ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ମୃତଦେହ ନେବା ପାଇଁ ମିଳିଲାନି ମହାପ୍ରୟାଣ ସେବା । ଶେଷରେ ରାସନ କାର୍ଡ ବନ୍ଧକ ରଖି ଘରୋଇ ଆମ୍ବୁଲାନ୍ସ ଯୋଗେ ନବଜାତ ଶିଶୁର ମୃତଦେହ ଘରକୁ ନେଲେ ପରିବାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଦଳେଇଗୁଡ଼ା ଗାଁରେ । ଦଳେଇଗୁଡ଼ାର ନକୁଳ ଭତରା ଓ ଅମ୍ବିକା ନାୟକଙ୍କ ନବଜାତ ଶିଶୁପୁତ୍ର ଗତ ୨୯ ତାରିଖ ରାତିରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ହୋଇଥିଲା ।
ଶିଶୁଟି ୭ ମାସରେ ଜନ୍ମ ହୋଇଥିବାରୁ ତାର ଓଜନ କମ୍ ଥିବା ଦର୍ଶାଇ ଡାକ୍ତରମାନେ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପରେ ଗତ ୫ ତାରିଖରେ ଶିଶୁଟିକୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର କହିଛି । ମୃତଦେହ ଘରକୁ ନେବା ପାଇଁ ପରିବାର ମହାପ୍ରୟାଣ ସେବା ନିମନ୍ତେ ଅନୁରୋଧ କରିଥିଲେ । କିନ୍ତୁ ଏହି ସେବା ମିଳିନଥିବା ପରିବାରର ଅଭିଯୋଗ ।
ମୃତଦେହକୁ ଘରକୁ ନେବା ପାଇଁ ଶେଷରେ ପରିବାର ଏକ ଘରୋଇ ଆମ୍ବୁଲାନ୍ସର ସହାୟତା ନେଇଥିଲେ । ଏଥିପାଇଁ ପ୍ରାୟ ୫ ହଜାର ଟଙ୍କା ଯୋଗାଡ଼ କରିବାକୁ ରାସନ କାର୍ଡ ବନ୍ଧକ ରଖିଥିବା ମଧ୍ୟ ଅଭିଯୋଗ ହୋଇଛି । ଶୁକ୍ରବାର ସକାଳେ ମୃତଦେହ ଦଳେଇଗୁଡ଼ାସ୍ଥିତ ଘରେ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ଘଟଣା ମହାପ୍ରୟାଣ ସେବାର ଉପଲବ୍ଧତା ନେଇ ପ୍ରଶ୍ନ ଉଠାଇଛି । ପରିବାରର ଅଭିଯୋଗ ଉପରେ ସମ୍ପୃକ୍ତ ବିଭାଗର ପ୍ରତିକ୍ରିୟା ମିଳିନାହିଁ ।