ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମା’ଙ୍କ ଆଗମନରେ ଭକ୍ତିମୟ ପରିବେଶ, ଶକ୍ତିପୀଠରେ ନବମୀ ଓ ମଣ୍ଡପରେ ଚାଲିଛି ଅଷ୍ଟମୀ ପୂଜା। ସାରା ରାଜ୍ୟରେ ଦୁର୍ଗାପୂଜାର ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିବାବେଳେ, ଶକ୍ତିପୀଠରେ ନବମୀ ଏବଂ ପୂଜାମଣ୍ଡପଗୁଡ଼ିକରେ ଅଷ୍ଟମୀ ପୂଜା ସାଙ୍ଗକୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ସକାଳୁ ସକାଳୁ ଭିଡ଼, ଦିନତମାମ ଗହଳି ଆଉ ରାତିରେ ଚକାଜାମ। ପୂଜା ମଣ୍ଡପରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି । ଗତକାଲି କିଛି ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜା ଧୁମଧାମରେ ହୋଇଛି। ଆଉ କିଛି ମଣ୍ଡପରେ ସପ୍ତମୀ ପୂଜା ହୋଇଛି। ଆଜି କିଛି ମଣ୍ଡପରେ ମହାଷ୍ଟମୀ, ପୀଠରେ ମହାନବମୀ ପୂଜା। ଗାଁଠୁ ସହର ସବୁଠି ପାର୍ବଣର ପରିବେଶ। ଭୁବନେଶ୍ବର ଏବଂ କଟକରେ ଝଲସୁଛି ମାଳ ମାଳ ସୁଦୃଶ୍ୟ ତୋରଣ । ସଂଧ୍ୟା ହେଲେ ଆଲୋମାଳାରେ ଝଟକୁଛି ରାସ୍ତା ଘଟ । କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ମା’ଙ୍କ ପୂଜାକୁ ନେଇ ଦେଖିବାକୁ ମିଳୁଛି ଉତ୍ସାହ। ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗିନ ଆଲୋକମାଳାରେ ଝଲସୁଛି ପୂଜାସ୍ଥଳୀ।