Chandbali durniti

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଦେଲେ ଜିଲ୍ଲାପାଳ । ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀ ମାନଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଦର୍ଶାଇ ଅର୍ଥ ଆତ୍ମସାତ କରୁଛନ୍ତି ସରକାରୀ କର୍ମଚାରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଗୋପିନାଥପୁର ଗ୍ରାମପଞ୍ଚାୟତରେ ୧୦ ଜଣ ନାବାଳକ ଓ ନାବାଳିକାଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଭାବେ ଦର୍ଶାଇ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିମାନେ ସରକାରୀ ଟଙ୍କା ହରିଲୁଟ କରୁଥିଲେ । ମୋଟ ୮୩ ହଜାର ୯୪୪ ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିବା ପରେ ମଧ୍ୟ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଗୋପୀନାଥପୁର ପଞ୍ଚାୟତରେ ୧୦ରୁ ଅଧିକଙ୍କ ନାମରେ ଜାଲି ଆଧାରକାର୍ଡ଼ ପ୍ରସ୍ତୁତ କରି ୨୦୨୧-୨୨ ରୁ ୨୦୨୩-୨୪ ଆର୍ଥୀକ ବର୍ଷ ପର୍ୟ୍ୟନ୍ତ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରେ କାର୍ୟ୍ୟ କରିଥିବା ଦର୍ଶାଇ ମନରେଗା ଯୋଜନାରେ ମୋଟ ୮୩ ହଜାର ୯୪୪ ଟଙ୍କା ପ୍ରଦାନ କରାଯାଇଥିଲା ।

ଏହା ଜଣିବା ପରେ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁ ଚଳିତ ବର୍ଷ ଅଗଷ୍ଟ ମାସ ୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ କାର୍ୟ୍ୟାଳୟ ର ମନରେଗା ସଂଯୋଜକ ଓ ସହକାରୀ କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ୯ ତାରିଖ ରେ ଉକ୍ତ ପଞ୍ଚାୟତକୁ ଗସ୍ତ କରି ତଦନ୍ତ କରିବା ସହ ୧୯ ତାରିଖରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ । ତଦନ୍ତ ସମୟରେ ୮ ଜଣ ଛାତ୍ର ଛାତ୍ରୀଙ୍କ ହାଇସ୍କୁଲ ସାର୍ଟିଫିକେଟ ସହ ଜାଲି ଆଧାର କାର୍ଡ଼ରେ ଉଲ୍ଲେଖ ଥିବା ଜନ୍ମ ତାରିଖ ମଧ୍ୟରେ ତାଳମେଳ ନଥିବା ରିପୋର୍ଟରେ ଦର୍ଶାଯାଇଛି ।

ଏହି ଦୁର୍ନିତିରେ ସମ୍ପୃକ୍ତ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ରୀତାରାଣୀ ମୁଦୁଲି ଓ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁ ଧିରେନ୍ଦ୍ର ନାୟକଙ୍କୁ ଦାୟୀ କରାଯାଇଛି । ଉଭୟଙ୍କ ବିରୁଦ୍ଧରେ ଅର୍ଥ ଆତ୍ମସାତ୍, ସରକାରୀ ନିୟମାବଳୀର ଉଲଙ୍ଘନ କରିଥିବା ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଗ୍ରାମ ରୋଜଗାର ସେବକ ରୀତାରାଣୀ ମୁଦୁଲି, ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଧିରେନ୍ଦ୍ର ନାୟକ ଓ ସରପଞ୍ଚ ବାପୁନ ବାରିକଙ୍କ ଠାରୁ ଚାନ୍ଦବାଲି ବିଡ଼ିଓ ମୋଟ ୯୬ ହଜାର ୯୮୪ ଟଙ୍କା ଆଦାୟ କରିଛନ୍ତି । ଏହି ୩ ଜଣଙ୍କ ସମେତ ମୋଟ ୬ ଜଣଙ୍କୁ ଚାନ୍ଦବାଲି ବିଡ଼ିଓ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ।

ସରକାରୀ କାଗଜପତ୍ରରେ ଜାଲିଆତି କରିବା, ମନରେଗା ନିୟମାବଳୀର ଉଲଙ୍ଘନ କରି ସରକାରୀ ଅର୍ଥ ଅତ୍ମସାତ ଭଳି ଘଟଣା ଘଟିଥିଲେ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଅର୍ଥ ଆଦାୟ ସହ ଥାନାରେ ଅପରାଧିକ ମାମଲା ଦାୟର ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ୨୦୧୦ ମସିହା ନଭେମ୍ବର ୬ ତାରିଖରେ ଗେଜେଟ୍ ନୋଟିଫିକେସନ ପ୍ରକାଶ ପାଇଥିଲା । ଏହି ଘଟଣାରେ ଆତ୍ମସାତ୍ ହୋଇଥିବା ଅର୍ଥ ଆଦାୟ ହୋଇଥିଲେ ମଧ୍ୟ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କିମ୍ବା ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗକାରୀ ହିମାଂଶୁ ଶେଖର ନାୟକ କହିଛନ୍ତି । ଅଭିଯୋଗ ର ସତ୍ୟତା ଥିଲେ ମଧ୍ୟ ଗ୍ରାମ ରୋଜଗାର ସେବକଙ୍କୁ ବହିଷ୍କାର କରିବା ପରିବର୍ତ୍ତେ ତାଙ୍କୁ ବ୍ଲକ କାର୍ୟ୍ୟାଳୟକୁ ବଦଳି କରି ଜିଲ୍ଲାପାଳ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଉଥିବା ଶେଖର ନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *