ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଦୁର୍ନୀତି । ତାହା ପୁଣି ଆଉ କେହି ନୁହନ୍ତି ଖୋଦ୍ ରାଜ୍ୟ ସରକାରଙ୍କ କର୍ମଚାରୀ । ଯେଉଁ ଲୋକଙ୍କ ଅର୍ଥରେ ଦରମା ପାଉଛନ୍ତି ସେହି ଲୋକଙ୍କ ଠାରୁ ଲାଞ୍ଚ ନେବାକୁ ପଛାଉ ନାହାନ୍ତି ଅଫିସର୍ । ଏହାରି ଭିତରେ ରାଜସ୍ୱ ବିଭାଗ କଠୋର ହୋଇଛି । ରାଜସ୍ୱ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢୀ ବିଭାଗର ସମସ୍ତ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଲେଖିଲେ ଚିଠି । ପତ୍ରରେ ଉଲ୍ଲେଖ ରଖିଛନ୍ତି କି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସହକର୍ମୀଙ୍କ ମାନେ ଆମେ ଏଇ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ୟ୍ୟାଳୟରେ ସାଧୁତା ଓ ସଚ୍ଚୋଟତାର ଶପଥ ପାଠ ନେଇଥିଲେ । ଦୁର୍ନୀତି ନ କରିବା ପାଇଁ ଆମେ ସମସ୍ତେ ଏକ ସ୍ବରରେ ଶପଥ ନେଲେ ।
କିନ୍ତୁ ଗତକାଲି ଜଣେ ଯୁବ ଓଡ଼ିଶା ରାଜସ୍ବ ସେବା ଅଧିକାରୀ, ଯିଏ କି ଏବେ ବି ପ୍ରଶିକ୍ଷଣ କାଳରେ ଅଛନ୍ତି, ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ମୋତେ ଗଭୀର ଭାବେ ମର୍ମାହତ କରିଛି। ସରକାରୀ ସେବାରେ ନୈତିକତା, ସାଧୁତା ଓ ସଚ୍ଚୋଟତା ଉପରେ ବାରମ୍ବାର ଗୁରୁତ୍ବ ଦିଆଯିବା ସତ୍ତ୍ବେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ। ସରକାରୀ ଚାକିରୀ କେବଳ ଜୀବିକା ନିର୍ବାହର ମାଧ୍ୟମ ନୁହେଁ, ଏହା ଜନସାଧାରଣଙ୍କ ସେବା କରିବାର ଏକ ସୁଯୋଗ। ଦୁର୍ନୀତି ଜଣେ ଅଧିକାରୀଙ୍କୁ କଳଙ୍କିତ କରେ। ଯାହାଫଳରେ ସମଗ୍ର ବିଭାଗର ମର୍ୟ୍ୟାଦା କ୍ଷୁର୍ଣ୍ଣ ହୁଏ। ପ୍ରଶାସନ ଉପରେ, ସର୍ବୋପରି ସରକାରୀ କଳ ଉପରେ ଜନସାଧାରଣଙ୍କ ବିଶ୍ବାସ ରହେ ନାହିଁ। ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଦୁର୍ନୀତି ପ୍ରତି ଶୂନ୍ୟ-ସହନଶୀଳତା ନୀତି ଅବଲମ୍ବନ ଦିଗରେ ଆମେ ବିଭାଗ ସର୍ବଦା ପ୍ରତିବଦ୍ଧ ରହିଛି । ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେଉଥିବା ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ ଆଇନ ଓ ସେବା ନିୟମ ଅନୁଯାୟୀ ଚାକିରିରୁ ବହିଷ୍କାର ସମେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ କରାଯିବ ମଧ୍ୟ। ଏହି ଅବସରରେ ମୁଁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଉଛି ଯେ ବିଭାଗର ସଚିବ ଭାବେ ମୁଁ ନିଜେ ନୈତିକତା, ଶୃଙ୍ଖଳା ଓ ସଙ୍କୋଟ୍ଟତାର ସମସ୍ତ ମାନଦଣ୍ଡ ପାଳନ କରିବି।
ସତ୍ୟନିଷ୍ଠାକୁ ଜୀବନର ବ୍ରତ କରି କାର୍ୟ୍ୟ କରୁଥିବା ପ୍ରତ୍ୟେକ ସହକର୍ମୀଙ୍କ ସହ ମୁଁ ରହିଆସିଛି ଏବଂ ଆଗକୁ ମଧ୍ୟ ରହିବି। ସେମାନଙ୍କୁ ଯେକୌଣସି ଅଯଥା ବାହ୍ୟ ଚାପ ଓ ମନ୍ଦ ଉଦ୍ଦେଶ୍ୟ ଥି ବା ବ୍ୟକ୍ତିଙ୍କ ହସ୍ତକ୍ଷେପରୁ ସୁରକ୍ଷା ଦେବା ପାଇଁ ସର୍ବଦା ଚେଷ୍ଟା କରିବି। ମୋର ଦୃଢ଼ ବିଶ୍ଵାସ, ବିଭାଗରେ ଅନେକ ସଛୋଟ, ସାହସୀ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି, ଯେଉଁମାନେ ସମାଜରେ ଦୃଶ୍ୟମାନ ପରିବର୍ତ୍ତନ ଆଣିପାରିବେ। ଅସତ୍ ଉପାୟରେ ଅର୍ଜିତ ଧନ ବା କ୍ଷମତାଠାରୁ ନିର୍ମଳ ବିବେକ, ଆତ୍ମସମ୍ମାନ ଓ ଶାନ୍ତିପୂର୍ଣ୍ଣ ଜୀବନ ଅଧିକ ମୂଲ୍ୟବାନ। ଆସନ୍ତୁ, ଆମେ ସମସ୍ତେ ଆତ୍ମସମୀକ୍ଷା କରିବା ଏବଂ ଏକ ଗୁଳ୍ମ, ସଙ୍କୋଟ, ଦୁର୍ନୀତିମୁକ୍ତ ଓ ଜନସେବା ପ୍ରତି ସମର୍ପିତ ବିଭାଗ ଗଢ଼ିବା ପାଇଁ ସଂକଳ୍ପ ନେବ। ରାଜସ୍ୱ ବିଭାଗ ପ୍ରତି ଜନସାଧାରଣଙ୍କ ଦୃଷ୍ଟିକୋଣକୁ ଆମକୁ ବଦଳାଇବାକୁ ପଡ଼ିବ । ଆମ ବିବେକ ହେଉ ଆମର ମାର୍ଗଦର୍ଶକ, ଆଉ ଜନସାଧାରଣଙ୍କ ବିଶ୍ବାସ ହେଉ ଆମର ସର୍ବଶ୍ରେଷ୍ଠ ପୁଞ୍ଜି ବୋଲି କହିଛନ୍ତି ଏସିଏସ ।