ଭୁବନେଶ୍ୱର (ସମାଲୋଚନା ବୁ୍ୟରୋ): ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ । ବଡ଼ ଚାଲାକିରେ ନିଜର ତମାମ ଅପରଗତାକୁ ସହାନୁଭୂତିରେ ପରିବର୍ତ୍ତିତ କରିଥିଲେ । ଯେମିତି ନିଜ ଜିନ୍ସ, ଟି-ସାର୍ଟକୁ ଖୋଲି ଦେଇ ଇଚ୍ଛା ନଥିଲେ ବି କୁର୍ତ୍ତା ପାଇଜାମା ପିନ୍ଧିଥିଲେ । ନବୀନ ବାସ୍ତବରେ କ’ଣ ତାହା ଆଜି ବି କୋଟି କୋଟି ଓଡ଼ିଆ ଲୋକ ଜାଣନ୍ତି ନାହିଁ । ଯେମିତି ବିଜୁବାବୁ ଯେତିକି ସମ୍ମାନ ପାଇବା କଥା ତାହାଠୁ ଅଧିକ ପାଇଛନ୍ତି ନବୀନ ବାବୁଙ୍କ କ୍ଷେତ୍ରରେ ବି ତାହା ହୋଇଛି । ଗୋଟେ ସମୟରେ ଏମିତି ଲାଗୁଥିଲା ସତେ ଯେମିତି ମଧୁବାବୁ, ଗୋପବନ୍ଧୁ, ଫକୀରମୋହନ, ଗଙ୍ଗାଧର ମେହେର, ନବକୃଷ୍ଣ ଚୌଧୁରୀ ଏପରିକି ନେତାଜୀ ସୁବାସ ବୋଷ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ବାଜି ରାଉତଙ୍କଠୁ ନେଇ ସାରଳା ଦାସ, ବଳରାମ ଦାସ, ଉପେନ୍ଦ୍ର ଭଞ୍ଜ ସମସ୍ତଙ୍କ ଠାରୁ ବଡ଼ ହେଉଛନ୍ତି ବିଜୁ ପଟ୍ଟନାୟକ । ଗୋଟେ ସରକାର କେଉଁ ମହାପୁରୁଷଙ୍କୁ ସମ୍ମାନ ଦେବା ଭୁଲ୍ ନୁହେଁ । ହେଲେ ତାହା ଅର୍ଥ ନୁହେଁ, ଭୋଟ୍ ରାଜନୀତି ପାଇଁ ଗୋଟେ ଜାତିର ସମସ୍ତ ପୁଜ୍ୟଙ୍କୁ ପଛ କରିଦେଇ କେବଳ ଜଣଙ୍କ ବନ୍ଦନା ହେବ । ଅବଶ୍ୟ ଏ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଉ ଦିନେ ‘ସମାଲୋଚନା’ରେ ପ୍ରକାଶ ପାଇବ । ଆଜି ମୁଖ୍ୟତଃ ଆଲୋଚନା କରିବା ଓ ଓଡ଼ିଆ ଜାତିକୁ ପ୍ରଶ୍ନ କରିବା ନବୀନ ପଟ୍ଟନାୟକ ବଡ଼ ନା ଶ୍ରୀଲିଙ୍ଗରାଜ ବଡ଼? କାହିଁକି ଆମେ ଏଭଳି ପ୍ରଶ୍ନ କରୁଛୁ ଆପଣ ଏ ରିପୋର୍ଟ ପଢ଼ିଲେ ବୁଝିପାରିବେ ।
ଆନ୍ଧ୍ରରେ ସରକାର ବଦଳିଲା । ଓଡ଼ିଶାରେ ବି ସରକାର ବଦଳିଲା । ଆନ୍ଧ୍ରରେ ଲୋକେ ପୂର୍ବ ସରକାରର ଦୁର୍ନୀତି ବିରୋଧରେ ଭୋଟ୍ ଦେଇଛନ୍ତି । ତେଣୁ ନୂଆ ସରକାର କ୍ଷମତା ଆସୁ ଆସୁ ପ୍ରଥମ ଆକ୍ସନ ଭାବରେ ବେଆଇନ ଭାବେ ନିର୍ମିତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ବଙ୍ଗଳାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଠିକ୍ ସେତିକି ବେଳେ ଆମର ବି ଗୋଟିଏ ବଙ୍ଗଳା ଉପରେ ନଜର ପଡୁଛି । ସେ ବଙ୍ଗଳା ହେଉଛି ବିଜୁ ବାବୁଙ୍କଠୁ ନେଇ ନବୀନ ଶାସନ ଯାଏଁ କ୍ଷମତା ବଳରେ ବଳିୟାନ୍, ଏପରିକି ଦେବ ଦେବ ମହାଦେବ ଶ୍ରୀଲିଙ୍ଗରାଜଙ୍କ ଜମିକୁ ମାଡ଼ିବସିବାକୁ ପଛାଇ ନଥିବା ‘ନବୀନ ନିବାସ’ । ଏ ଶବ୍ଦ ଦେଖିଲା ବେଳେ ବିଜେଡିର କିଛି ଅନ୍ଧ ଚାଟୁକାରଙ୍କୁ ପସନ୍ଦ ହେବ ନାହିଁ । କିନ୍ତୁ ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଆମ ପାଇଁ କେଉଁ ନବୀନ, ପାଣ୍ଡିଆନ୍, କିମ୍ବା ନବୀନ ନିବାସ ବଡ଼ ନୁହେଁ । ଆମ ପାଇଁ ବଡ଼ ଆଇନ୍ ଓ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ । ଯିଏ ସରକାରରେ ଥାଏ ସେ ନିଜ ସୁଖସୁବିଧା ନୁହେଁ, ବରଂ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ଉଚିତ୍ । ସେ ସର୍ବପ୍ରଥମେ ଆଇନକୁ ସମ୍ମାନ ଦେବା ଉଚିତ୍ । କିନ୍ତୁ ଆଇନ ତା’ ବାଟରେ ଯିବ ବୋଲି ସବୁବେଳେ କହୁଥିବା ନବୀନ ବାବୁଙ୍କର ଦେଖାଇବା ଦାନ୍ତ ଗୋଟେ, ଖାଇବା ଦାନ୍ତ ଗୋଟେ ।
ଯେମିତି ତାଙ୍କ ପରାଜୟ ପରେ ଅଚାନକ ବିଜୁ ଜନତା ଦଳର ଆଇଟି ସେଲ୍ର ଲୋକମାନେ ଗୋଟେ ଅଭିଯାନ ଚଳାଇଲେ ମୋହନ ମାଝୀ ହେଉଚନ୍ତି ସୁନା କିନ୍ତୁ ନବୀନ ବାବୁ ହୀରା । ପୁରୁଣା ଫଟୋସବୁ ଯୋଡ଼ି ଗୀତ ଭିଡିଓ ବନାଇ ରିଲ୍ସ କରି ଛାଡ଼ିଲେ । ଆମ ଲୋକ ବି ଏତେ ସରଳିଆ ବୁଝି ପାରୁନାହାନ୍ତି ଯିଏ କ୍ଷମତାରେ ଥିବାବେଳେ ନିଜ ଦୁଆର କାହାକୁ ମାଡ଼ିବାକୁ ଦିଅନ୍ତୁ ନାହିଁ, ସେ କେମିତି ହୀରା ହୋଇଗଲେ ଏବଂ ସାଧାରଣ ଲୋକଙ୍କ ପାଇଁ ନିଜ ଦୁଆର ଖୋଲି ଦେଇଥିବା ମୁଖ୍ୟମନ୍ତ୍ରୀ କେମିତି ନବୀନଙ୍କଠାରୁ ଅଯୋଗ୍ୟ ହୋଇଗଲେ । ଲୋକେ ଯାଉଥିବା ନବୀନ ନିବାସ ସାମ୍ନା ରାସ୍ତାକୁ କ୍ଷମତା ବଳରେ ମାଡ଼ି ବସିଲେ । ତାହା ଏଇ ୫/୭ ବର୍ଷର ତଳର କଥା ଯାହା ସମସ୍ତେ ଦେଖିଛନ୍ତି । ଆଉ ନବୀନ ନିବାସ କିଭଳି ଶ୍ରୀ ଲିଙ୍ଗରାଜଙ୍କ ଜମିକୁ ବାଡ଼ି ବସିଛି ତା’ର ତଥ୍ୟ ମଧ୍ୟ ସରକାରୀ ରେକର୍ଡ଼ରେ ଉପଲବ୍ଧ ଅଛି । କିନ୍ତୁ ନବୀନଙ୍କ କ୍ଷମତା ଆଗରେ ସତେ ଯେମିତି ଆମ ବ୍ୟବସ୍ଥା ଶ୍ରୀଲିଙ୍ଗରାଜଙ୍କୁ ତୁଚ୍ଛ କରିଦେଇଛି ।
ଓଡ଼ିଆ କହୁନଥିବା, ଓଡ଼ିଆ ବୁଝୁ ନଥିବା, ଓଡ଼ିଆ ଲୋକଙ୍କ ସହ ମିଶୁ ନଥିବା ଏବଂ ଜଣେ ଅଣ ଓଡ଼ିଆ ହାତରେ ସବୁ କ୍ଷମତା ଦେଇଥିବା ଜଣେ ଲୋକଙ୍କୁ ସନ୍ଥ ସଜାଇବାରେ ଲାଗିଛେ । ଅଥଚ ମହାପ୍ରଭୁ ଲିଙ୍ଗରାଜଙ୍କୁ ପଛ କରିଦେଉଛେ । ଏବେ ଆସନ୍ତୁ ନଜର ପକାଇବା ନବୀନ ନିବାସ ବିରୋଧରେ ଲିଙ୍ଗରାଜଙ୍କ ଜମି ମାଡ଼ି ବସିଥିବାର ଅସିଥିବା ଅଭିଯୋଗ ସଂପର୍କରେ । ପୂର୍ବରୁ ସୂଚନା ଅଧିକାର କର୍ମୀମାନେ ପରବର୍ତ୍ତୀ ସମୟରେ ଭାରତୀୟ ବିକାଶ ପରିଷଦ ତରଫରୁ ସଂପୂର୍ଣ୍ଣ ତଥ୍ୟ ପ୍ରମାଣ ସହ ଏହି କେଳେଙ୍କାରୀ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଥିଲା । ଅଭିଯୋଗ ମୁତାବକ ବିକାଶ ପରିଷଦର କହିବା ଅନୁଯାୟୀ, ବିଜୁ ପଟ୍ଟନାୟକ ବିମାନ ବନ୍ଦର ମୁଖ୍ୟ ଫାଟକ ନିକଟରେ ଅବସ୍ଥିତ “ନବୀନ ନିବାସ’ ଜମିର ମୂଲ୍ୟ୨୦୦ କୋଟି ଟଙ୍କାରୁ ଅଧିକ ହେବ । କିନ୍ତୁ ଏହି ଜମିର ଅଧିକାଂଶ ଅଂଶର ମୁଖ୍ୟ ମାଲିକ ହେଉଛନ୍ତି ଶ୍ରୀଲିଙ୍ଗରାଜ । ଚଞ୍ଚକତା କରି ଏହାକୁ ହଡ଼ପ କରାଯାଇଛି । ପୂର୍ବରୁ ଭାରତୀୟ ବିକାଶ ପରିଷଦ wpc PIL no ୮୦୦୫/୨୦୧୯ ରେ ନବୀନ ନିବାସ ଜମି କେଳେଙ୍କାରୀ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା । ମାମଲରେ ଶୁଣାଣି କରି ହାଇକୋର୍ଟ ନିୟମ ଅନୁଯାୟୀ ୪ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ତକ୍ରାଳୀନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକତରଫା ଭାବେ ଉପରୋକ୍ତ କେସ୍ର ପିଟିସନର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ନୋଟିସ ନଦେଇ ଓ ତାଙ୍କ ପକ୍ଷ ନଶୁଣି GA DEPT ତରଫରୁ ଏକ ଚିଠି NO ୬୭ ତା ୦୨.୦୧.୨୦୨୦ ଇସୁ୍ୟ କରିଥିଲେ । ସେଥିରେ ଦର୍ଶାଇଲେ ଯେ, limitation act ୧୯୬୩ ଧାରା ୫ ଅନୁସାରେ ଭିମପୁର ମୌଜାରେ ଖାତା NO ୧୨୩ ଓ ୫୭୫ ୧୯୮୯ ମସିହା Settlementରେ ଜ୍ଞାନ ପଟ୍ଟନାୟକଙ୍କ ସ୍ୱାମୀ ବିଜୁ ପଟ୍ଟନାୟକଙ୍କ ନାମରେ ରେକର୍ଡ ଭୁକ୍ତ କରାଯାଇଛି । ଏଭିଡେନ୍ସ ଆକ୍ଟ ୧୯୭୨ ଧାରା ୯୦ ପ୍ରକାରେ ତିନି ଦଶନ୍ଧି ହେଇଯାଇଛି ଏବଂ ଖତିଆନ NO ୭୦୭/୧୫ ଭିମପୁର ମୌଜା ମୁ୍ୟଟେସନ କେସ NO ୧୧୯୪୯/୦୯ ଏବଂ ୧୧୯୪୭/୦୯, ଧାରା ୫ CPC ୧୯୭୩ ଅନୁଯାୟୀ ତହସିଲଦାର ଭୁବନେଶ୍ୱରଙ୍କ ଆଦେଶ ଅନୁସାରେ ରେକର୍ଡ ହୋଇଛି । ତେଣୁ ନିୟମ ଅନୁସାରେ ଠିକ୍ ଅଛି ବୋଲି ଆଦେଶ ପ୍ରଦାନ କରି ପିଟିସନକୁ ନାକଚ କରାଯାଇଛି ବୋଲି ରେଜିଷ୍ଟ୍ରାର ଉଚ୍ଚନ୍ୟାୟାଳୟ ଏବଂ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଲିଖିତ ଆକାରରେ ଜଣାଇଥିଲେ । ଯାହାକି ଏହା ବେନିୟମ ଆଦେଶ ଓ ଏକତରଫା ବୋଲି ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଅଭିଯୋଗ ଉଠାଇଥିଲେ ।
ସେ ଦର୍ଶାଇଥିଲେ ଯେ ଉକ୍ତ ଜମି ଖେୱାଟ no ୧ ପ୍ରକାରେ ଲିଙ୍ଗରାଜ ମହାପ୍ରଭୁ ଓ ଖେୱାଟ NO ୪ ପ୍ରକାରେ ରୟତ ତପାନିଧି ସୁଦର୍ଶନ ଭାରତୀ ଗୋସ୍ୱାମୀ ମାର୍ଫତଦାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଟ୍ରଷ୍ଟ୍ ବୋର୍ଡଙ୍କ ସମ୍ପତ୍ତି । ଦେବାର କମିସନଙ୍କ ବିନା ଅନୁମତିରେ ଏହା କୌଣସି ବ୍ୟକ୍ତିଙ୍କ ନାମରେ ରେକର୍ଡ ହେଇପାରିବ ନାହିଁ । ତେଣୁ ଏହି ଆଦେଶର ପ୍ରତିବାଦରେ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ପୁନଶ୍ଚ ୨୦.୦୭.୨୦୨୦ରେ ଲିଖିତ ଆକାରରେ ଜଣାଇଲେ ଯେ limitation act ୧୯୬୩ ଧାରା ୧୭ର ଉଲ୍ଲଂଘନ କରୁଛି । ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଓଡ଼ିଶା ଭୂସଂସ୍କାର ଆଇନ ୧୯୫୮ ଓ ଦେବାର କମିଶନଙ୍କ ବିନା ଆଦେଶରେ OHRE ACT ୧୯୫୧ ଅନୁଯାଇ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି କୌଣସି ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇପାରିବ ନାହିଁ । ଭୀମପୁର ମୌଜା ଅନ୍ତର୍ଗତ ଖାତା ନଂ ୭୪୦(ସାଧାରଣ ପ୍ରଶାସନ ବିଭାଗ) ଓ ପ୍ଲଟ୍ ନମ୍ୱର ୧୨୦୦ରୁ ୪୦୦ଡେସିମିଲ୍ ଜମି ଜ୍ଞାନ ପଟ୍ଟନାୟକଙ୍କୁ ମୁ୍ୟଟେଶନ୍ କେସ୍ ନଂ ୪୬୬୬/୯୧ରେ ପ୍ରଦାନ କରାଯାଇଛି । ଜମି ପ୍ରଦାନ ବେଳେ ଗଭର୍ନମେଣ୍ଟଣ୍ଟ ଗ୍ରାଣ୍ଟ୍ସ୍ ଆକ୍ଟ-୧୮୯୫କୁ ଉଲ୍ଲଂଘନ କରାଯାଇଥିବା ବେଳେ ଏ ସମ୍ପର୍କିତ ସମସ୍ତ ତଥ୍ୟ ତହସିଲ୍ କାର୍ଯ୍ୟାଳୟରୁ ଗାଏବ୍ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଉକ୍ତ ଜମିକୁ ମୁ୍ୟଟେଶନ୍ କେସ୍ ନଂ ୧୧୯୪୯/୨୦୦୯ରେ ଖାତା ନଂ ୭୦୭/୧୫ ଓ ପ୍ଲଟ୍ ନଂ ୧୨୦୦/୨୩୧୬ରେ ନବୀନଙ୍କ ଦୁଇ ତୃତୀୟାଂଶ ଏବଂ ସେତେବେଳେ ଜୀବିତ ଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାମରେ ଏକ ତୃତୀୟାଂଶ ଭାଗ ରେଭିନୁ୍ୟ ରେକର୍ଡ ସଂଶୋଧିତ କରାଯାଇଥିଲା ।
ସେହିଭଳି ଭୀମପୁର ମୌଜା ଅନ୍ତର୍ଗତ ପ୍ଲଟ୍ ନଂ. ୧୨୦୧ର ୧୩୫୫ ଡେସିମିଲ୍, ପ୍ଲଟ୍ ନଂ. ୧୨୨୨ରୁ ୮ଡେସିମିଲ୍ ଓ ୨୦ଡେସିମିଲ୍ ଭାବେ ମାଟ ୧୩୮୩ଡେସିମିଲ୍ ଜାଗା କିଭଳି ଜ୍ଞାନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରାଯାଇଛି, ସେ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କିମ୍ୱା ସାଧାରଣ ପ୍ରଶାସନ ବିଭାଗ ନିକଟରେ ନାହିଁ । ତଥାପି ଉକ୍ତ ଜାଗାକୁ ନବୀନ ଏବଂ ଗୀତାଙ୍କ ନାମରେ ରେଭିନୁ୍ୟ ରେକର୍ଡ ସଂଶୋଧନ କରାଯାଇଛି । ସେହିଭଳି ଭୀମପୁର ମୌଜା ଅର୍ନ୍ତଗତ ପ୍ଲଟ୍ ନଂ ୧୨୦୧/୧୮୧୩ ଖାତା ନଂ ୧୨୩ରେ ୨୫୦ ଡେସିମିଲ୍ ଜମି ଦଖଲ ସୂତ୍ରେ ନବୀନ ଏବଂ ଗୀତାଙ୍କ ନାମରେ ରେକର୍ଡ଼ କରାଯାଇଛି । ୧୯୬୨ ମସିହା ସେଟେଲମେଣ୍ଟ୍ ନଥି ପ୍ରକାରେ ପ୍ଲଟ୍ ନଂ. ୧୨୦୦ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଅଟେ । ପରବର୍ତ୍ତୀ ୧୯୮୯-୯୦ ସେଟେଲମେଣ୍ଟ୍ ସମୟରେ ରାଜ୍ୟ ସରକାର ସମସ୍ତ ଜମିକୁ ସାଧାରଣ ପ୍ରଶାସନ ବିଭାଗ ନାମରେ ରେକର୍ଡ ଭୁକ୍ତ ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ଜମିକୁ କିଭଳି ଭାବେ ହଡ଼ପ କରାଯାଇଛି ତା’ର ପୁରା ତଥ୍ୟ ସାମ୍ବାଦିକ ସମ୍ମିଳନୀ କରି ଉପସ୍ଥାପିତ କରାଯାଇଥିଲା । କିନ୍ତୁ ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ବିରୋଧରେ କିଏବା ଆକ୍ସନ ନେଇଥାନ୍ତା । ଏବେ ସରକାର ବଦଳିଛି । ସାମ୍ନାରେ ଯିଏବି ଥାଉ ସେ ଆଇନଠୁ ବଡ଼ ନୁହଁନ୍ତି । ଲିଙ୍ଗରାଜ ମହାପ୍ରଭୁଙ୍କ ମୂଲ୍ୟବାନ ଜମି ସୁରକ୍ଷା କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କର । ପ୍ରଶ୍ନ ଉଠୁଛି ନୂଆ ସରକାରଙ୍କ ପାଇଁ ଶ୍ରୀଲିଙ୍ଗରାଜ ବଡ଼ ହେବେ ନା ନବୀନ ପଟ୍ଟନାୟକ?