Before Header

ଲକଡାଉନରେ ଯୋଗ

0 36

(ବଡ଼ ଖବର ବ୍ୟୁରୋ): କରୋନାର ଚେନ୍ ଭାଙ୍ଗିବା ଦରକାର । ଏଥିପାଇଁ ଜାରି ହୋଇଛି ଲକ୍ ଡାଉନ୍ । ତାଲା ବନ୍ଦରେ ରହିବେ ସମସ୍ତେ । ଘରୁ ବାହାରିବା ମନା । ତେବେ ଏହି ଲକ୍ ଡାଉନ ସମୟରେ କଣ କରିବେ, କେମିତି ନିଜକୁ ସୁସ୍ଥ ରଖିବେ, ଏହି ସମୟର ସଠିକ୍ ଉପଯୋଗ କରିବେ । ସେ ବିଷୟରେ ଆପଣ ନିହାତି ଜାଣିବା ଦରକାର ଓ କାମରେ ଲଗାଇବା ଦରକାର । ଆଜି ଆମେ କଥା ହେବା ଲକଡାଉନରେ ଘରେ ଆପଣ କଣ ଯୋଗାସନ କରିବେ, ଯାହା ଆପଣଙ୍କୁ ଶାରିରୀକ ଓ ମାନସିକ ସ୍ତରରେ ପ୍ରଫୁଲ୍ଲିତ ରଖିବ । ବଢ଼ିଚାଲିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟବ୍ୟାପି ଘୋଷଣା କରିଛନ୍ତି ୧୪ ଦିନିଆ ଲକଡାଉନ । ଏହି ସମୟର ସଦଉପଯୋଗ କରିବା ନିହାତି ଆବଶ୍ୟକ ।

ତେବେ ୨୦୨୦ରେ ହୋଇଥିବା ଲକଡାଉନ ସମୟରେ କଣ କରିବା ଉଚିତ କଣ ନକରିବା ଅନୁଚିତ ଏନେଇ କୁହାଯାଇଥିଲା । ତଥାପି କିଛି ଲୋକ ଏହାର ସଦ୍ଉପଯୋଗ କରିପାରି ନଥିଲେ । କିନ୍ତୁ ବର୍ତ୍ତମାନ ପୁଣି ତାଲାବନ୍ଦ ପରିସ୍ଥିତି ଏହି ସମୟକୁ ଉଚିତ ମାଧ୍ୟମରେ ବ୍ୟବହାର କରିବା ନିହାତି ଆବଶ୍ୟକ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟରେ ଆମେ କିପରି ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବା ? ନିୟମିତ ଯୋଗ ପ୍ରାଣାୟମ ମାଧ୍ୟମରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏହାଛଡ଼ା ପ୍ରତିଦିନ ଆସୁଥିବା ନକରାତ୍ମକ ଖବର ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି । ଅର୍ଥାଭାବ, ଚାରିକାନ୍ଥ ମଧ୍ୟରେ ବନ୍ଦ ହୋଇ ରହିବା ସୁସ୍ଥ ମଣିଷକୁ ଚିନ୍ତାଗ୍ରସ୍ତ କରାଇଥାଏ । ମାନସିକ ଅଶାନ୍ତିକୁ ମଧ୍ୟ ବୃଦ୍ଧି କରାଇଥାଏ । ତେବେ ଏହି ସମୟରେ କେବଳ ଯେ, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ଆବଶ୍ୟକ ତାହା ନୁହେଁ ମନକୁ ଶାନ୍ତ ରଖିବା ବି ଅତ୍ୟନ୍ତ ଜରୁରି । ଚିନ୍ତା କିମ୍ବା ଚାପ ବୃଦ୍ଧି ହେବା ସାଧାରଣତଃ ସ୍ନାୟୁ ନଷ୍ଟ ହେବାର ଆଶଙ୍କା ରହିଛି । ଯାହାଦ୍ୱାରା ରକ୍ତଚାପ ବୃଦ୍ଧି ଘଟିଥାଏ । ଆଉ ଏହାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ ହୋଇଥାଏ ଯୋଗ । ଶାରୀରିକ ଓ ମାନସିକ ଭାବେ ନିଜକୁ ସୁସ୍ଥ ରଖିବାକୁ ହେଲେ ଯୋଗ ଅତ୍ୟନ୍ତ ଜରୁରି । ଆଉ ଏଥିପାଇଁ ଅଧିକାଂଶ ଲୋକ ସମୟର ଅଭାବ ଥିବା କହିଥାନ୍ତି । ତେବେ ଏହି ତାଲାବନ୍ଦ ସମୟ ଏସବୁ ପାଇଁ ଏକ ଉକ୍ରୃଷ୍ଟ ସମୟ । ଏହି ସମୟରେ ବିଭିନ୍ନ ଯୋଗାସନ କରିବାକୁ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହି ଆସନ ମଧ୍ୟରୁ ତାଡ଼ାସନ, ଅର୍ଦ୍ଧଚନ୍ଦ୍ରାସନ, ଶଲବାସନ, ଅଞ୍ଜନାୟସନ, ବକାସନ, ଦଣ୍ଡାସନ, ଭୁଜଙ୍ଗାସନ, ତ୍ରିକୋଣାସନ ଭଳି ଆସନ ଆମେ ଘରେ ରହି ଲକଡାଉନ ମଧ୍ୟରେ ଅଭ୍ୟାସ କରିପାରିବା । ଏହି ସବୁ ବ୍ୟତୀତ ଅନ୍ୟାନ୍ୟ ଆସନ ମଧ୍ୟ ରହିଛି । ନିୟମିତ ଧ୍ୟାନ କରିବା ମଧ୍ୟ ନିହାତି ଆବଶ୍ୟକ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ମାନସିକ ଶାନ୍ତି ମଧ୍ୟ ବଜାୟ ରହିବ ।
ତାଡ଼ାସନ- ଦୁଇ ପାଦକୁ ନିଜ କାନ୍ଧ ସହିତ ସମାନ କରି ଚଟାଣ ଉପରେ ଠିଆ ହୁଅନ୍ତୁ । ଏହାପରେ ନିଶ୍ୱସ ନେବା ସହିତ ପାଦ ଆଙ୍ଗୁଠି ଉପରେ ଛିଡ଼ା ହୋଇ ଦୁଇହାତକୁ ନିଜ ମୁଣ୍ଡ ଉପରକୁ ନିଅନ୍ତୁ, ଯେପରି ସମ୍ପୂର୍ଣର୍ ଶରୀର ଟାଣି ହେଉଥିବ । ନିଶ୍ୱାସ ଛାଡ଼ିବା ସହିତ ପୁଣି ଦୁଇ ପାଦରେ ଛିଡ଼ା ହୁଅନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଆଣ୍ଠୁ ନଭାଙ୍ଗିବ ।
ଚକ୍ରାସନ- ଏହାକୁ ଅର୍ଦ୍ଧଚନ୍ଦ୍ରାସନ ମଧ୍ୟ କୁହାଯାଏ । ଏଥିପାଇଁ ପାଦକୁ ସମାନ୍ତରାଳ ଭାବେ ରଖି ଆଣ୍ଠୁକୁ ବଙ୍କା କରି ପ୍ରଥମେ ବସନ୍ତୁ । ହାତ ଓ ପାଦର ଆଙ୍ଗୁଠି ଯେପରି ଗୋଟିଏ ଦିଗକୁ ହିଁ ରହିବ । ଏହାପରେ ଧୀରେ ଧୀରେ ପାଦ ଓ ହାତକୁ ଚଟାଣରେ ରଖି ମୁଣ୍ଡକୁ ତଳକୁ କରି ଶରୀରକୁ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ । ଧୀରେ ଧୀରେ ପାପୁଲିକୁ ଅଧିକ ଓଜନ ଆଣି ସମ୍ପୂର୍ଣ୍ଣ ଶରୀରକୁ ଉପରକୁ ଉଠାନ୍ତୁ । ଶରୀରର ସ୍ଥିତି ବଜାୟ ରଖି ଧୀରେ ଧୀରେ ମୁଣ୍ଡକୁ ଝୁଲିବାକୁ ଦିଅନ୍ତୁ । ଧ୍ୟାନ ରଖନ୍ତୁ ଯେପରି ବେକ ଟାଣି ନହୁଏ । ତେବେ ସ୍ଥିତିରୁ ବାହାରିବା ପାଇଁ ବାହୁ ଓ ଗୋଡ଼କୁ ତଳକୁ ଖସାନ୍ତୁ । ଶରୀରକୁ ପୁଣି ତଳକୁ ଫେରାଇ ଆଣନ୍ତୁ ।
ଶାଲବାସନ- ଏହି ଆସନ କରିବା ପାଇଁ ପ୍ରଥମେ ପେଟ ମାଡ଼ି ଶୁଅନ୍ତୁ । ପରେ ହାତକୁ ଜଙ୍ଘ ପାଖରେ ପାପୁଲିକୁ ତଳକୁ କରି ରଖନ୍ତୁ । ନିଶ୍ୱାସ ନେଇ ଡାହାଣ ଗୋଡ଼କୁ ଉପରକୁ ଉଠାନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ହିପ ନଉଠି କେବଳ ଗୋଡ଼ ହିଁ ଉପରକୁ ଉଠେ । ୧୦ ସେକେଣ୍ଡ ଏପରି ରଖିବା ପରେ ଡାହାଣ ଗୋଡ଼ ତଳକୁ କରି ବାମ ଗୋଡ଼ରେ ଏହି ପ୍ରକ୍ରିୟା ଦୋହରାନ୍ତୁ । ଆଉ ଶେଷରେ ଦୁଇଗୋଡ଼କୁ ଏକ ସମୟରେ ନିଶ୍ୱାସ ନେଇ ଉପରକୁ ଉଠାନ୍ତୁ । ଏପରି ଭାବେ ଏକ ମିନିଟ ପର୍ଯ୍ୟନ୍ତ କରନ୍ତୁ ।
ଏପରି ଅନେକ ଆସନ ରହିଛି ଯାହାର ସଠିକ ଭାବରେ କରିବା ଉଚିତ । କରୋନା ସମୟରେ ଏପରି କିଛି ଆସନ ଦ୍ୱାରା ମାନସିକ ଶାନ୍ତି ଫେରିବା ସହ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଯୋଗନିଦ୍ରା ଦ୍ୱାରା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇ ପାରେ । ଏହା ମାନସିକ ଅବସ୍ଥାକୁ ଚାପଗ୍ରସ୍ତରୁ ମୁକ୍ତ ରଖିବାରେ ସହାୟକ ହୋଇଥାଏ । ପ୍ରତିଦିନ ଯୋଗ କରିସାରି ୨୦ ମିନିଟ ଯୋଗନିଦ୍ରା କରିବା ନିହାତି ଜରୁରି ।

Leave A Reply

Your email address will not be published.