ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ପୁଣି ଆସିଛି ନୂଆ ମୋଡ଼ । ଦୀର୍ଘ ଦିନର ନିରବତା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବିଦ୍ୟାଭାରତୀ । ଅନ୍ୟପଟେ ଏହି ମାମଲାରେ ଆଗୁଆ ଜାମିନ ଆବେଦନକୁ ନେଇ ହାଇକୋର୍ଟରେ ମଧ୍ୟ ଶୁଣାଣି ହୋଇଛି । ହେଲେ ବିଦ୍ୟାଭାରତୀଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ଗତ ୩୧ ତାରିଖରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଥିଲେ। ଏହାପରେ ସେ ଆତ୍ମସମର୍ପଣ କରିଛନ୍ତି। ମାମଲାର ତଦନ୍ତ ସମ୍ପର୍କିତ କେସ୍ ଡାଏରି ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଛୁଟି ପରେ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେଣୁ ଏବେ ଏହି ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର । ପୂର୍ବରୁ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜେଲ୍ ଯାଇଛନ୍ତି। ସେହିପରି ସୌମ୍ୟଙ୍କ ବାପାଙ୍କ ଅଭିଯୋଗରେ ଗତ ସେପ୍ଟେମ୍ବରରେ ଗିରଫ ହୋଇଥିଲେ ତତ୍କାଳୀନ ରୋଷେୟା ମନ୍ମଥ କୁମ୍ଭ। ବିଦ୍ୟାଭାରତୀଙ୍କ ସମେତ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭଙ୍କ ନାଁରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା।