(ବଡ଼ ଖବର ବ୍ୟୁରୋ) ମମିତା ମେହେର ହତ୍ୟାକାଣ୍ଡ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର କରିବା ପାଇଁ ଆନ୍ଦୋଳନ ଆହୁରି ଜୋରଦାର ହୋଇଛି । ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆ ଯିବ କି ନାହିଁ, ସିବିଆଇ ତଦନ୍ତ ହେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ । ସେ ଆହୁରି କହିଛନ୍ତି, ସିଏଜ ମଧ୍ୟ ଉକ୍ତ କଲେଜରେ ଖର୍ଚ୍ଚ ହୋଇଥିବା ପଶ୍ଚିମ ଓଡ଼ିଶା ପାଣ୍ଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୃତ ମମିତାଙ୍କ ପରିବାର ଲୋକେ ମଧ୍ୟ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ କିଛି ନ ଜାଣିବା ପରି ଚୁପ ରହିଛନ୍ତି ।
ସେପଟେ କଂଗ୍ରେସ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ଦିବ୍ୟଶଙ୍କର ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଢୁଆଳରେ ରହି ନିଜର କଳା କାରନାମା ଚଳାଇଥିଲା ଗୋବିନ୍ଦ । ତେବେ ଗୋବିନ୍ଦକୁ ଜାଣିଶୁଣି ଆଖୁ କିଆରିରେ ଲୁଚା ଯାଇଥିଲା । ଗୋବିନ୍ଦର କଲ ଡିଟେଲ୍ସ ଯାଞ୍ଚ ଦାବି ସହ ରାଜ୍ୟପାଳ ଆର୍ଟିକିଲ – ୧୫୪, ୧୫୯ ଅନୁସାରେ ନିଜ କ୍ଷମତାର ଉପଯୋଗ କରି କାର୍ଯ୍ୟନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସର ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି ।