Before Header

ମାଆ ମଙ୍ଗଳାଙ୍କ ତୃତୀୟ ପାଳି ଚଇତି ପର୍ବ

0 897

କାକଟପୁର (ବଡ଼ ଖବର ବ୍ୟୁରୋ): ଆଜି କାକଟପୁରବାସିନୀ ମଙ୍ଗଳମୟୀ ମାଆ ମଙ୍ଗଳାଙ୍କ ତୃତୀୟ ପାଳି ଚୈତ୍ର ପର୍ବ ଅନୁଷ୍ଠିତ ହେଉଛି । ମା’ଙ୍କ ପବିତ୍ର ଶକ୍ତି ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଆଜିର ଦିନରେ ମାଆଙ୍କ ବିଶେଷ ନୀତିକାନ୍ତି ପୂଜାର୍ଚ୍ଚନା ହୋଇଥାଏ । ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଦିଆଯାଏ।

ମାଆଙ୍କୁ ଦର୍ଶନ କରିବା ସହ ସୀମନ୍ତିନୀ ଗଣ ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି। ସକାଳ ଧୂପ ପରେ ପ୍ରାୟତଃ ମଧ୍ୟାହ୍ନ ସମୟରେ ପାଟୁଆ ନୃତ୍ୟ ଅନୁଷ୍ଠିତ ହୁଏ। ଏହାପରେ ମନ୍ଦିର ଗର୍ଭଗୃହ ଖାଲି କରାଯାଇ ଦ୍ବିପ୍ରହର ଧୂପ ଓ ଭଅଣ୍ଡ ଧୂପ କରାଯାଏ ଏବଂ ଦ୍ବିପ୍ରହର ପହୁଡ ପଡେ। ସନ୍ଧ୍ୟା ଆଳତି କରାଯାଇ ଉଲାଗି ଓ ମାର୍ଜନା କରାଯାଏ। ବେଶ ପରେ ଭାଗବତ ପାଠ ହୁଏ । ପ୍ରାୟତଃ ମଧ୍ୟରାତ୍ରି ସମୟରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ଖମାରେଇ ପରିବାର ଏଥିପାଇଁ ଉଦ୍ଦିଷ୍ଟ। ନିର୍ଦ୍ଦିଷ୍ଟ ବ୍ୟକ୍ତି ଦିନସାରା ଉପବାସ କରିଥାଏ। ରାତ୍ରି ପ୍ରାୟ ୧୧ ଟାରେ ଦେବୀ ଙ୍କର ପୂର୍ବତନ ଗୋଶାଳାରେ ମହାକାଳୀ ବେଶରେ ସଜ୍ଜିତ ହୋଇ ଖଡ୍ଗ ଧାରଣ ପୂର୍ବକ ଘଣ୍ଟ, ଢୋଲ, ମହୁରୀ, ମଶାଲ ମଧ୍ୟରେ ମାଆଙ୍କ ମନ୍ଦିର ଅଭିମୁଖେ ନାଚି ନାଚି ଯାତ୍ରା କରେ। ଏକଥର ବେଢା ପରିକ୍ରମା କରି ମନ୍ଦିର ମଧ୍ୟକୁ ପ୍ରବେଶ କରେ। ମାଆଙ୍କର ସନ୍ଧ୍ୟା ଆଳତିର ପରବର୍ତ୍ତୀ ବେଶକୁ ଦର୍ଶନ କରି ଦକ୍ଷିଣ ଦ୍ବାର ଦେଇ ନିର୍ଗତ ହୁଏ।

ନାନା ବାଦ୍ୟ ମଧ୍ୟରେ ଓ ଦର୍ଶକ ମାନଙ୍କ ଦ୍ଵାରା ବେଷ୍ଟିତ ହୋଇ ଏହି ତୃତୀୟ ପାଳିରେ ତିନି ଥର ବେଢା ପରିକ୍ରମା କରି କାକଟେଇଙ୍କ ମନ୍ଦିରକୁ ତିନି ଥର ପରିକ୍ରମା କରି ଦେବୀଙ୍କ ପୂର୍ବତନ ଗୋଶାଳା ଅଭିମୁଖେ ନାଚି ନାଚି ଚାଲିଥାଏ। ଗୋଶାଳା ନିକଟରେ ନିସ୍ତେଜ ହୋଇ ପତିତ ହୁଏ ଓ କାଳିକା ନାଚର ସମାପ୍ତି ଘଟିଥାଏ। ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣୀ ନୀତି ଅନୁଷ୍ଠିତ ହୋଇଥାଏ।ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମା’ ଙ୍କର ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମା ଙ୍କୁ ଗୋଟିଏ ଆସନରେ ରଖି ମା’ ଙ୍କର ମନ୍ଦିର ର ବେଢା କୁ ତିନି ଥର ପରିକ୍ରମା କରାଯାଇଥାଏ। ଏହାପରେ ମନ୍ଦିର କୁ ଫେରାଇ ନିଆଯାଇ ସିଂହାସନ ଉପରେ ‘ଭ୍ରମଣୀ ଭୋଗ’ ନାମରେ ଏକ ବାଲ୍ୟ ଭୋଗ ଅର୍ପଣ କରାଯାଇଥାଏ। ଏହାପରେ ମା’ ଙ୍କର ପହଡ ପଡିଥାଏ।

Leave A Reply

Your email address will not be published.