ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଫେରିଲା କୋଭିଡ୍ । ଦେଶରେ ପୁଣି ଘାରିଲା କୋରନା ଭୟ । ଗୁରୁବାର ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାର ମାସାପେଟା ଅଞ୍ଚଳରରୁ ଆସିଛି ଦୁଃଖଦ ଖବର । ୪୬ ବର୍ଷୀୟ ଜଣେ ବ୍ୟକ୍ତିଙ୍କର କୋରନାରେ ମୃତ୍ୟୁ ହୋଇଛି । ସିଟି ସ୍କାନ ପରେ କୋଭିଡ଼ ହୋଇଥିବା ଜଣାପଡ଼ିଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ପରେ ସଂପୃକ୍ତ ଅଞ୍ଚଳରେ ସାନିଟାଇଜେସନ୍ କରିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସ୍ କରାଯାଉଛି । ଏହା ସହ ସ୍ଥାନୀୟ ଅଞ୍ଚଳରେ ସତର୍କ ଜାରି କରାଯାଇଛି । ମୃତକଙ୍କ ଚାରି ଦିନ ଧରି ଆଣ୍ଟିବାୟୋଟିକ୍ ଦିଆଯାଉଥିଲା । ହେଲେ ତାଙ୍କ ଲକ୍ଷଣରେ କିଛି ପରିବର୍ତ୍ତନ ଆସି ନଥିଲା ।
ସ୍ୱାସ୍ଥ ଅଧୀକାରୀଙ୍କ କହିବା ଅନୁଯାୟୀ ଏକ୍ସରେରେ ମୃତକଙ୍କ ଉଭୟ ଫୁସଫୁସ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଥିବା ଜଣାପଡିଥିଲା । ଯାହା ଫଳରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ଟେଷ୍ଟ ରିପୋର୍ଟରୁ ତାଙ୍କର କୋଭିଡ ପଜିଟିଭ୍ ଆସିଥିଲା । ସେପଟେ କଡପା ଜିଲ୍ଲାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ମୃତକ କଡପାର ମାସାପେଟା ଅଞ୍ଚଳର ବାସିନ୍ଦା । ସେ ପ୍ରାୟତଃ ନିଶା ସେବନ କରୁଥିଲେ । ନିଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଅନ୍ୟପଟେ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କଡପା ଏବଂ ତିରୁପତି ଜିଲ୍ଲାରେ ଆଉ ୪ଜଣ କୋରନାରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ମେଡିକାଲ ଏଜୁକେସନ ନିଦେ୍ର୍ଦଶକ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଆଇସୋଲେସନ୍ ବେଡ, ଆଇସିୟୁ ବେଡ, ଅକ୍ସିଜେନ୍, ଭେଣ୍ଟିଲେଟର, ଔଷଧ, ରାପିଡ୍ ଟେଷ୍ଟ କିଟ୍, ଆମ୍ବୁଲାନ୍ସ ଏବଂ ମେଡିକାଲ ଷ୍ଟାଫଙ୍କଟ୍ସଜାଗ ରଖିବାକୁ କହିଛନ୍ତି ।
