ଆସିକା (ବଡ଼ ଖବର ବ୍ୟୁରୋ): ବନ୍ୟା ବିପତ୍ତି ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଥିବା ବେଳେ ଏବେ ବି ସ୍ୱାଭାବିକ ହୋଇନାହିଁ ଜନଜୀବନ । ଦୀର୍ଘ ବର୍ଷ ପରେ ଋଷିକୁଲ୍ୟା ଓ ବଡ଼ନଦୀର ପ୍ରଳୟଙ୍କରୀ ବନ୍ୟାରେ ଜଳମଗ୍ନ ହୋଇଥିଲା ଆସିକା ସହର। ବନ୍ୟାଜଳ ହ୍ରାସ ପାଇବା ପରେ ସହରର ବିଭିନ୍ନ ଅଞ୍ଚଳରେ ଜମି ରହିଛି କାଦୁଅ, ପଙ୍କ ଓ ଅଳିଆ ଆବର୍ଜନା। ଫଳରେ ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ ସହରକୁ ସ୍ୱଚ୍ଛ ଓ ସ୍ୱାଭାବିକ କରିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ।
ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ସଫେଇ ଓ ପରିମଳ କାର୍ଯ୍ୟ । ରାତିତମାମ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ଆସିକା ତହସିଲଦାର ସଙ୍ଗୀତା ସେଣ, ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ ଓ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ଉପସ୍ଥିତ ରହି ସଫେଇ କାର୍ଯ୍ୟର ତଦାରଖ କରିଥିଲେ । ଆସିକା ସହରର ପରିମଳ ବ୍ୟବସ୍ଥାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ସହ ଲୋକଙ୍କୁ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ।