ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୋଟ୍ ଚୋରି ଅଭିଯୋଗ କରି ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ । ସୁପ୍ରିମକୋର୍ଟ ଅଭିମୁଖେ ପଦଯାତ୍ରା କରିବେ କଂଗ୍ରେସ ନେତା । ସୁରକ୍ଷା ଦୃଷ୍ଟିରୁ ୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC । କେନ୍ଦ୍ରୀୟ ସଚିବାଳୟ ଓ ବାରାଖମ୍ଭା ରୋଡ୍ ମେଟ୍ରୋ ଷ୍ଟେସନ ବି ବନ୍ଦ । ଆଜି ଅପରାହ୍ନ ୪ଟା ଯାଏଁ ଯାତ୍ରୀଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ କଟକଣା । ବିରୋଧୀମାନେ ଯେଉଁ ପ୍ରସଙ୍ଗ ଉଠାଇବାକୁ ଚାହୁଁଛନ୍ତି, ତାହା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ପ୍ରଧାନ ବିଚାରପତି ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ସତ୍ତ୍ବେ କଂଗ୍ରେସ ଲୋକଙ୍କୁ ଏହି ଶୋଭାଯାତ୍ରାରେ ଯୋଗଦେବାକୁ ନିବେଦନ କରିଛି ।
ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି (ସୋମବାର) ବିରୋଧୀ ଦଳଙ୍କ ‘ଇଣ୍ଡି’ ମେଣ୍ଟ ଦିଲ୍ଲୀରେ ବିଶାଳ ପଦଯାତ୍ରା ବାହାର କରିବ । ବିରୋଧୀ ସାଂସଦମାନେ ଜନ୍ତରମନ୍ତର ଯିବା ସମ୍ଭାବନା ମଧ୍ୟ ରହିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ଦେଶବାସୀଙ୍କୁ ପଦଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ରାହୁଲ କହିଥିଲେ, ଆମ୍ଭେମାନେ କୌଣସି ରାଜନୈତିକ ଦଳ, ବ୍ୟକ୍ତିବିଶେଷ, ପୁରୁଷ-ମହିଳା, ପୃଥକ୍ ରାଜ୍ୟର ନିବାସୀ, ଜାତି-ବର୍ଗ ଭାବେ ନୁହେଁ, ବରଂ ଭାରତର ନାଗରିକ ହିସାବରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିବା ।
ଇଣ୍ଡି ମେଣ୍ଟର ଏହି ପଦଯାତ୍ରାକୁ ଦେଖି ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଆଡଭାଇଜରୀ ଜାରି ରହିଛି । ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ଅନୁସାରେ ଅନେକ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇପାରେ। ଅନେକ ସ୍ଥାନରେ ଟ୍ରାଫିକ୍ ଡାଇଭର୍ଟ କରାଯାଇପାରିବ । ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡ କିମ୍ବା ବିମାନବନ୍ଦରକୁ ଯିବା ପାଇଁ ଯାତ୍ରୀମାନଙ୍କୁ ଘରୁ ଅତିରିକ୍ତ ସମୟ ନେବାକୁ ଦିଲ୍ଲୀ ପୁଲିସ ପରାମର୍ଶ ଦେଇଛି । ଏଥି ସହିତ ଯଦି କୌଣସି ଜରୁରୀ କାର୍ଯ୍ୟ ନହୁଏ ତେବେ ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଟ୍ରାଫିକ୍ ପରିସ୍ଥିତି ଅନୁଯାୟୀ, ରୁଟ୍ ଡାଇଭର୍ସନ ମଧ୍ୟ ପରିବର୍ତ୍ତନ ହୋଇପାରେ । ଏଭଳି ପରିସ୍ଥିତିରେ, ଘରୁ ବାହାରିବା ପୂର୍ବରୁ, ଦିଲ୍ଲୀ ଟ୍ରାଫିକ୍ ପୁଲିସର ଅଫିସିଆଲ୍ ହ୍ୟାଣ୍ଡେଲରେ ସର୍ବଶେଷ ଅପଡେଟ୍ ଯାଞ୍ଚ କରିବାକୁ କୁହାଯାଇଛି ।
