ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ୫ ଜିଲ୍ଲାରେ ୬ ଦିନ ବିତାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ କାର୍ଯ୍ୟକ୍ରମ । ଯାଜପୁରରେ ମା’ ବିରଜାଙ୍କ ଦର୍ଶନ, ନାଭିଗୟାରେ ପିଣ୍ଡଦାନ । ପୁରୀ ଶ୍ବେତଗଙ୍ଗାରେ ପିଣ୍ଡଦାନ ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ସନ୍ଧ୍ୟା ୬ଟା ୪୦ ମିନିଟ୍ରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜତୀୟ ବିମାନବନ୍ଦରରେ ପହଞ୍ଚିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ରାଜଧାନୀର ବିମାନବନ୍ଦର ଓ ଲୋକଭବନ ହାଇଆଲର୍ଟରେ ରହିବ ।
ଲୋକଭବନକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରିଛି ପୁଲିସ । ଆଜିଠୁ ସହ ୩, ୬, ୭ ତାରିଖରେ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଡିସିପି ଜଗମୋହନ ମୀନା କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରାୟ ୩୨ ପ୍ଲାଟୁନ ଫୋର୍ସ ସହରକୁ ଜଗିବେ । କାରକେଡ ଯିବା ବେଳେ ରୁଟ୍ ଲାଇନିଂ ପାଇଁ ୧୦ ପ୍ଲୁଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୪ଜଣ ଡିସିପି, ୫ ଅତିରିକ୍ତ ଡିସିପି, ୨୩ ଏସିପି, ୩୩ ଇନ୍ସପେକ୍ଟର, ୧୨୧ ସବ୍ଇନ୍ସପେକ୍ଟର/ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ସେଶ୍ଲାଲ ଟାକ୍ଟିକାଲ ୟୁନିଟ୍ (ଏସ୍ଟିୟୁ) ସହ ୫୨ଜଣ ମହିଳା କନଷ୍ଟେବଳ ମଧ୍ୟ ସୁରକ୍ଷାରେ ନିୟୋଜିତ ହେବେ । ରବିବାର ସନ୍ଧ୍ୟା ୭ଟାରେ ବିମାନବନ୍ଦରରୁ ଲୋକଭବନ ଓ ଜାଭିଅର ଛକ ଯାଏ କାରକେଡ୍ ରିହର୍ସାଲ କରାଯାଇଥିଲା । ଆସନ୍ତା ୩ ତାରିଖ ସକାଳ ସାଢ଼େ ୮ଟାରେ ରାଷ୍ଟ୍ରପତି ଲୋକଭବନରୁ କାରକେଡ୍ରେ ବିମାନବନ୍ଦରକୁ ଯିବେ । ସେଠାରୁ ହେଲିକପ୍ଟର ଯୋଗେ ବାଲେଶ୍ୱର ଅଭିମୁଖେ ବାହାରିବେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବିଶ୍ୱବିଦ୍ୟାଳୟର ନବନିର୍ମିତ ଅଡିଟୋରିୟମକୁ ଉଦଘାଟନ କରିବେ ।
ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ରାଇରଙ୍ଗପୁରର ମାହୁଲଦିହାସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ । ସେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ଡାକ୍ତରଖାନା, ଓୟୁଏଟି କ୍ୟାମ୍ପସ, ତୀରନ୍ଦାଜୀ କେନ୍ଦ୍ର, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଡ୍ରେନେଜ ଅପଗ୍ରେଡେସନ ପ୍ରକଳ୍ପ, ବିଭିନ୍ନ ସିଏସଆର ପ୍ରକଳ୍ପ ଏବଂ ରାଇରଙ୍ଗପୁରରେ ଏମଏସସିବି ବିଶ୍ୱବିଦ୍ୟାଳୟ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଭଳି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଆସନ୍ତା ୬ ତାରିଖରେ ରାଷ୍ଟ୍ରପତି ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକମାନଙ୍କ ସହ ଭାବବିନିମୟ କରିବେ । ପରେ ହେଲିକପ୍ଟର ଯୋଗେ ମଧ୍ୟାହ୍ମ ସାଢ଼େ ୧ଟା ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରକୁ ଫେରିବେ । ସେଠାରୁ କାରକେଡ୍ ଯୋଗେ ଲୋକଭବନକୁ ଯାଇ ଅପରାହ୍ଣ ୪ଟାରେ ଜାଭିଅର ଛକ ଅଭିମୁଖେ ବାହାରିବେ । ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ମେ’ ଫେୟାର ହୋଟେଲରେ ଆୟୋଜିତ “ବ୍ଲାକ୍ ସ୍ୱାନ୍ ସମ୍ମିଟ୍ ଇଣ୍ଡିଆ’ରେ ଯୋଗଦେବେ । ସେହିଦିନ ଲୋକଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ତା’ ପରଦିନ ସକାଳ ସାଢ଼େ ୮ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରୁ ଛତିଶଗଡ଼ ଅଭିମୁଖେ ବାହାରିବେ । ଜଗଦଲପୁରରେ “ବସ୍ତର ପାଣ୍ଡୁମ ୨୦୨୬’ ମହୋତ୍ସବର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।
