ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଜି ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ସମ୍ଭାବ୍ୟ ଲଘୁଚାପକୁ ନେଇ ରାଜ୍ୟର ପାଣିପାଗ ଉପରେ ମଧ୍ୟ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଲଘୁଚାପର ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ କିଛି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି।
ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ପୂର୍ବାନୁମାନ ରହିଛି। IMDର ସେପ୍ଟେମ୍ବର ୧୯ ଚେତାବନୀ ଅନୁସାରେ ୨୨ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୨୩ ଓ ୨୪ ତାରିଖରେ ଅତିପ୍ରବଳ ବର୍ଷାର ଚେତାବନୀ ରହିଛି । ୨୨ ତାରିଖରେ ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ବିଜୁଳି ଘଡ଼ଘଡ଼ି ସହ ପବନ ହେବାର ସମ୍ଭାବନା ରହିଛି।
ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ। ୨୩ ତାରିଖରେ ମାଲକାନଗିରି ଓ କୋରାପୁଟରେ ଅତିପ୍ରବଳ ବର୍ଷା ଏବଂ ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏବେ ଆଣ୍ଡାମାନ ସାଗରରେ ଥିବା ଘୂର୍ଣ୍ଣିବଳୟ ଉପରେ ପାଣିପାଗ ବିଭାଗର ନଜର ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ। ସେପଟେ ଯଦି ଏହା ଆଗକୁ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନିଏ, ତେବେ ଏହାର ନାଁ ‘ଅର୍ଣ୍ଣବ’ ରଖାଯିବ।
