Before Header

ସୁରେନ୍ଦ୍ର ସାଏଙ୍କ ବିରଗାଥା

0 34

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବ୍ୟକ୍ତି ଚାଲିଯାଏ, ହେଲେ ଛାଡ଼ିଯାଏ ସ୍ମୃତି । ତା’ର କାର୍ଯ୍ୟ, କର୍ତ୍ତବ୍ୟ ତାକୁ ସବୁ ଦିନ ଅମର କରି ରଖେ । ଆଉ ସେହି ବ୍ୟକ୍ତି ଯଦି ସ୍ୱାଧୀନତା ସଂଗ୍ରାମୀ ହୋଇଥାନ୍ତି, ଦେଶ ପାଇଁ ବଳିଦାନ ଦେଇଥାନ୍ତି, ତାହେଲେ ତାଙ୍କ ଆଗରେ ଆପେଆପେ ମଥା ନଇଁ ଯାଏ । କାରଣ ଆମେ ଭାରତୀୟ । ସେଭଳି ଜଣେ ମହାନ ବୀର, ସ୍ୱାଧୀନତା ସଂଗ୍ରାମୀ, କାଳଜୟୀ ମହାପୁରୁଷ ହେଲେ ବୀର ସୁରେନ୍ଦ୍ର ସାଏ । ଏ ନାଁ ପଛରେ ଅଛି କେତେ କାହାଣୀ, କେତେ ଇତିହାସ ।

ବୀର ସୁରେନ୍ଦ୍ର ସାଏ । ବ୍ରିଟିଶଙ୍କୁ ଦେଶରୁ ମୂଳୋତ୍ପାଟନ କରିବା ପାଇଁ ତାଙ୍କର ସଂଗ୍ରାମ ଆଜି ବି ଅମର । ଭାରତ ମାତା ପାଇଁ ଜଳାଞ୍ଜଳି ଦେଇଥିବା ଏହି ବୀରଙ୍କ ଗାଥା ଚିରସ୍ମରଣୀୟ । କୁହାଯାଏ ବିଟ୍ରିଶ ସରକାର ଯେତେ ବି ରଣନୀତି କରୁଥିଲେ, ସେହି ପ୍ଲାନକୁ ଭଣ୍ଡାର କରିବାରେ କାଫିଥିଲେ ପଶ୍ଚିମଓଡିଶାର ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ସୁଯୋଗ୍ୟ ସନ୍ତାନ ବୀର ସୁରେନ୍ଦ୍ର ସାଏ ।

ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଜାନୁଆରୀ ୨୩ ତାରିଖ । ସମ୍ବଲପୁରଠାରୁ ୪୦ କିଲୋମିଟର ଦୂର ଖିଣ୍ଡା ଗାଁରେ କରିଥିଲେ ଜନ୍ମଗ୍ରହଣ । ଚୌହ୍ୱାନ ରାଜବଂଶର ଧରମ ସିଂ ଓ ରେବତୀ ଦେବୀଙ୍କ ଔରସରୁ ଜନ୍ମ ନେଇଥିବା ଏହି ଯୁଗଜନ୍ମା ପୁରୁଷ ଯେ ପରବର୍ତୀ ସମୟରେ ବୀର ସୁରେନ୍ଦ୍ର ସାଏ ହୋଇ ଦେଶ ପାଇଁ ଲଢିବେ, ଜୀବନ ଦେବେ କେହି କେବେ କଳ୍ପନା କରିନଥିଲେ । ହେଲେ ତାହା ହିଁ ହେଲା । ଏହାରି ଭିତରେ ଦିନ ଗଡ଼ିବା ସହ ବୀର ସୁରେନ୍ଦ୍ର ସାଏଙ୍କ ବାପାଙ୍କ ଦେହାନ୍ତ ହୁଏ । ଆଉ ପ୍ରଥମେ ପ୍ରଥମେ ଭାଙ୍ଗି ପଡ଼ିଥିବା ସୁରେନ୍ଦ୍ର ସାଏ ପରବର୍ତୀ ସମୟରେ କାକା ବଳରାମ ସିଂହଙ୍କ ଠାରୁ ଖଣ୍ଡା, ତୀର ଓ ଘୋଡ଼ା ଚଢିବା ଭଳି ଶିକ୍ଷା ନେଇଥିବା ଇତିହାସ କହେ । ଗାଙ୍ଗପୁର ହାତୀବାରୀ ଜମିଦାରୀଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ ସୁରେନ୍ଦ୍ର । ତାଙ୍କ ଗୋଟିଏ ପୁଅ ଓ ଗୋଟିଏ କନ୍ୟା ।

୧୮୨୭ ମସିହା । ଘଡ଼ିଷନ୍ଧି ମୁହୁର୍ତ୍ତ । ସମ୍ବଲପୁରର ରାଜା ମହାରାଜା ସାଏଙ୍କ ହଠାତ୍ ମୃତ୍ୟୁବରଣ ହେଲା । ଆଉ ଏହାପରେ ବ୍ରିଟିସ ସରକାର ରାଜାଙ୍କ କ୍ଷମତା ନିଜ ହାତକୁ ନେଇଗଲେ । ଯାହା ବୀର ସୁରେନ୍ଦ୍ରଙ୍କୁ ଦେବା କଥା ତାହା ବିଧବା ରାଣୀଙ୍କୁ ଦେଲେ । କାରଣ ବ୍ରିଟିଶ ଜାଣିଥିଲେ ଯେ ନାମକୁ ମାତ୍ର ରାଣୀଙ୍କ ପାଖରେ କ୍ଷମତା ରହିବ । ହେଲେ ଇଂରେଜ ଚଳାଇବେ ସମ୍ବଲପୁର । ସମସ୍ତ କାର୍ଯ୍ୟ ତାଙ୍କ ତତ୍ୱାବଧାନରେ ହେବ । ହେଲେ ସମ୍ବଲପୁରବାସୀ ଏହାକୁ ସ୍ୱୀକାର କଲେ ନାହିଁ । ଜନସାଧାରଣ ସ୍ୱର ଉଠାଇଲେ । ବ୍ରିଟିଶଙ୍କ ଏହି ନିୟମକୁ ବିରୋଧ କଲେ । ପ୍ରଜାଙ୍କୁ ଖୋଲା ସମର୍ଥନ କଲେ ସୁରେନ୍ଦ୍ର ସାଏ । ଆଉ ସେଇଠୁ ଆରମ୍ଭ ହେଲା ମାଟି, ଦେଶକୁ ଭଲ ପାଇବାର ଆତ୍ମୀୟତା, ବିପ୍ଲବ ।

ଆଉ ପଛକୁ ଫେରିନଥିଲେ ଏହି ମହାନ ଯୋଦ୍ଧା । ଗାଁରେ ଆରମ୍ଭ କଲେ ସଭା, ସମିତି । ଲୋକଙ୍କୁ ଏଭଜୁଟ କଲେ । କାକାଙ୍କଠାରୁ ଶିଖିଥିବା ସମସ୍ତ ଯୁଦ୍ଧ କୌଶଳ ସବୁ ଲୋକଙ୍କୁ ଶିଖାଇଲେ । ଆଉ ସେତେବେଳକୁ ରାଜ୍ୟରେ ଆରମ୍ଭ ହୋଇସାରିଥିଲା ଇଂରେଜ ବିରୋଧୀ ମହାସଂଗ୍ରାମ । ବ୍ରିଟିଶ ବିରୋଧରେ ଲଢେଇ ପାଇଁ ଦେଲେ ଆହ୍ୱାନ । ଇତିମଧ୍ୟରେ ଗୋବିନ୍ଦ ସିଂ ଓ ନାରାୟଣ ସିଂ ସମ୍ବଲପୁର ସିଂହାସନ ପାଇବାକୁ ଦାବି ଆରମ୍ଭ କଲେ । ଯାହାର ସୁଯୋଗ ନେବାକୁ ଚେଷ୍ଟା କଲେ ବିଟ୍ରିଶ ଅଫିସର । ରାଣୀଙ୍କୁ ହଟାଇ ନାରାୟଣ ସିଂଙ୍କୁ ସମ୍ବଲପୁର ରାଜା ଘୋଷଣା କଲେ ଇଂରେଜ ସରକାର । କାରଣ ନାରାୟଣ ସିଂ ହିଁ ଜନସାଧାରଣଙ୍କୁ ନ୍ୟାୟ ଦେଇପାରିବେ । ଆଉ ତାଙ୍କ ହୁକୁମ ମାନିବେ । ହେଲେ ପ୍ରଜା ଇଂରେଜଙ୍କ ଏହି କାର୍ଯ୍ୟକୁ ସ୍ୱୀକାର କଲେ ନାହିଁ । ଆଉ ସେଇଠୁ ଆରମ୍ଭ ହେଲା ଆନ୍ଦୋଳନ ।

ଏହି ସମୟରେ ରାମପୁର ରାଜା ଖିଣ୍ଡା ଗାଁକୁ କଲେ ଆକ୍ରମଣ । ଠିକ୍ ଏତିକି ବେଳେ ସୁରେନ୍ଦ୍ରଙ୍କ ମୁଣ୍ଡକୁ ପିତ ଚଢିଗଲା । ସୁରେନ୍ଦ୍ର ଏବଂ ତାଙ୍କ ସାଥୀ ଖିଣ୍ଡା ଗାଁକୁ ଆକ୍ରମଣ କରିଥିବା ରାଜାଙ୍କ ଘରେ ନିଆଁ ଲଗାଇ ଦେଇଥିବା କହେ ଇତିହାସ । ଆତ୍ମରକ୍ଷା ଓ ଆଗାମୀ ଦିନର ରଣନୀତି ପାଇଁ ଯୋଜନା କରୁଥିବା ବେଳେ ଇଂରେଜ ହାତରେ ଧରାପଡ଼ିଲେ ସୁରେନ୍ଦ୍ର ସାଏ ଓ ସାଥୀ ବିପ୍ଲବୀ । ବିଚାରରେ ସୁରେନ୍ଦ୍ର ସାଏଙ୍କୁ ୫ ବର୍ଷ ଜେଲ ଦଣ୍ଡର ରାୟ ଶୁଣାଇଲେ ଇଂରେଜ କୋର୍ଟ । ହେଲେ ନାରାୟଣ ଚାହୁଁଥିଲେ ସୁରେନ୍ଦ୍ରଙ୍କ ଫାଶୀ, ନାହିଁ ତ ସାରା ଜୀବନ କାରାଦଣ୍ଡ । କଳେବଳେ କୌଶଳେ ନାରାୟଣ କୁଟନୀତି ପ୍ରୟୋଗ କଲେ । ଯାହାଫଳରେ ଆଉ ବୀର ସୁରେନ୍ଦ୍ର ସାଏଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଗଲା ।

ହଜାରିବାଗ ଜେଲ । ଗୋଟିଏ ପରେ ଗୋଟିଏ ଦିନ କାଟୁଥାଆନ୍ତି ବୀର ସୁରେନ୍ଦ୍ର ସାଏ । ମନରେ ଚାଲିଥାଏ ଅନେକ କିଛି । ମାଟି ମା’ କଥା, ସମ୍ବଲପୁର କଥା । ବେଳେବେଳେ ତାଙ୍କୁ ଆନ୍ଦୋଳିତ କରେ । ଜେଲର ଚାରିକାନ୍ଥ ଭିତରୁ ସମ୍ବଲପୁରବାସୀଙ୍କ ପାଇଁ ଦେଖୁଥାଆନ୍ତି ଅନେକ ସ୍ୱପ୍ନ । ଇଂରେଜଙ୍କ ଅତ୍ୟାଚାର ତାଙ୍କୁ ବିଚଳିତ କରୁଥିଲା । ହେଲେ କେବେ ବି ଭାଙ୍ଗି ପଡିଥିଲେ ସେ । ଆଗାମୀ ଦିନ ପାଇଁ ଭିତରେ ଭିତରେ କରୁଥିଲେ ରଣନୀତି । ଏହାରି ଭିତରେ ସମ୍ବଲପୁରରେ ଇଂରେଜ ଓ ଜନସାଧାରଣଙ୍କ ବିରୋଧରେ ସଂଘର୍ଷ ଚାଲିଥାଏ । ଯାହାର ତତ୍ୱାବଧାରକ ଥିଲେ ନିଜେ ସୁରେନ୍ଦ୍ର ସାଏ ।

ସାରା ଦେଶରେ ବିଦ୍ରୋହର ବହି୍ନ । ସମ୍ବଲପୁରରୁ ଇଂରେଜମାନଙ୍କୁ ତଡ଼ିବା ପାଇଁ ବୀର ସୁରେନ୍ଦ୍ର ସାଏ ରଣନୀତି କଲେ । ତାଙ୍କୁ ସମର୍ଥନ କଲେ ପ୍ରଜା । ଆନ୍ଦୋଳନ ଉଗ୍ରରୂପ ଧାରଣ କଲା । ଇଂରେଜ ସରକାର ବୀର ସୁରେନ୍ଦ୍ରଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କଲେ । ହେଲେ ସୁରେନ୍ଦ୍ର ସିଧାସିଧା ମନାକରିଦେଲେ । ମା’ ମାଟି ପାଇଁ ଜୀବନ ଦେଇପାରେ ହେଲେ ଫିରଙ୍ଗଙ୍କ ଆଗରେ ଆତ୍ମସମର୍ପଣର ପ୍ରଶ୍ନ ଉଠୁନାହିଁ । ଗୋରା ସାହେବମାନଙ୍କୁ ଏହି କଥା ବହୁତ ବାଧିଲା । ତୁରନ୍ତ ସୁରେନ୍ଦ୍ରଙ୍କୁ ଗିରଫ କରିବାକୁ ଆଦେଶ ଦେଲେ ଲେ ସାହବେ । ଏହାରି ଭିତରେ ଇଂରେଜ ସିପାହୀମାନେ ସୁରେନ୍ଦ୍ରଙ୍କୁ ଘେରିଗଲେ । ଏବଂ ବନ୍ଦୀ କଲେ । ହେଲେ ପୂର୍ବରୁ ଶିଖିଥିବା ଯୁଦ୍ଧକୌଶଳ ତାଙ୍କୁ ବହୁତ ସହଯୋଗ କଲା । ଦେଶ ପାଇଁ, ମା’ ମାଟିର ସୁରକ୍ଷା ପାଇଁ ହଜାର ହଜାର ଇଂରେଜ ସୈନ୍ୟଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଖସିଗଲେ ବୀର ସୁରେନ୍ଦ୍ର ସାଏ । ଆଉ ସେଇଠି ଆରମ୍ଭ ହେଲା ଅସଲ ଲଢେଇ ।

ଗଡ଼ିଲା ଦିନ, ବିତିଲା ସମୟ । ପ୍ରତି ମୁହୁର୍ତ୍ତର ରଣନୀତି ପ୍ରସ୍ତୁତ କରୁଥିଲେ ସୁରେନ୍ଦ୍ର ସାଏ । ସମ୍ବଲପୁରର ବଣପାହାଡ଼ରେ ଘରିବୁଲିଲେ । ଆଉ ସେଇଠାରୁ ଗୋରା ସିପାହୀ ମାନଙ୍କୁ କଲେ ଘନଘନ ଆକ୍ରମଣ । ଇଂରେଜମାନେ ଚଳାଉଥିବା ଥାନା, ପୋଷ୍ଟ ଅଫିସରେ ନିଆଁ ଲଗାଇଦେଲେ । ସମ୍ବଲପୁର ଛାଡ଼ ନାରାରେ ପୁରା ଅଂଚଳ ପ୍ରକମ୍ପିତ ହେଲା । ଏହାରି ଭିତରେ ଗୋରା ସିପାହୀଙ୍କ ଟେନସନ ବଢିଲା । ସବୁ ରଣନୀତି ସୁରେନ୍ଦ୍ରଙ୍କ ଆଗରେ ଫେଲ ମାରିଲା । ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱାଧିନ ବିଦ୍ରୋହକୁ ଦମନ କରିବା ପାଇଁ ଚେଷ୍ଟା କଲେ ଗୋରା ସିପାହୀ, ହେଲେ ଫେଲ ମାରିଲେ ।

ବିଦ୍ରୋହ ଉଗ୍ରରୂପ ଧାରଣ କଲା । ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସମର୍ଥକ ଯେଉଁଠି ଦେଖିଲେ ଇଂରେଜକୁ ହତ୍ୟା କରିବାକୁ ଲାଗିଲେ । ବ୍ରିଟିଶଙ୍କ ଅକଲ ଗୁଡ଼ମ ହେଲା । ବ୍ରିଟିଶ ହାଇକମାଣ୍ଡ ସମ୍ବଲପୁରରେ ନେତୃତ୍ୱ ପରିବର୍ତ୍ତନ କଲେ । ଅଧିକ ସୈନ୍ୟ ସାମନ୍ତ, ଗୋଳାବାରୁଦ ପହଂଚାଇଲେ । ଆଉ ସମ୍ବଲପୁରରେ ଆରମ୍ଭ କଲେ ଦମନଲୀଳା । ଯାହାକୁ ଦେଖିଲେ ବନ୍ଦୀ କଲେ । ହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ । ସମୟ ଗଡ଼ିଲା । ବୀର ସୁରେନ୍ଦ୍ର ସାଏଙ୍କ ଖିଣ୍ଡା ଓ ପାଖ ଗାଁରେ ମୁହାଁମୁହିଁ ହେଲେ । ଗୋଟିଏ ପଟେ ଅତ୍ୟାଧୁନିକ ବନ୍ଧୁକ, ଗୋଳାବାରୁଦ ଓ ଅନ୍ୟପଟେ ଧନୁତୀର ସାଙ୍ଗକୁ ଖଡ୍ଡ ଚାଳନା । ସେ ଦୃଶ୍ୟ ଅତି ଭୟଙ୍କର ।

ଗୁଳିଗୋଳା ଆଗରେ ହାରମାନିଲା ଖଡ୍ଗ, ଧନୁତୀର । ସୁରେନ୍ଦ୍ରଙ୍କ ସାଥୀ ଛତ୍ରଭଙ୍ଗ ଦେଲେ, ଜଙ୍ଗଲରେ ଲୁଚିଲେ । ହେଲେ ହାରମାନିନଥିଲେ ବୀର ସୁରେନ୍ଦ୍ର ସାଏ । ଭିତରେ ଭିତରେ ଚଳାଇଲେ ଗୋଟି । ଏହାରି ଭିତରେ ସୁରେନ୍ଦ୍ର ସାଏ ଓ ତାଙ୍କୁ ସହଯୋଗ କରୁଥିବା ସ୍ୱାଧିନତା ସଂଗ୍ରାମୀଙ୍କ ଘରଦ୍ୱାର ଜଳାଇ ଦିଆଗଲା । ଭାଙ୍ଗି ଦିଆଗଲା । ଇତିହାସ କହେ ଯେ ସୁରେନ୍ଦ୍ର ସାଏଙ୍କ ପଛଘଂଚା ଦେଇନଥିଲେ । ପାହାଡ଼ ଉପରୁ ଆକ୍ରମଣ କଲେ । ଏହାର ଜବାବ ଦେଲେ ଇଂରେଜମାନେ । ହେଲେ ଇଂରେଜମାନଙ୍କ ରଣନୀତିକୁ ସେତିକି ବେଳେ ବୁଝିପାରନଥିଲେ ବିଦ୍ରୋହୀ । ଘମାଘୋଟ ଯୁଦ୍ଧରୁ ପଛକୁ ଯଦିଓ ପ୍ରଥମେ ଇଂରେଜ ସିପାହୀ ଫେରିଲେ ହେଲେ ପୁଣି ଗୁଳିମାଡ଼ କଲେ । ଯାହା ଫଳରେ ଅନେକ ସ୍ୱାଧିନତା ସଂଗ୍ରାମୀଙ୍କ ଜୀବନ ଚାଲିଗଲା ।

ସବୁ ଦୃଶ୍ୟ ଦେଖୁଥାଆନ୍ତି ମହାନ ଯୋଦ୍ଧା ସୁରେନ୍ଦ୍ର । ଭାବିଲେ ଏମିତି ମୋଡ଼ରେ ସେ ଠିଆ ହୋଇଛନ୍ତି ଯେ ସେହି ସମୟରେ ଚିନ୍ତା କରିବା ଭାରି କଷ୍ଟ । ଗୋଟିଏ ପଟେ ଗୋରା ସିପାହୀ ମାନଙ୍କ ଘନଘନ ଆକ୍ରମଣ, ଗୁଳି ବର୍ଷଣ ଅନ୍ୟପଟେ ସାଥୀଙ୍କ ମୃତ୍ୟୁବରଙ୍ଗ ସାଙ୍ଗକୁ ଜେଲଦଣ୍ଡ । ଯଦିଓ ସବୁ ମନକୁ ବ୍ୟଥିତ କରୁଥିଲା ହେଲେ ସମ୍ବଲପୁର ପାଇଁ କେବେ ବି ଇଂରେଜ ହାତକୁ ଦେଇଦେବା ପାଇଁ ଚାହିଁ ନଥିଲେ ବୀର ସନ୍ତାନ । ବଦଳାଇଲେ ରଣନୀତି । ବୀର ସୁରେନ୍ଦ୍ର ସାଏ ରକ୍ତର କ୍ଷିପ୍ରତା ବଢିବାକୁ ଲାଗିଲା । ଧମନୀର ଶଦ୍ଦରେ ପ୍ରକମ୍ପିତ ହେଲା ସମ୍ବଲପୁର । ପଣ କଲେ, ଗୋଟାପଣେ ବିଦେଶୀଙ୍କୁ ସମ୍ବଲପୁରରୁ ତଡ଼ିବି । ନହେଲେ ଏ ଜୀବନ ଥାଇ ଲାଭ କ’ଣ । ବିଦ୍ରୋହୀଙ୍କ ଆକ୍ରମଣ ତେଜ୍ ହେଲା । ଅନେକ ଇଂରେଜଙ୍କୁ ହାଣିପକାଇଲେ । ଗୋଟାଗୋଟା ଜାଳିଦେଲେ । ଏହାପରେ ଇଂରେଜଙ୍କ ଅନ୍ୟାୟ ଅତ୍ୟାଚାର ବୃିବାକୁ ଲାଗିଲା । ଗାଁ ଗାଁରେ ପସିଲେ ଲୁଣ୍ଡନ କଲେ । ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ବଢିଲା ଦୁଷ୍କର୍ମ ସଂଖ୍ୟା ।

ଶେଷରେ ସୁରେନ୍ଦ୍ର ସାଏଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ ଇଂରେଜ । ଆମକୁ ସହଯୋଗ କର । ଆମେ ତୁମକୁ ସମ୍ବଲପୁର ଗାଦିରେ ବସାଇବୁ । ଅନେକ ପ୍ରଲୋଭନ ଦେଖାଇଲେ । ହେଲେ ଏହାକୁ ଗ୍ରହଣ କରିନଥିଲେ ବୀର ସୁରେନ୍ଦ୍ର ସାଏ । ଯାହା ଫଳରେ ତାଙ୍କୁ ଗିରଫ କରାଗଲା । ତାଙ୍କ ଅନେକ ସହଯୋଗୀଙ୍କୁ ମୃତ୍ୟୁ ସହଣ୍ଡ ସହ ସାରା ଜୀବନ କାରାଦଣ୍ଡ ଦିଆଗଲା । ଇତିହାସ କହେ ଗୋଟେ ସମୟରେ ସୁରେନ୍ଦ୍ର ସାଏକୁ ମକ୍ତ କରାଯିବାର ବ୍ୟବସ୍ଥା ହେଲା । ହେଲେ ବଡ଼ଲାଟ ଏହାକୁ ଗ୍ରହଣ କରିପାରୁନଥିଲେ । ଆଉ ତାଙ୍କୁ ମୁକ୍ତ କରାଯିବା ବ୍ୟବସ୍ଥା ଉପରେ ରୋକ୍ ଲଗାଇଲେ । ସାଥୀଙ୍କୁ ହରାଇ, ମୃତ୍ୟୁଦଣ୍ଡ, ସାରା ଜୀବନ କାରାବାସ ଦେଖି ଭାଭ୍‌ଗି ପଡ଼ିଥିଲେ ବୀର ସୁରେନ୍ଦ୍ର ସାଏ । ମନେପଡୁଥାଏ ଜନ୍ମମାଟି କଥା । ସମ୍ବଲପୁର କଥା । ଅସହ୍ୟ ହେଲା ବନ୍ଦୀ ଜବୀନ ।

କାରଣ ଗୋଟିଏ ସମୟ ଆସିଲା ସେ ଏକା ଅନୁଭବ କଲେ । ବୟସ ତାଙ୍କୁ ଆଉ ସାଥ୍ ଦେଳା ନାହିଁ । ଜେଲର ଚାରିକାନ୍ଥ ମଧ୍ୟରେ ଏପଟ ସେପଟ ହେବାକୁ ଲାଗିଲେ । ଚମ ଧଡ଼ଧଡ଼ । ଆଖିରେ ଆଖିଏ ସ୍ୱପ୍ନ । ହେଲେ ବୟସ ବାରଣ କରୁଛି ଯୁଦ୍ଧ କରିବାକୁ । ବୀର ସୁରେନ୍ଦ୍ର ସାଏଙ୍କ ମୁଦ୍ରି ଆଖିରୁ ଧାରଧାର ଲୁହ ବହିଯାଉଥାଏ । ସେ ନିର୍ବାକ । କରିବେ ବା କ’ଣ? ଆଉ ଶେଷରେ ୧୮୯୪ ମସିହା ଫେବୃଆରୀ ୨୮ ତାରିଖରେ ଏହି ମହାନ କଳାଜୟୀ ପୁରୁଷଙ୍କ ମୃତ୍ୟୁହେଲା । ସମ୍ବଲପୁରବାସୀ ନିଜ ସୁଯୋଗ୍ୟ ସନ୍ତାନକୁ ହରାଇଲେ । ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ବୀର ସୁରେନ୍ଦ୍ର ସାଏ ଅମର ରହେ । ଗାଁଠୁ ସହର ଏ ଧ୍ୱନୀ ପ୍ରକମ୍ପିତ ହେବାକୁ ଲାଗିଲା । ବୀର ସୁରେନ୍ଦ୍ର ସାଏ । ଦେଶ ପାଇଁ ସମ୍ବଲପୁର ପାଇଁ ମୃତ୍ୟୁବରଣ କରିଛନ୍ତି ସତ । ହେଲେ ମା’, ମାଟି ପାଇଁ ତାଙ୍କର ଭଲପାଇବା କେବେ ବି ମରିବ ନାହିଁ । ସେ ଅମର । ସବୁଦିନ ମନେ ରହିବେ ଏହି କାଳଜୟୀ ପୁରୁଷ ବୀର ସରେନ୍ଦ୍ର ସାଏ ।

Leave A Reply

Your email address will not be published.