ଦଶରଥପୁର (ବଡ଼ ଖବର ବ୍ୟୁରୋ): ବନ୍ୟାଞ୍ଚଳ ର ସ୍ଥିତି ପରଖିଲେ ସାଂସଦ, ଜିଲ୍ଲପାଳ ଏବଂ ବିଜେପି ନେତା । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର କାଣୀ ନଦୀ ଘାଇ ସୃଷ୍ଟି ହୋଇ ୧୫ରୁ ଅଧିକ ପଞ୍ଚାୟତ ଜଳବନ୍ଦୀରେ ଥିବା ବେଳେ ହଜାର ହଜାର ହେକ୍ଟର ଫସଲ ସବୁ ବୁଡି ବନ୍ୟା ଜଳରେ ନଷ୍ଟ ହୋଇଯାଇଛି । ଗାଁ ଦାଣ୍ଡରୁ ବନ୍ୟା ଜଳ କମିଥିଲେ ମଧ୍ୟ ବଢିଛି ଯାଇଛି ବନ୍ୟା ବିପନ୍ନଙ୍କ ଦୁର୍ଦଶା । କାଣୀ ନଦୀର ସ୍ରୋତରେ ସବୁ କିଛି ଭାସି ଯାଇଛି ।
ପିନ୍ଧିବାକୁ ନା ଅଛି ଲୁଗା ନା ଅଛି ମୁଠାଏ ଖାଇବାକୁ ଖାଦ୍ୟ । ଏବେ ଭାଗ୍ୟକୁ ଆଦରି ଭଙ୍ଗା କୁଡ଼ିଆରେ କାଦୁଅ ପଚ ପଚ ପାଣିରେ ମୁଣ୍ଡ ଗୁଞ୍ଜିବାକୁ ସଂଘର୍ଷ ଜାରିରହିଛି । ଯାଜପୁର ଜିଲ୍ଲାର ସାଂସଦ ରବିନାରାୟଣ ବେହେରା, ବିଜେପି ନେତା ଗୌତମ ରାୟ, ବବିତା ମଲ୍ଲିକ, ଯାଜପୁର ଜିଲ୍ଲପାଳ ଅମ୍ବର କୁମାର କର, ବିଡିଓ, ତହସିଲଦାର, ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ସାଂସଦ ପ୍ରଥମେ କସପା ପଞ୍ଚାୟତର ବଙ୍ଗଳା ସାହି ନିକଟରେ ସୃଷ୍ଟି ହୋଇଥିବା ଘାଇ ନିକଟକୁ ଯାଇ ସେଠାରେ ସ୍ଥିତି ପରଖିବା ସହ କାଣୀ ନଦୀର ସ୍ରୋତରେ ଭାସି ଯାଇ ମୃତ୍ୟୁ ହୋଇଥିବା ଛାତ୍ର ଜଣଙ୍କ ପରିବାରକୁ ଭେଟିଥିଲେ । ବନ୍ୟା ଜଳରେ ଥିବା କୟାଁଗୋଲା ନିକଟକୁ ଯାଇ କିଭଳି ଭାବେ ଏହାର ସ୍ଥାୟୀ ସମାଧାନ କରାଯିବ ସେ ସମ୍ପର୍କ ରେ ଆଲୋଚନା କରିବା ସହ ବନ୍ୟା ରେ କ୍ଷତି ହୋଇଥିବା ସମସ୍ତ ପରିବାରଙ୍କୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
