Before Header

ଅଧିକାଂଶ ରାଜ୍ୟରେ ପ୍ରଭାବ ନ ଥାଇ ବି କେମିତି ଜିତିଲେ ଜୋ ବାଇଡେନ୍? ଜାଣନ୍ତୁ ଆମେରିକା ନିର୍ବାଚନ ପ୍ରକ୍ରିୟାର ଜଟିଳ ଗଣିତ

0 190

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିକଟରେ ସମାପ୍ତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ) ନିର୍ବାଚନ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍। ରିପବ୍ଲିକାନ ପାର୍ଟି ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଶାଳ ବ୍ୟବଧାନରେ ହରାଇଛନ୍ତି ବାଇଡେନ୍। ତେବେ ଟ୍ରମ୍ପ ଅଧିକାଂଶ ରାଜ୍ୟରେ ବିଜୟୀ ହୋଇଥିଲେ ମଧ୍ୟ କେମିତି ଜିତିଲେ ବାଇଡେନ୍? ଇଲେକ୍ଟୋରାଲ ଭୋଟ କ’ଣ? କେମିତି ହୁଏ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ? ଭାରତରେ ହେଉଥିବା ସାଧାରଣ ନିର୍ବାଚନ ଏବଂ ଆମେରିକା ନିର୍ବାଚନ ମଧ୍ୟରେ କ’ଣ ରହିଛି ଫରକ? ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚୟ। ଏ ସବୁ ସନ୍ଦେହକୁ ଆପଣଙ୍କ ମନରୁ ସବୁଦିନ ପାଇଁ ଦୂର କରିବାକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା।

ଆମ ଦେଶର ଆଇନ ତିଆରି କରିବା ପାଇଁ ରହିଛି ସଂସଦ ବା ପାର୍ଲାମେଣ୍ଟ। ଏଥିରେ ରହିଛି ଦୁଇଟି ଗୃହ ଯଥା; ଲୋକସଭା ଏବଂ ରାଜ୍ୟସଭା। ମାନ୍ୟତା ହିସାବରେ ଲୋକସଭା ନିମ୍ନ ସଦନ ହୋଇଥିଲେ ମଧ୍ୟ ଏହାର ଆକାର ରାଜ୍ୟସଭା ତୁଳନାରେ ବଡ଼। କାରଣ ଲୋକସଭାର ସଦସ୍ୟ ସଂଖ୍ୟା ୫୪୫ ହୋଇଥିବାବେଳେ ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି ୨୫୦ ସଦସ୍ୟ। ଭାରତୀୟ ପାର୍ଲାମେଣ୍ଟରେ ରାଜ୍ୟସଭାକୁ ଉଚ୍ଚ ସଦନର ମାନ୍ୟତା ମିଳିଛି। ହେଲେ ଭାରତରେ ସରକାର ଗଠନ କରିବାରେ ରାଜ୍ୟସଭାର କୌଣସି ଭୂମିକା ନ ଥାଏ। ଯେକୌଣସି ଦଳ କେବଳ ଲୋକସଭା ଆସନ ସଂଖ୍ୟାର ୫୦ ପ୍ରତିଶତରୁ ଗୋଟିଏ ଅଧିକ ଅର୍ଥାତ୍ ୨୭୩ ଆସନ ପାଇଲେ ସରକାର ଗଠନ କରିବାକୁ ସମର୍ଥ ହୋଇଥାଏ। କିନ୍ତୁ ଆମେରିକାରେ ଏହି ଗଣିତ ଟିକେ ଭିନ୍ନ। ଆମେରିକା ପାର୍ଲାମେଣ୍ଟକୁ କଂଗ୍ରେସ କୁହାଯାଏ। ଏଥିରେ ମଧ୍ୟ ଦୁଇଟି ସଦନ ରହିଛି। ଗୋଟିଏ ହେଉଛି ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ ଏବଂ ଅନ୍ୟଟି ସିନେଟ୍। କଂଗ୍ରେସର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ ନିମ୍ନ ସଦନ ହୋଇଥିଲେ ମଧ୍ୟ ଆକାରରେ ଏହା ବଡ଼, ଠିକ୍ ଭାରତର ଲୋକସଭା ଭଳି। ଏହାର ସଦସ୍ୟ ସଂଖ୍ୟା ୪୩୮। ସେହିପରି ଆମେରିକାର ୫୦ ରାଜ୍ୟରୁ ଦୁଇଜଣ ଲେଖାଏଁ ପ୍ରତିନିଧି ନିର୍ବାଚିତ ହୋଇ ସିନେଟରେ ବସନ୍ତି। ଅର୍ଥାତ୍ ସିନେଟର ସଦସ୍ୟ ସଂଖ୍ୟା ୧୦୦। ଏହିପରି ଆମେରିକୀୟ କଂଗ୍ରେସର ସଦସ୍ୟ ସଂଖ୍ୟା ହେଉଛି ୫୩୮। ତେବେ ଭାରତଠାରୁ ଭିନ୍ନ ଆମେରିକାରେ ସରକାର ଗଠନ ପାଇଁ ଉଭୟ ଗୃହର ସଦସ୍ୟ ସଂଖ୍ୟାକୁ ମିଶାଇ ତାହାର ୫୦ ପ୍ରତିଶତ ଯୁକ୍ତ ୧ ଅର୍ଥାତ୍ ୨୭୦ ସଦସ୍ୟ ଆବଶ୍ୟକ। ଆମେ ଏଠାରେ ସୂଚାଇ ଦେବାକୁ ଚାହିଁବୁ ଯେ ଜୋ ବାଇଡେନ୍ ୨୯୦ ଇଲେକ୍ଟୋରାଲ ଭୋଟ ପାଇ ଟ୍ରମ୍ପଙ୍କୁ ହରାଇଛନ୍ତି। ଜାନୁଆରୀରେ ସେ ରାଷ୍ଟ୍ରପତି ଭାବେ ଶପଥ ନେବେ। ଟ୍ରମ୍ପ ମାତ୍ର ୨୧୪ ଇଲେକ୍ଟୋରାଲ ଭୋଟ ପାଇଛନ୍ତି। ଆମେରିକାରେ ନିର୍ବାଚନ ପ୍ରକ୍ରିୟା ବହୁତ ଲମ୍ବା ଯାହା ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ଚାଲେ। ଜଣେ ବ୍ୟକ୍ତି ସର୍ବାଧିକ ଦୁଇଥର ଆମେରିକା ରାଷ୍ଟ୍ରପତି ହୋଇପାରନ୍ତି। ଉଦାହରଣ ଭାବେ ବିଲ୍ କ୍ଲିଣ୍ଟନ ଏବଂ ବାରାକ ଓବାମାଙ୍କୁ ନିଆଯାଇପାରେ। ଟ୍ରମ୍ପ କିନ୍ତୁ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୪ ବର୍ଷ ହୋଇଥାଏ। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଅନ୍ୟ ପ୍ରାୟ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥାଏ। କେବଳ ରାଜ୍ୟସଭା ସଦସ୍ୟ ୬ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି।

ଏବେ ଆସନ୍ତୁ ନଜର ପକାଇବା ଆମେରିକା ନିର୍ବାଚନରେ ଇଲେକ୍ଟୋରାଲ ଭୋଟ କ’ଣ। ଭାରତର ଉଦାହରଣ ଦେଇ ଆପଣଙ୍କ ମନରେ ଥିବା ଏହି ସନ୍ଦେହ ଆମେ ଦୂର କରୁଛୁ। ଯେପରି ଆପଣ ଜାଣନ୍ତି, ଲୋକସଭାର ସଦସ୍ୟ ସଂଖ୍ୟା ହେଉଛି ୫୪୫। ବିଭିନ୍ନ ରାଜ୍ୟରୁ ନିର୍ଦ୍ଦିଷ୍ଟ ସଂଖ୍ୟକ ସଦସ୍ୟ ନିର୍ବାଚିତ ହୋଇ ଏହି ସଦନକୁ ଆସିଥାନ୍ତି। ଯେପରି ଲୋକସଭାରେ ଓଡ଼ିଶାରୁ ୨୧ ସଦସ୍ୟ ନିର୍ବାଚିତ ହୁଅନ୍ତି। ଉତ୍ତରପ୍ରଦେଶରୁ ୮୦, ମହାରାଷ୍ଟ୍ରରୁ ୪୮, ବିହାରରୁ ୩୯, ତାମିଲନାଡ଼ୁରୁ ୩୮, କର୍ଣ୍ଣାଟକରୁ ୨୭, ଉତ୍ତରାଖଣ୍ଡରୁ ୫, ମଣିପୁରରୁ ୨, ମେଘାଳୟରୁ ୨ ଏହିପରି ୫୪୫ ସଦସ୍ୟ ଲୋକସଭାରେ ପ୍ରତିନିଧିତ୍ୱ କରନ୍ତି। ସେହିପରି ଆମେରିକୀୟ କଂଗ୍ରେସର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭକୁ ୫୦ ରାଜ୍ୟର ପ୍ରତିନିଧି ନିର୍ବାଚିତ ହୋଇ ଆସନ୍ତି। ଯଦି ଉତ୍ତରପ୍ରଦେଶର ଲୋକସଭା ଆସନ ସଂଖ୍ୟା ୮୦, ବିଜେପି ୬୫ରେ ବିଜୟୀ ହେଲା ଏବଂ କଂଗ୍ରେସ ୧୫ଟିରେ ବିଜୟୀ ହେଲା ତେବେ ଏହି ସଂଖ୍ୟା ସମ୍ପୃକ୍ତ ରାଜନୈତିକ ଦଳ ଖାତାକୁ ଯାଏ। ଅର୍ଥାତ୍ ବିଜେପି ଖାତାକୁ ୬୫ ଏବଂ କଂଗ୍ରେସ ଖାତାକୁ ୧୫ଟି ଆସନ ଯାଏ। କିନ୍ତୁ ଆମେରିକାରେ ଏପରି ହୁଏନାହିଁ। ଯେହେତୁ ଆମେରିକାରେ ବାଇ ପାର୍ଟି ସିଷ୍ଟମ ଏବଂ ଏଠି କେବଳ ଦୁଇଟି ଦଳ (ଡେମୋକ୍ରାଟିକ୍, ରିପବ୍ଲିକାନ) ହିଁ ନିର୍ବାଚନ ଲଢ଼ନ୍ତି ତେଣୁ ଭୋଟରଙ୍କ ପାଖରେ ଏହି ଦୁଇ ପାର୍ଟି ବ୍ୟତୀତ ଅନ୍ୟ ବିକଳ୍ପ ନ ଥାଏ। ଅର୍ଥାତ୍ ଭୋଟରମାନେ ଦୁଇ ଦଳ ମଧ୍ୟରୁ କୌଣସି ଗୋଟିଏକୁ ହିଁ ଚୟନ କରନ୍ତି। ଆମେରିକାର ୫୦ ରାଜ୍ୟ ମଧ୍ୟରୁ କାଲିଫର୍ଣ୍ଣିଆ ଅନ୍ୟତମ। ଏହି ରାଜ୍ୟରେ ଆସନ ସଂଖ୍ୟା ହେଉଛି ୫୫। ଅର୍ଥାତ୍ ଅନ୍ୟ ରାଜ୍ୟ ତୁଳନାରେ ବହୁତ ଅଧିକ। ଯେପରି ଭାରତର ଉତ୍ତରପ୍ରଦେଶ (୮୦)। ଧରିନିଅନ୍ତୁ କାଲିଫର୍ଣ୍ଣିଆରେ କୌଣସି ଗୋଟିଏ ପାର୍ଟିକୁ ୨୮ ଆସନ ମିଳିଲା ଏବଂ ଅନ୍ୟକୁ ୨୭। ଭାରତୀୟ ନିୟମ ହିସାବରେ ଗଣିଲେ ଯଦି ଡେମୋକ୍ରାଟିକ ପାର୍ଟିକୁ ୨୮ ମିଳିଲା ଏହି ଆସନ ଡେମୋକ୍ରାଟିକ ପାର୍ଟି ଖାତାକୁ ଯିବ। ଅବଶିଷ୍ଟ ୨୭ ଆସନ ରିପବ୍ଲିକାନ ପାର୍ଟିର। କିନ୍ତୁ ଆମେରିକାରେ ଏହି ନିୟମ ଲାଗୁ ହୁଏ ନାହିଁ। ଯେହେତୁ ଡେମୋକ୍ରାଟିକ ପାର୍ଟି ଅଧିକ (୨୮) ଆସନରେ ବିଜୟୀ ହୋଇଛି ତେଣୁ ଉକ୍ତ ରାଜ୍ୟରେ ଡେମୋକ୍ରାଟିକ ପାର୍ଟି ବିଜୟୀ ହୋଇଛି। ତେଣୁ କାଲିଫର୍ଣ୍ଣିଆର ସମସ୍ତ ୫୫ ଆସନ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଖାତାରେ ଗଣାଯିବ। ଆଉ ଏହି ୫୫ ଆସନ ହିଁ ୫୫ ଇଲେକ୍ଟୋରାଲ ଭୋଟ। ଅର୍ଥାତ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀଙ୍କୁ ୫୫ଟି ଇଲେକ୍ଟୋରାଲ ଭୋଟ ମିଳିଲା ବୋଲି ଗଣାଯିବ।

ଏବେ ଆସନ୍ତୁ ନଜର ପକାଇବା ଟ୍ରମ୍ପ ଅଧିକାଂଶ ରାଜ୍ୟରେ ବିଜୟୀ ହୋଇଥିଲେ ବି କେମିତି ଜିତିଲେ ବାଇଡେନ । ଭାରତର ବିଭିନ୍ନ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ଭିନ୍ନ ଅର୍ଥାତ୍ କମ ବେଶି ହୋଇଥାଏ। ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ଆସନ (୮୦) ଥିବାବେଳେ ଉତ୍ତରାଖଣ୍ଡ, ମଣିପୁର, ମେଘାଳୟ ଭଳି ଛୋଟ ରାଜ୍ୟରେ ଆସନ ସଂଖ୍ୟା କମ ହୋଇଥାଏ। ଆମେରିକାରେ ବି ଠିକ୍ ସେମିତି ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଅଧିକ ଓ କମ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଆସନ ସଂଖ୍ୟା କମ ହୋଇଥାଏ। ଟ୍ରମ୍ପ ଅଧିକ ରାଜ୍ୟରେ ବିଜୟୀ ହୋଇଛନ୍ତି ସତ କିନ୍ତୁ ବାଇଡେନ୍ ଅଧିକ ଆସନ ଥିବା ବଡ଼ ରାଜ୍ୟଗୁଡ଼ିକରେ ବାଜିମାତ୍ କରିଥିବାରୁ ସେ ୨୯୦ ଇଲେକ୍ଟୋରାଲ ଭୋଟ ପାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।

ଯଦି ଆପଣ ଆମେରିକା ନିର୍ବାଚନର ଏହି ଜଟିଳ ଗଣିତ ବୁଝିପାରିଲେ ତେବେ ଏହାକୁ ଲାଇକ୍, ସେୟାର କରି ଅନ୍ୟମାନଙ୍କୁ ସୁଯୋଗ ଦିଅନ୍ତୁ। ଧନ୍ୟବାଦ।

Leave A Reply

Your email address will not be published.