ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’। ଗଭୀର ଅବପାତ ନେଲା ବାତ୍ୟାର ରୂପ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ଅତି ଭୀଷଣ ବାତ୍ୟାରେ ପରିଣତ ସମ୍ଭାବନା । ଏହା ବର୍ତ୍ତମାନ ବିଶାଖାପାଟଣାରୁ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଆଜି ମଧ୍ୟରାତ୍ରି ସୁଦ୍ଧା ଏହା ଭୀଷଣ ବାତ୍ୟା ରୂପ ନେବ ଏବଂ ୨୭ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେବ। ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନ ୧୪୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।
ଆଜିଠୁ ବଦଳିବ ପାଣିପାଗ। ରାତି ଆରମ୍ଭ ହେବ ଭୀଷଣ ବର୍ଷା। ବାତ୍ୟା ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ପ୍ରବଳ ବର୍ଷା ହେବ । ୨୭ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିପାରେ । ୨୮ ତାରିଖ ରାତି ବେଳକୁ ବାତ୍ୟା ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ଉପର ଦେଇ ଯିବ । ସେବେ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିପାରେ । ୨୮ ତାରିଖ ଦିନ ୧୦ଟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର ଉପକୂଳ କାକିନାଡ଼ା ପାଖରେ ଲ୍ୟାଣ୍ଡଫଲ କରିବ । ସେବେ ପବନର ବେଗ ୧୪୦ କିମି ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । କିନ୍ତୁ ଆମେରିକାର ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ଆକଳନ କହୁଛି, ୨୮ ତାରିଖରେ ଏହା ଅତି ଭୀଷଣ ବାତ୍ୟା ରୂପ ନେବ ସତ, କିନ୍ତୁ ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ୧୧୦ କିମିକୁ ଖସି ଆସିବ ।