ଉଦଳା (ବଡ଼ ଖବର ବ୍ୟୁରୋ): ଏକ ମାସ ହେବ ହେଉ ନାହିଁ ରୋଷେଇ, ମିଳୁ ନାହିଁ ଶିଶୁଙ୍କୁ ଖାଦ୍ୟ। ଯେଉଁଥିପାଇଁ ଅଙ୍ଗନୱାଡି ଆସୁ ନାହାନ୍ତି ଶିଶୁ। ସେପଟେ ସିଡିପିଓ କହୁଛନ୍ତି ଜଣେ ସିଡିପିଓ ଏତେ ଗୁଡିଏ ଅଙ୍ଗନୱାଡି ଦେଖିପାରିବ ନାହିଁ। କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ଅଙ୍ଗନୱାଡିରୁ ଆସିଛି ଏଭଳି ଚିତ୍ର । ଏହି ଅଙ୍ଗନବାଡିରେ ୩୦ ଜଣ ଶିଶୁ ପାଠ ପଢ଼ୁଥିବା ବେଳେ ଏବେ ଅଙ୍ଗନୱାଡିକୁ କାଁ ଭାଁ ଶିଶୁ ଆସୁଛନ୍ତି। କାହିଁକି ନା ଏକ ମାସରୁ ଅଧିକା ହେବ ଅଙ୍ଗନୱାଡିରେ ହେଉ ନାହିଁ ଖାଦ୍ୟ ରୋଷେଇ ।
ଅଙ୍ଗନୱାଡି କେନ୍ଦ୍ରରେ ଚାଉଳ ଏବଂ କାଠ ନଥିବାରୁ ରୋଷେଇ ବନ୍ଦ । ଯେଉଁଥିପାଇଁ ଅଙ୍ଗନୱାଡିକୁ ଆସୁଥିବା ଜଣେ ଦୁଇ ଜଣ ପିଲା କେବଳ ଶୁଖିଲା ଖାଦ୍ୟ ଖାଇ ଯାଉଛନ୍ତି । ନା ପଢା ଯାଉଛି ନା ଛୁଆମାନଙ୍କୁ ଖେଳ ଶିଖାଯାଉଛି । କାହିଁକି ନା ଅଙ୍ଗନୱାଡି କର୍ମୀ ବେଲମଣି ହେମ୍ବ୍ରମ ସପ୍ତାହରେ ଥରୁଟିଏ କେବଳ ଅଙ୍ଗନୱାଡି ଆସୁଥିବା ବେଳେ ଅନ୍ୟ ଦିନେ ଅଙ୍ଗନୱାଡିର ହେଲପର ହିଁ ଚଳାଉଛନ୍ତି ଅଙ୍ଗନୱାଡି । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ। ଅଙ୍ଗନୱାଡି କର୍ମୀ ନିଜ ମନମାନି ଚଳାଇଥିବାରୁ ଏହାକୁ ବିରୋଧ କରିଛନ୍ତି ଅଭିଭାବକ ଏବଂ ଗ୍ରାମବାସୀ ।
ଅଙ୍ଗନୱାଡି କର୍ମୀ ସେଣ୍ଟରକୁ ନ ଆସିବା, ଚାଉଳ ଏବଂ ଅନ୍ୟ ସାମଗ୍ରୀ କିଛି ଅଙ୍ଗନୱାଡିକୁ ନଆଣିବା ବାବଦରେ କହିଛନ୍ତି ଖୋଦ ଅଙ୍ଗନୱାଡି ହେଲପର । ସେପଟେ ଏଭଳି ଘଟଣା ବାବଦରେ ସିଡିପିଓ ଦେଇଛନ୍ତି ଦାୟିତ୍ୱହୀନର ଅଜବ ଉତ୍ତର। ଜଣେ ସିଡିପିଓ ଏତେ କାମ କରିପାରିବ ନାହିଁ, ଏବଂ ସତ ହେଲା ଅଙ୍ଗନୱାଡିର ଏଭଳି ସ୍ଥିତି ଆଗରୁ ଅଛି ବୋଲି ସେ କହିଛନ୍ତି । ଗୋଟିଏ ପଟେ ଛୋଟ ଶିଶୁଙ୍କ ପାଇଁ ଖାଦ୍ୟ ରୋଷେଇ ନ ହେବା ଏବଂ ଅନ୍ୟପଟେ ସିଡିପିଓଙ୍କ ଏଭଳି ମନ୍ତବ୍ୟ ଆଇସିଡିଏସ ର କାର୍ଯ୍ୟକାରିତାକୁ ପଦାରେ ପକାଇଛି ।
