Before Header

ମନ କି ବାତରେ କଣ କହିଲେ ମୋଦି?

0 41

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ର ୭୭ତମ ସଂସ୍କରଣ ଥିଲା । ଯେଉଁଥିରେ ମୋଦି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିଛନ୍ତି । ତେବେ ଗୋଟିଏ ମାସରେ ଦେଶ ସାମ୍ନା କରିଥିବା ସାମୁଦ୍ରିକ ଝଡ଼ ତାଉତେ ଓ ୟାଶ ଉପରେ ଆଲୋଚନା କରିଛନ୍ତି ମୋଦି । ବାତ୍ୟା ସମୟରେ ଉଦ୍ଧାର ଅଭିଯାନରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ସେ କହିଛନ୍ତି ଯେ, କରୋନା ଭଳି ବିପର୍ଯ୍ୟୟ ସମୟରେ ବାତ୍ୟାରେ ପ୍ରଭାବିତ ରାଜ୍ୟର ଲୋକ ଅସାମାନ୍ୟ ସାହାସ, ଧୈର୍ଯ୍ୟ ଏବଂ ଶୃଙ୍ଖଳାର ସହ ପରିସ୍ଥିତିକୁ ମୁକାବିଲା କରିଛନ୍ତି । ସେମାନଙ୍କୁ ଉଦ୍ୟମକୁ ପ୍ରଶଂସା କରିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସମସ୍ତଙ୍କୁ ଅଭିବାଦନ ଜଣାଉଛି । ପ୍ରିୟ ପରିଜନଙ୍କୁ ହରାଇଥିବା ଜନତାଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ଆମେ ଦୃଢ଼ଭାବେ ସମ୍ମିଳିତ ହୋଇ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବା।

ସେହିପରି କରୋନା ପ୍ରସଙ୍ଗରେ କହିବାକୁ ଯାଇ ମୋଦି କହିଛନ୍ତି ଯେ, ପ୍ରକୃତରେ କହିବାକୁ ଗଲେ କୋଭିଡ୍‌ ବିରୋଧୀ ସଂଗ୍ରାମ ଏତେ ଭୟାବହ ଯେ, ଆମ ଦେଶ ଜଳ, ସ୍ଥଳ ଓ ଆକାଶ ତିନୋଟି ମାର୍ଗରେ ମୁକାବିଲା କରୁଛି। ଶିଳ୍ପ ସଂସ୍ଥାମାନଙ୍କରେ ଆମର ଅଧିକାଂଶ ବୈଜ୍ଞାନିକ, ବିଶେଷଜ୍ଞ ଏବଂ ଟେକ୍ନିସିଆନ ଯୁଦ୍ଧକାଳୀନ ପରିସ୍ଥିତିରେ କାର୍ଯ୍ୟ କରିବା ପରି କାର୍ଯ୍ୟ କରୁଛନ୍ତି। ବିଦେଶରୁ ଦେଶକୁ ଆକ୍ସିଜେନ୍‌, ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌ ଏବଂ କ୍ରାୟୋଜିନିକ୍ ଟ୍ୟାଙ୍କର ଅଣାଯାଉଛି। ତେଣୁ, ଭାରତୀୟ ନୌସେନା, ବାୟୁସେନା, ସେନା, ‘ଡିଆର୍‌ଡିଓ’ ଏବଂ ଆମର ଅନ୍ୟାନ୍ୟ ପ୍ରତିଷ୍ଠାନ ସବୁ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଗୋଟିଏ ପଟେ, ବାୟୁସେନା ବିମାନ ଯୋଗେ ଖାଲି ଟ୍ୟାଙ୍କର୍‌ ସବୁକୁ ଅକ୍ସଜେନ୍‌ କାରଖାନାକୁ ନିଆଯାଉଥିବା ବେଳେ, ଅନ୍ୟ ପଟେ ନୂଆ ଅକ୍ସିଜେନ୍ କାରଖାନା ନିର୍ମାଣ ଶେଷ କରାଯାଉଛି।

କରୋନାର ଦ୍ୱିତୀୟ ଲହର ସମୟରେ ପ୍ରମୁଖ ସମସ୍ୟା ଥିଲା ଦୂରଦୂରାନ୍ତର ଅଞ୍ଚଳକୁ ଡାକ୍ତରୀ ଅକ୍ସଜେନ୍‌ ପ୍ରେରଣ କରିବା। ଏଥିରେ ଅକ୍ସିଜେନ ଟ୍ୟାଙ୍କରର ଡ୍ରାଇଭର ମାନଙ୍କୁ ପ୍ରଶଂସା କରିଛନ୍ତି ମୋଦି । ସେ କହିଛନ୍ତି ଦେଶ ସମ୍ମୁଖୀନ ହୋଇଥିବା ଏହି ସମସ୍ୟାର ମୁକାବିଲା କରିବା ଲାଗି କ୍ରାୟୋଜିନିକ୍‌ ଅକ୍ସିଜେନ୍‌ ଟ୍ୟାଙ୍କରର ଡ୍ରାଇଭରମାନେ ଯୁଦ୍ଧକାଳୀନ ବେଗରେ କାର୍ଯ୍ୟ କରି ଅସୁମାରୀ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଛନ୍ତି। ଦେଶର କୋଣ ଅନୁକୋଣକୁ ଆମ ଯୋଦ୍ଧାମାନେ ଏହି ଅକ୍ସିଜେନ୍‌ ପରିବହନ କରୁଛନ୍ତି। ସେହିପରି ଅକ୍ସିଜେନ ଉତ୍ପାଦନ ଦେଶରେ ବୃଦ୍ଧି ପାଉଥିବା ମଧ୍ୟ କହିଛନ୍ତି ମୋଦି । ସାଧାରଣ ସମୟରେ ଦେଶରେ ଦୈନିକ ୯୦୦ ମେଟ୍ରିକ ଟନ ଅକ୍ସିଜେନ ଉତ୍ପାଦନ ହୁଏ କିନ୍ତୁ ବର୍ତ୍ତମାନ ତାହା ୧୦ ଗୁଣା ବୃଦ୍ଧି ପାଇ ୯୫୦୦ ମେଟ୍ରିକ ଟନରେ ପହଞ୍ଚିଛି ବୋଲି ମୋଦି କହିଛନ୍ତି ।

ସେହିପରି ଅକ୍ସିଜେନ ଟ୍ରେନ ଚଳାଉଥିବା ଜଣେ ମହିଳା ଡ୍ରାଇଭରଙ୍କ ସହ ଆଳାପ କରି ମୋଦି କହିଛନ୍ତି ଏକ ଅକ୍ସିଜେନ ଏକ୍ସପ୍ରେସ ସମ୍ପୂର୍ଣ୍ଣ ଭାବେ ଜଣେ ମହିଳାଙ୍କ ଦ୍ୱାରା ଚାଲୁଥିବା ଜାଣି ଦେଶର ସମସ୍ତ ମା’ ଓ ଭଉଣୀ ଗର୍ବ ଅନୁଭବ କରିବେ । ପ୍ରତ୍ୟେକ ଭାରତୀୟ ବି ଗର୍ବ ଅନୁଭବ କରିବେ। ଦେଶର କରୋନା ଟେଷ୍ଟିଂକୁ ନେଇ ମୋଦି କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ ୩୩କୋଟିରୁ ଅଧିକ ନମୁନା ପରୀକ୍ଷା ସରିଛି । କରୋନା ଆରମ୍ଭରେ ଦେଶରେ ଗୋଟିଏ ମାତ୍ର ପରୀକ୍ଷାଗାର ଥିଲା, କିନ୍ତୁ ଆଜି ଦେଶରେ ଅଢ଼େଇ ହଜାରରୁ ଅଧିକ ପରୀକ୍ଷାଗାର କାର୍ୟ୍ୟ କରୁଛନ୍ତି। ପ୍ରାରମ୍ଭରେ ଦୈନିକ ମାତ୍ର ଅଳ୍ପ କେତେ ଶହ ନମୁନା ପରୀକ୍ଷା ହେଉଥିଲା। ଏବେ ଦୈନିକ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଛି। ସୁରକ୍ଷିତ ରହିବା ଲାଗି ଏଭଳି ଗରମରେ ମଧ୍ୟ ପ୍ରତ୍ୟକ୍ଷ ସେବାକାରୀମାନେ ସବୁବେଳେ ‘ପିପିଇ କିଟ୍‌’ ପିନ୍ଧୁଛନ୍ତି। ତା’ପରେ ଯାଇ ସେମାନେ ସାମ୍ପଲ ଲ୍ୟାବରେ ପହଞ୍ଚୁଛନ୍ତି।

Leave A Reply

Your email address will not be published.