ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳରେ ମହାବଳ ବାଘର ଉପସ୍ଥିତି । ଆନ୍ଧ୍ରପ୍ରଦେଶର ପାପିକୁଣ୍ଡଲୁ ଅଭୟାରଣ୍ୟରୁ ଆସି ମୋଟୁ ବନାଞ୍ଚଳରେ ପହଞ୍ଚିଛି ଏକ ୪ ବର୍ଷୀୟ ରୟାଲ ବେଙ୍ଗଲ ଟାଇଗର । ବାଘଟିର ଦେହରେ ଲାଗିଥିବା କଲର ସିଗ୍ନାଲ ମାଧ୍ୟମରେ ଏହାର ଗତିବିଧି ଟ୍ରାକ୍ କରାଯାଉଛି । ଖାଦ୍ୟ ଅନ୍ୱେଷଣରେ ବୁଲୁ ବୁଲୁ ଏହି ମହାବଳ ବାଘଟି ଆନ୍ଧ୍ରପ୍ରଦେଶର ଅଭୟାରଣ୍ୟରୁ ମାଲକାନଗିରି ଜିଲ୍ଲାର ମୋଟୁ ବନାଞ୍ଚଳକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ ସୁଦ୍ଧା ଏହି ବାଘଟି ପ୍ରାୟ ୮୫୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା । ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାନ୍ତ ଅଞ୍ଚଳରୁ ଆସି ପାପିକୁଣ୍ଡଲୁ ଅଭୟାରଣ୍ୟରେ ରହିଥିବା ଏହି ବାଘର ଗତିବିଧି ଉପରେ ଏବେ ନଜର ରଖାଯାଇଛି । ବାଘର ଉପସ୍ଥିତିକୁ ନେଇ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମୋଟୁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ମାଇକିଂ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି । ବିଶେଷକରି ଜଙ୍ଗଲକୁ ଯିବା ସମୟରେ ସତର୍କ ରହିବା ସହ ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।
ଯଦି ବାଘ ଦ୍ୱାରା କୌଣସି ଗୋରୁ କିମ୍ବା ଗାଈ ଆକ୍ରମଣର ଶିକାର ହୁଏ, ତେବେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ଏହାଦ୍ୱାରା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ରହିଥିବା ନେଇ ବନ ବିଭାଗ ତରଫରୁ କୁହଯାଇଛି । ଏପଟେ ବାଘର ଗତିବିଧି ଉପରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିବା ବେଳେ ଏହାର ସୁରକ୍ଷା ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।