ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଉ ତିନିମାସ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ । ଘୋଷଣା କଲେ ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ । ଅତିରିକ୍ତ ଚାଉଳ ବଣ୍ଟନ ଶେଷ କରିବାକୁ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯ ଜିଲ୍ଲାରେ ମୋଟ ୨ କୋଟି ୪୦ଲକ୍ଷ ହିତାଧିକାରୀ ଉପକୃତ ହେବେ । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ପ୍ରତି ମାସରେ ଅତିରିକ୍ତ ୫ କିଲୋ ଚାଉଳ ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ସେପ୍ଟେମ୍ୱରରୁ ନଭେମ୍ୱର ପର୍ଯ୍ୟନ୍ତ ତିନି ମାସ ପାଇଁ ଏହି ୫ କେଜି ଅଧିକ ଚାଉଳ ପ୍ରଦାନ କରାଯିବ । ଏ ବାବଦରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୦ ଲକ୍ଷ ୫୭ ହଜାର କ୍ୟୁଣ୍ଟାଲ ଚାଉଳ ଯୋଗାଇ ଦିଆଯାଇଛି । ନଭେମ୍ବର ୧୦ ତାରିଖ ସୁଦ୍ଧା ଏହି ଅତିରିକ୍ତ ଚାଉଳ ବଣ୍ଟନ ଶେଷ କରିବାକୁ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ପ୍ରମୁଖ ଜିଲ୍ଲାରେ ପରିବାର ପିଛା ଏହି ଅତିରିକ୍ତ ୫ କେଜି ଚାଉଳ ମିଳିବ ।
ଏହି ଅତିରିକ୍ତ ଚାଉଳ ପୂର୍ବ ଭଳି ଆଧାର ସଂଯୁକ୍ତ ହିତାଧିକାରୀଙ୍କୁ ହିଁ ମିଳିବ । କେବଳ ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ୍ (ଇ-ପିଓଏସ୍) ଯନ୍ତ୍ର ମାଧ୍ୟମରେ ବଣ୍ଟନ କରାଯିବ । ଏହି ଯୋଜନା ଦ୍ୱାରା ୧୯ ଟି ଜିଲ୍ଲାର ୭୦.୪୭ ଲକ୍ଷରୁ ଅଧିକ ପରିବାରର ପ୍ରାୟ ୨.୪୦ କୋଟି ଲୋକ ଉପକୃତ ହେବେ । ପୂର୍ବରୁ ୩୫ କିଲୋଗ୍ରାମ ଚାଉଳ ପାଉଥିବା ପ୍ରତ୍ୟେକ ଅନ୍ତ୍ୟୋଦୟ ପରିବାରକୁ ଏବେ ତିନି ମାସ ପାଇଁ ୪୦ କିଲୋଗ୍ରାମ ମିଳିବ । ଡିଲରମାନଙ୍କୁ ଫିଙ୍ଗରପ୍ରିଣ୍ଟ ସ୍କାନର ପରିବର୍ତ୍ତେ ଆଇରିସ୍ ଡିଭାଇସ୍ ବ୍ୟବହାର କରିବାକୁ କୁହାଯାଇଛି । କେବଳ ବୟସ୍କ, ଭିନ୍ନକ୍ଷମ, ଗୁରୁତର ଅସୁସ୍ଥ ଏବଂ କୁଷ୍ଠ ରୋଗୀଙ୍କ ଭଳି ମାମଲାରେ କୋହଳ କରାଯାଇଛି ।
