Before Header

ହିନ୍ଦୀ ସିନେମା @ ୧୦୮

0 32

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ହିନ୍ଦୀ ସିନେମାକୁ ପୂରିଛି ୧୦୮ବର୍ଷ । ୧୯୧୩ରେ ମୁକ୍ତିଲାଭ କରିଥିଲା ଦେଶର ପ୍ରଥମ ଚଳଚ୍ଚିତ୍ର । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ସିନେମା ସାଉଁଟିଛି ଅନେକ ଭଲ ପାଇବା । ଅନେକ ପରିବର୍ତ୍ତନ ଦେଇ ଗତି କରିଛି ସିନେ ଜଗତ । ୧୯୧୩ରୁ ଆରମ୍ଭ ହୋଇଥିବା ଗୋଟିଏ ଚଳଚ୍ଚିତ୍ରରୁ ବର୍ତ୍ତମାନ ବର୍ଷକୁ ବିଭିନ୍ନ ଭାଷାରେ ଭାରତରେ ମୁକ୍ତିଲାଭ କରୁଛି ୧୮୦୦ରୁ ଉଦ୍ଧ୍ୱର୍ ଫିଲ୍ମ । ୨୦୧୯ର ରିପୋର୍ଟ ଅନୁସାରେ ଚଳଚ୍ଚିତ୍ର ଜଗତର ଆୟ ହେଉଛି ୧୯୧ ବିଲିଅନ । ତେବେ ରାଜା ହରିଶ୍ଚନ୍ଦ୍ର୍ର ଥିଲା ଦେଶର ପ୍ରଥମ ଚଳଚ୍ଚିତ୍ର । ୧୦୮ ବର୍ଷରେ ପହଞ୍ଚିଛି ହିନ୍ଦୀ ସିନେମା । ଏହା ମଧ୍ୟରେ ଅନେକ ପରିବର୍ତ୍ତନ ଦେଇ ଗତି କରିଛି ଚଳଚ୍ଚିତ୍ର ଜଗତ । ୧୯୧୩ରେ ଭାରତରେ ପ୍ରଥମେ ମୁକ୍ତି ଲାଭ କରିଥିଲା ପ୍ରଥମ ହିନ୍ଦୀ ସିନେମା “ରାଜା ହରିଶ୍ଚନ୍ଦ୍ର’ ।

ଏହାର ନିର୍ଦ୍ଦେଶକ ତଥା ପ୍ରଯୋଜକ ଥିଲେ ଦାଦା ସାହେବ ଫାଲକେ । ୧୯୦୬ରେ ବମ୍ବେ ଥିଏଟରରେ ଏକ ଇଂରାଜୀ ଚଳଚ୍ଚିତ୍ର ଦେଖି ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ ଫାଲକେ ସାହେବ । ପରେ ସେ ଲଣ୍ଡନ ଯାଇ ଚଳଚ୍ଚିତ୍ର ନିର୍ମାଣର କୌଶଳ ଶିଖିଥିଲେ । ଆଉ ସେଠାରେ ଫାଲକେ ଫିଲ୍ମସ କମ୍ପାନୀ ପ୍ରତିଷ୍ଠା କରିଥିଲେ । ଲଣ୍ଡନରୁ ଫେରି ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ରରୁ ଚଳଚ୍ଚିତ୍ର ନିର୍ମାଣ ଏବଂ ପ୍ରଦର୍ଶନ ପାଇଁ ଆବଶ୍ୟକ ସାମଗ୍ରୀ ଆମଦାନୀ କରିଥିଲେ । ରାଜା ହରିଶ୍ଚନ୍ଦ ଥିଲା ଭାରତର ପ୍ରଥମ ସମ୍ପୂର୍ଣ୍ଣ ଫିଚର ଚଳଚ୍ଚିତ୍ର । ସେତେବେଳେ ଚଳଚ୍ଚିତରେ ଲିଡ଼ ପାଇଁ କୌଣସି ମହିଳା ଆଗ୍ରହ ଦେଖାଉ ନଥିଲେ । ପୁରୁଷଙ୍କୁ ହିଁ ମହିଳାଙ୍କ ଚରିତ୍ରରେ ଅଭିନୟ କରିବାକ୍ୁ ପଡିଥିଲା । ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ୬ମାସ ୨୭ ଦିନ ସମୟ ଲାଗିଥିଲା । ଏହି ସମୟ ମଧ୍ୟରେ ୩ହଜାର ୭୦୦ ଫୁଟର ପ୍ରାୟ ୪ଟି ରିଲ ନିର୍ମାଣ କରାଯାଇଥିଲା ।

ପୂର୍ବରୁ ଭାରତୀୟଙ୍କ ସିନେମା ସହ କୌଣସି ସମ୍ପର୍କ ନଥିଲା । ରାଜା ହରିଶ୍ଚନ୍ଦ୍ର ସମ୍ପୂର୍ଣର୍ ନିର୍ବାକ ଚଳଚ୍ଚିତ୍ର ଥିିଲା । ଅର୍ଥାତ ଏହି ଚଳଚ୍ଚିତ୍ରରେ କୌଣସି ଡାଏଲଗ କୁହାଯାଇ ନଥିଲା । କାହାଣୀକୁ କେବଳ ଅଙ୍ଗଭଙ୍ଗୀ ମାଧ୍ୟମରେ ହିଁ କୁହାଯାଇଥିଲା । ଏଥିରେ ଡି ଡି ଡାବକେ ରାଜା ହରିଶ୍ଚନ୍ଦ୍ର ଭୂମିକାରେ ଅଭିନୟ କରିଥିବା ବେଳେ ଆନ୍ନା ସଲୁଙ୍କେ ଶବ୍ୟା ଭୂମିକାରେ ଅଭିନୟ କରିଥିଲେ । ସେତେବେଳେ ୧୫ହଜାର ବଜେଟରେ ରାଜା ହରିଶ୍ଚନ୍ଦ୍ର ନିର୍ମାଣ କରାଯାଇଥିଲା । ରାଜା ହରିଶ୍ଚନ୍ଦ୍ରଙ୍କ ଜୀବନିକୁ ଅତି ନିଖୁଣ ଭାବରେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ନିକଟରେ ଦର୍ଶଯାଇଥିଲା । ତେବେ ଏହି ଚଳଚ୍ଚିତ୍ର ଦ୍ୱାରା ଦାଦା ସାହେବ ଫାଲକେ ବ୍ରିଟିଶମାନଙ୍କ ବିରୋଧରେ ଲଢ଼ିବାକୁ ଲୋକଙ୍କୁ ପ୍ରେରଣା ମଧ୍ୟ ଯୋଗାଇଥିଲେ । କେହି କେହି ଏହି ଚଳଚ୍ଚିତ୍ରକୁ ବ୍ରିଟିଶ ବିରୋଧ ଆନ୍ଦୋଳନର ମୂଳଦୁଆ ବୋଲି ମଧ୍ୟ କୁହନ୍ତି । ରାଜା ହରିଶ୍ଚନ୍ଦ୍ରଙ୍କ ମହାନତାକୁ ଏହା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯାଇଥିଲା । ଜଣେ ସାଧୁ କିପରି ତାଙ୍କ ମହାନତାର ଫାଇଦା ଉଠାଇ ତାଙ୍କ ସିଂହାସନକୁ ଛଡ଼ାଇ ନେଇଥିଲେ ତାହା ଏଥିରେ ବର୍ଣ୍ଣନା କରାଯାଇଛି । ରାଜା ହରିଶ୍ଚନ୍ଦ୍ରଙ୍କୁ ଭାରତ ସହ ତୁଳନା କରାଯାଇଥିବା ବେଳେ ସିଂହାସନ ଛଡ଼ାଇ ନେଇଥିବା ଲୋକଙ୍କୁ ବ୍ରିଟିଶମାନଙ୍କ ସହ ତୁଳନା କରାଯାଏ ବୋଲି କୁହାଯାଏ । ଯାହା କି ଲୋକଙ୍କୁ ବ୍ରିଟିଶ ମାନଙ୍କ ବିରୋଧରେ ଆନ୍ଦୋଳନର ଖୋରାକ ଯୋଗାଇଥିଲା ।

ଏହି ଚଳଚ୍ଚିତ୍ରକୁ ପ୍ରଥମେ ୨୧ ଏପ୍ରିଲ ୧୯୧୩ରେ ବମ୍ବେର ଅଲିମ୍ପିଆ ଥିଏଟରରେ ପ୍ରଦର୍ଶିତ ହୋଇଥିଲା । ୩ମେ ୧୯୧୩ରେ ଗିରିଗାଓଁର କରୋନେସନ ସିନେମାଟୋଗ୍ରାଫ୍ ଏବଂ ଅନ୍ୟାନ୍ୟ ହଲରେ ଏହା ବ୍ୟବସାୟିକ ସଫଳତା ପାଇଥିଲା । ଯାହାକି ଦେଶରେ ଚଳଚ୍ଚିତ୍ର ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା । ତେବେ ଏହି ଚଳଚ୍ଚିତ୍ରର ଅଳ୍ପ କିଛି ଅଂଶ ଏବେ ହଜିଯାଇଛି । ପ୍ରଥମ ଏବଂ ଶେଷ ରିଲ ଗୁଡ଼ିକ ଭାରତୀର ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାରରେ ସଂରକ୍ଷିତ ରଖାଯାଇଛି । ତେବେ ଏହା ମଧ୍ୟରେ ବି କିଛି ଐତିହାସିକ ୧୮ ମେ ୧୯୧୨ରେ ମୁକ୍ତିଲାଭ କରିଥିବା ଭାରତୀୟ ଚଳଚ୍ଚିତ୍ର ଦାଦାସାହେବ ଟର୍ନଙ୍କ ଚଳଚ୍ଚିତ୍ର ଶ୍ରୀ ପାଣ୍ଡାଲିକ ବୋଲି ମତ ଦିଅନ୍ତି । କିନ୍ତୁ ଭାରତ ସରକାର ରାଜା ହରିଶ୍ଚନ୍ଦ୍ର ଚଳଚ୍ଚିତ୍ରକୁ ଦେଶର ପ୍ରଥମ ଚଳଚ୍ଚିତ୍ର ଭାବେ ସ୍ୱୀକୃତି ଦେଇଛନ୍ତି । ୧୯୧୩ରୁ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେ ଜଗତ ଅପୂର୍ବ ସଫଳତା ହାସଲ କରିଛି । ସଫଳ ବ୍ୟବସାୟ ଭାବେ ଫିଲ୍ମ ଶିଳ୍ପ ଭାରତରେ ଆଜି ପର୍ଯ୍ୟନ୍ତ ତିଷ୍ଟି ପାରିଛି । ଆଉ ଏସବୁର ମୂଳଦୁଆ ପକାଇଛି “ରାଜା ହରିଶ୍ଚନ୍ଦ୍ର’ । ୧୦୮ ବର୍ଷର ଏହି ଲମ୍ବା ସଫଳତା ଭାରତୀୟ ସିନେମାକୁ ଆହୁରି ଆଗକୁ ନେଇଯାଉ ଏହି ହିଁ ବଡ଼ ଖବରର କାମନା ।

Leave A Reply

Your email address will not be published.