟେକ ନିଷ୍ପତ୍ତି ଦଳରେ ଲାଗୁ କରାଯାଏ । ତେବେ ରାଣେଙ୍କ ନେତୃତ୍ୱରେ ଶିବସେନା କେବଳ ବିଏମସିରେ ମଜବୁତ ହୋଇଥିଲା ତାହା ନୁହେଁ କୋଙ୍କଣରେ ଦଳର ନେତୃତ୍ୱକୁ ମଜବୁତ କରିବାରେ ସେ ଏକ ପ୍ରମୁଖ ଭୂମିକା ନେଇଥିଲେ । ଅନେକ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ମଧ୍ୟ ବହନ କରୁଥିଲେ ରାଣେ । ୨୦୦୨ରେ ଶିବସେନା ସିନ୍ଧୁଦୁର୍ଗର କଣକବଲି ଗ୍ରାମ ପଞ୍ଚାୟତ ନିର୍ବାଚନରେ ହାରି ଯାଇଥିଲା । ଯେଉଁଥିପାଇଁ ରାଣେଙ୍କ ଘରକୁ ଉତ୍ତ୍ୟକ୍ତ ଲୋକ ନିଆଁ ଲଗାଇ ଦେଇଥିଲେ ।

ନାରାୟଣ ରାଣେ ଦଳକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ । କିନ୍ତୁ ତାଙ୍କ ଘରକୁ ଜଳାଇ ଦିଆଯିବା ପରେ ଶିବସେନା କୌଣସି ପ୍ରକାର ସହାନୁଭୂତି ଦେଖାଇନଥିଲା । ବରଂ ତାଙ୍କ ନେତୃତ୍ୱ ଉପରେ ଉଠିଥିଲା ବଡ଼ ପ୍ରଶ୍ନ । ୟେ ସେହି ସମୟର କଥା ଯେତେବେଳେ ବାଲ ଠାକରେଙ୍କ ସ୍ଥାନରେ ଉଦ୍ଧବ ଦଳର ନେତୃତ୍ୱ ନେବା ନେଇ କଳ୍ପନା ଜଳ୍ପନା କରାଯାଉଥିଲା । ଖବର ଆସୁଥିଲା ରାଜ ଠାକରେଙ୍କ ସହ ନାରାୟଣ ରାଣେଙ୍କର ଭଲ ସମ୍ପର୍କ ଥିବାରୁ ଉଦ୍ଧବ ଠାକରେ ରାଣେଙ୍କ ସହ ଏଭଳି ବ୍ୟବହାର କରୁଥିଲେ । 

୨୦୦୪ ବିଧାନସଭା ନିର୍ବାଚନ ଦୁଇଜଣଙ୍କ ସମ୍ପର୍କର ମୋଡ଼ ବଦଳାଇଥିଲା । ଶିବସେନା ବିଧାନସଭା ନିର୍ବାଚନରେ ହାରିଯିବା ପରେ ରାଣେଙ୍କ କ୍ରୋଧ ବଢ଼ିଥିଲା । ଦଳର ନେତୃତ୍ୱ ଉଦ୍ଧବ ଠାକରେଙ୍କ ହାତରେ ଥିବା କାରଣରୁ ଆରମ୍ଭରୁ ବିରୋଧ କରିଥିଲେ ନାରାୟଣ ରାଣେ । 

୨୦୦୪ର ହାର ପରେ ଦଳରେ ଟିକେଟ ଓ ପଦବୀ ବିକ୍ରି ହେଉଥିବା ଅଭିଯୋଗ କରିଥିଲେ । ଦଳ ବିରୋଧୀ କାର୍ଯ୍ୟ କଥା ବାଲା ସାହେବ ଜାଣିବାକୁ ପାଇତିଲେ ବୋଲି ନାରାୟଣ ରାଣେଙ୍କ ନିକଟରେ ସୂଚନା ପହଞ୍ଚିଥିଲା । ତେଣୁ ବହିଷ୍କାରରୁ ବଞ୍ଚିବାକୁ ଜୁଲାଇ ୨୦୦୫ରେ ଦଳ ଛାଡ଼ି କଂଗ୍ରେସରେ ମିଶିଥିଲେ । କିନ୍ତୁ ଏହାପରେ ମଧ୍ୟ ଶିବସେନା ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ଏହାପରେ ଉଦ୍ଧବଙ୍କୁ ଖୋଲାଖୋଲି ବିରୋଧ କରିଥିଲେ ନାରାୟଣ ରାଣେ । ରାଣେଙ୍କ ସମର୍ଥକ ଓ ଉଦ୍ଦବଙ୍କ ସମର୍ଥକଙ୍କ ମଧ୍ୟରେ ଲଗାତାର ମାରପିଟ ହେବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

ଏହାପରେ ନିଜ ଅପମାନର ପ୍ରତିଶୋଧ ନେବାକୁ ରାଣେ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଯେଉଁ କାରଣରୁ ଉପନିର୍ବାଚନ ଜରୁରୀ ହୋଇପଡ଼ିଥିଲା । ଆଉ ସେତେବେଳକୁ ରାଣେ କଂଗ୍ରେସରେ ସାମିଲ ହୋଇ ମହାରାଷ୍ଟ୍ର ସରକାରରେ ରାଜସ୍ୱମନ୍ତ୍ରୀ ହୋଇସାରିଥିଲେ । ଉପନିର୍ବାଚନ ୧୯ ନଭେମ୍ବର ୨୦୦୫ରେ ହେବାକୁ ନିର୍ବାଚନ କିମଶନ ତାରିଖ ଘୋଷଣା କରିଥିଲେ । ରାଣେଙ୍କ ବିରୋଧରେ ଏକଜୁଟ ହୋଇଥିଲା ଶିବସେନା ।

ଏହି ନିର୍ବାଚନକୁ ବାଲାସାହେବ ନିଜ ଇଜ୍ଜତ ଓ ସମ୍ମାନର ପ୍ରଶ୍ନ ବୋଲି କହିଥିଲେ । ଶିବସେନାର ବହୁ ବଡ଼ ବଡ଼ ନେତା ନିର୍ବାଚନ ପ୍ରଚାର ପାଇଁ ମାଲବଣରେ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଥିଲେ । । ଆଉ ଏ ସଭା ତାଙ୍କର ଶେଷ ନିର୍ବାଚନୀ ସଭା ବୋଲି ମଧ୍ୟ ଭାବୁକ ବୟାନ ଦେଇଥିଲେ ଅନେକ ନେତା । କିନ୍ତୁ ଏସବୁ କିଛି ବି କାମ ଦେଇନଥିଲା । ନାରାୟଣ ରାଣେ ୬୩ହଜାର ୩୭୨ ଭୋଟରେ ଶିବସେନା ପ୍ରାର୍ଥୀଙ୍କୁ ହରାଇଥିଲେ । ଶିବସେନା ପ୍ରାର୍ଥୀଙ୍କ ଜାମିନ ମଧ୍ୟ ଜବରଦଖଲ ହୋଇଥିଲା ।

ଭୋଟ ଗଣତି ଦିନ ବାଲା ସାହେବ କହିଥିଲେ ଯଦି ରାଣେ ଆଜି ଯିତନ୍ତି ତେବେ ଏହା ହାରିଥିବା ଲୋକର ବିଜୟ ହେବ । କାରଣ ରାଣେ ଦାବି କରିଥିଲେ ତାଙ୍କ ସହ କେହି ଲଢ଼ିପାରିବେ ନାହିଁ । ଆଉ ଏପର୍ଯ୍ୟନ୍ତ ଛିଡ଼ା ହେବ ହିଁ ତାଙ୍କ ବିଜୟ । ତେବେ ଏହି ଉପନିର୍ବାଚନରେ ଜିତିବା ପରେ ରାଣେ ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଇସ୍ତଫା ଦାବି କରିଥିଲେ । ସେ କହିଥିଲେ ମାଲବଣର ହାର ଶିବସେନା କାର୍ଯ୍ୟକାରୀ ଅଧ୍ୟକ୍ଷ ଗ୍ରହଣ କରିବା ସହ ପଦରୁ ଇସ୍ତଫା ଦେବା ନିହାତି ଆବଶ୍ୟକ ।

ରାଣେ ସେବେଠାରୁ ହିଁ ଉଦ୍ଧବ ଠାକରେଙ୍କ ଉପରେ କଡ଼ା ଟିପ୍ପଣୀ କରି ଆସୁଛନ୍ତି । ସେ ଏବେ ପର୍ଯ୍ୟନ୍ତ ବାଲା ସାହେବ ଠାକରେଙ୍କ ବିରୋଧରେ କିଛି ବି କହି ନାହାନ୍ତି କିନ୍ତୁ ଉଦ୍ଧବଙ୍କ ଉପରେ ଶବ୍ଦର ବାଣ ମାରି ଚାଲିଛନ୍ତି । କିଛି ବର୍ଷ ହେବ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଉପରେ ବି ଟିପ୍ପଣୀ କରିବାରେ ଲାଗିଛନ୍ତି । ଯାହା ଦେଖିଲେ ଲାଗୁଛି ମହାରାଷ୍ଟ୍ର ରାଜନୀତିରେ ରାଣେ ଓ ଉଦ୍ଧବଙ୍କ ମଧ୍ୟରେ ଏ ଲଢେଇ ଥିଲା, ଅଛି, ଆଗକୁ ଆହୁରି ଉଗ୍ର ହେବ । କାହିଁକି ନା ଏହି ଲଢେଇ ଏବେ ଗିରଫଦାରୀରେ ପହଞ୍ଚି ସାରିଲାଣି । କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ କରି ଉଦ୍ଧବ ଏହି ଲଢେଇକୁ ଅଧିକ ରୋଚକ କରିସାରିଛନ୍ତି ।

Leave A Reply

Your email address will not be published.