ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ପାଗ ମେଘୁଆ ରହୁଛି । କିଛି ସ୍ଥାନରେ କାଁ ଭାଁ ବର୍ଷା ବି ହେଉଛି । ଗତ ୩ ଦିନ ହେବ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ଅଛି । ଆଗକୁ ତାତି ଆହୁରି କମିପାରେ । ଆସନ୍ତା ୩-୪ ଦିନ ପରେ ଦିନ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବୁଧବାର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ ।
ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଝଡ଼ବର୍ଷା ହୋଇପାରେ । ୧୯ ତାରିଖ(ଗୁରୁବାର) ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ସ୍ଥାନରେ କୁଆପଥର ସହ ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୨୧ ତାରିଖରେ ମୟୂରଭଞ୍ଜ କେନ୍ଦୁଝର ଓ ବାଲେଶ୍ୱରରେ ଝଡ଼ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମଙ୍ଗଳବାର ଦାରିଙ୍ଗବାଡ଼ିରେ ୨୯ମିମି ବର୍ଷା ହୋଇଛି । ନୂଆପଡ଼ାରେ ୨୦.୬ ମିମି ବର୍ଷା ହୋଇଛି । ସୋନପୁରରେ ଦିନ ତାପମାତ୍ରା ସର୍ବାଧିକ ୩୬.୬, ବଲାଙ୍ଗୀରରେ ୩୬.୩, ସମ୍ବଲପୁରରେ ୩୬.୧, ଭବାନୀପାଟଣା ଓ ଟିଟିଲାଗଡ଼ରେ ୩୬ ମିମି ବର୍ଷା ହୋଇଛି।
