ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଆଜି ବାଲିମେଳା ଜଳଭଣ୍ଡାରରୁ ହେଲା ଜଳ ନିଷ୍କାସନ। ଆଗାମୀ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛି ବାଲିମେଳା ମାଟି ବନ୍ଧ ଯୋଜନା କର୍ତ୍ତୃପକ୍ଷ। ସୂଚନା ଅନୁଯାୟୀ, ଜଳଭଣ୍ଡାରର ୬ ନମ୍ବର ଗେଟ୍ ଖୋଲାଯାଇ ପ୍ରତି ସେକେଣ୍ଡରେ ପ୍ରାୟ ୬ ହଜାର କ୍ୟୁସେକ୍ ଜଳ ନିଷ୍କାସନ କରାଯିବ। ଆଗାମୀ ଦିନରେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଜଳଭଣ୍ଡାରରେ ଅତିରିକ୍ତ ଜଳ ସଂରକ୍ଷଣକୁ ଏଡ଼ାଇବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ।
ତେବେ ଜଳ ନିଷ୍କାସନ ସମୟରେ ନଦୀ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି । ଆଗାମୀ ବର୍ଷାକୁ ଆଖି ଆଗରେ ରଖି ବାଲିମେଳା ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ କେତେଦୂର ଜଳ ପରିଚାଳନାରେ ସହାୟକ ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର । ନଦୀଗର୍ଭକୁ ନ ଯିବା ପାଇଁ ଏବଂ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ବାର୍ଷିକ ସଚେତନ କରାଯାଉଛି ।
“ଆଗାମୀ ବର୍ଷା ଓ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଜଳଭଣ୍ଡାରର ସୁରକ୍ଷା ଏବଂ ନିୟନ୍ତ୍ରଣ ପାଇଁ ଆମେ ସମ୍ପୂର୍ଣ୍ଣ ସଜାଗ ଅଛୁ ।” ବୋଲି ବାଲିମେଳା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତୃପ୍ତ ଚରଣ ନାୟକ କହିଛନ୍ତି । ଆଗାମୀ ଦିନର ପାଗ ଏବଂ ବର୍ଷାର ପରିମାଣକୁ ଆଖି ଆଗରେ ରଖି ବାଲିମେଳା ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ଏହି ସତର୍କତାମୂଳକ ପଦକ୍ଷେପ ଜଳ ପରିଚାଳନାରେ କେତେଦୂର ସହାୟକ ହେଉଛି, ତା’ ଉପରେ ସମସ୍ତଙ୍କର ନଜର ରହିଛି ।