ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା । ପଞ୍ଚମ ଦିନରେ ବିଧାନସଭା ଅଚଳ । ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ଗୃହର ମଧ୍ୟଭାଗରେ ବିଜେଡି ବିଧାୟକମାନଙ୍କ ଲଗାତାର ପ୍ରତିବାଦ ପରେ, ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ତେବେ ଗତକାଲି ଅପରାହ୍ଣରେ ଗୃହକାର୍ଯ୍ୟ ସ୍ୱାଭାବିକ ହେବା ପରେ ଆଶା କରାଯାଉଥିଲା ଆଜି ପ୍ରଶ୍ନକାଳ ସ୍ୱାଭାବିକ ହେବ, ହେଲେ ସେମିତି କିଛି ବି ଦେଖିବାକୁ ମିଳିନି । ପୂର୍ବପରି ଆଜି ବି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି ।
ଯାହାପରେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି । ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା ପରଠାରୁ ବିଜେଡି ବିଧାୟକମାନେ ଫ୍ଲୋରର ମଝିକୁ ଆସି ହୋ ହଲ୍ଲା କରିଥିଲେ । କଂଗ୍ରେସ ବିଧାୟକମାନେ ନିଜ ନିଜ ସିଟରେ ଠିଆ ହୋଇ ପ୍ରତିବାଦ କରିଥିଲେ । ଗୋଟିଏ ପଟେ ବିଜେଡି ବିଧାୟକମାନେ ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା କରୁଥିବାବେଳେ, କଂଗ୍ରେସ ବିଧାୟକମାନେ ବିଜେଡି-ବିଜେପି ଭାଇ ଭାଇ ପ୍ଲାଗକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ଆଉ ଶେଷରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ।
ଚଳିତ ବର୍ଷ ବିଳମ୍ଵରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏଥର ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି । ହେଲେ ସରକାରଙ୍କ ଉପରେ ବିରୋଧୀ ବିଜେଡି ଓ କଂଗ୍ରେସ ଭାରି ପଡ଼ିଛନ୍ତି। ଏହାରି ଭିତରେ ଆଜିକୁ ମିଶାଇ ୫ଟି କାର୍ଯ୍ୟ ଦିବସ ସରିବାକୁ ବସିଥିବା ବେଳେ ଆଉ ମାତ୍ର ୨ଟି କାର୍ଯ୍ୟ ଦିବସ ରହିଛି। ଅଚଳାବସ୍ଥାରେ ଗୃହ ଚାଲିଛି।
