ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା। ଅବପାତ ସୃଷ୍ଟି ହେବା ପରେ ଗଭୀର ଅବପାତ, ପରେ ବାତ୍ୟା ଏବଂ ଆଗକୁ ଅତି ଭୀଷଣ ବାତ୍ୟାର ରୂପ ନେବ। ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଥିବା ଅବପାତ ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳ ଭାଗ ଛୁଇଁବ। ସୋମବାର ସୁଦ୍ଧା ବାତ୍ୟାର ରୂପ ନେବା ସହ ଆସନ୍ତା ୨୮ ତାରିଖ ବେଳକୁ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ବପାଟଲା ଓ ବିଶାଖାପଟନମ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ପବନ ବେଗ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ଓ ବର୍ଷାର ଆଶଙ୍କା ରହିଛି।
ବର୍ତ୍ତମାନ ଏହି ଅବପାତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାହା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ରହିଛି । ଆଜି ଏହା ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାପରେ ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ ।ପାଣିପାଗ ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଅବପାତଟି ଘଣ୍ଟା ପ୍ରତି ପ୍ରାୟ ୫ କିଲୋମିଟର ବେଗରେ ଗତି କରୁଛି। ଆଗାମୀ ଦିନରେ ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି। ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଉଥିବା ପରବର୍ତ୍ତୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି।