ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀପାବଳି ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ। ଏପରି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବ । ସର୍ବୋଚ୍ଚ ୩୧ ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ଆକଳନ କରିଛି ଯେ, ରବିବାର ଓ ସୋମବାର ପାଗ ଶୁଖିଲା ରହିବ ।
୧୦ ତାରିଖରେ ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ଆକଳନ କରାଯାଇଛି । ୧୨ ତାରିଖରେ ବାଲେଶ୍ଵର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ।