election

ନୂଆଦିଲ୍ଲୀ (ବଡ଼ ଖବର): କେବଳ ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ନୁହେଁ, ଦେଶର ଅନ୍ୟ କିଛି ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଛି । ଯାହାର ଫଳ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଗୁଜୁରାଟର ମୋରୱା ହଡ଼ଫ ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟିର ନିମିଶାବେନ ସୂଥାର ଉପ-ନିର୍ବାଚନରେ ଜିତିଛନ୍ତି । ସେ ମୋଟ ୬୭୪୫୭ ଭୋଟ୍ ପାଇ କଂଗ୍ରେସର ସୁରେଶ କାଟାରାଙ୍କୁ ୪୫୬୪୯ ଭୋଟରେ ପରାସ୍ତ କରିଛନ୍ତି । କାଟାରା ୨୧୮୦୮ ଭୋଟ୍ ପାଇଛନ୍ତି ।
ଝାଡ଼ଖଣ୍ଡର ମଧୁପୁର ଆସନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ହାଫିଜୁଲ ହାସନ ୫୨୪୭ ଭୋଟରେ ବିଜେପିର ଗଙ୍ଗାନାରାୟଣ ସିଂଙ୍କୁ ପରାସ୍ତ କରିଛନ୍ତି । ହାସନ ୧୧୦୮୧୨ ଭୋଟ୍ ପାଇଥିବାବେଳେ ଗଙ୍ଗାନାରାୟଣ ସିଂ ୧୦୫୫୬୫ ଭୋଟ୍ ପାଇଛନ୍ତି ।

କର୍ଣ୍ଣାଟକର ବସୱକଲ୍ୟାଣ ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବିଜେପିର ଶରାନୁ ସଲଗର ୨୦୬୨୯ ଭୋଟରେ କଂଗ୍ରେସର ମାଲା ବି ନାରାୟଣରାଓଙ୍କୁ ପରାସ୍ତ କରିଛନ୍ତି। ସଲଗରଙ୍କୁ ୭୧୦୧୨ ଭୋଟ୍ ମିଳିଥିଲା । ନାରାୟଣରାଓଙ୍କୁ ୫୦୩୮୩ ଭୋଟ୍ ମିଳିଥିଲା ।
ମଧ୍ୟପ୍ରଦେଶର ଦମୋହରେ ବାଇପୋଲରେ କଂଗ୍ରେସର ଅଜୟ କୁମାର ଟଣ୍ଡନ ୧୭୦୯୭ ଭୋଟରେ ବିଜେପିର ରାହୁଲ ସିଂଙ୍କୁ ପରାସ୍ତ କରିଛନ୍ତି। ଅଜୟ କୁମାରଙ୍କୁ ୭୪୮୩୨ ଭୋଟ୍ ମିଳିଥିଲା । ରାହୁଲ ସିଂ ୫୭୭୩୫ ଭୋଟ୍ ପାଇଥିଲେ। ମହାରାଷ୍ଟ୍ରର ପଣ୍ଡରପୁର ଆସନରେ ବିଜେପିର ଏଏସ ମହାଦେବ ୩୭୩୩ ଭୋଟରେ କଂଗ୍ରେସର ଭାଗୀରଥ ଭରତଙ୍କୁ ପରାସ୍ତ କରିଛନ୍ତି । ମହାଦେବ ୧୦୯୪୫୦ ଭୋଟ ପାଇଥିବାବେଳେ ଭାରତ ୧୦୫୭୧୭ ଭୋଟ୍ ପାଇଛନ୍ତି।
ମିଜୋରାମ ଉପ-ନିର୍ବାଚନରେ ଜୋରାମ ଲୋକ ଆନ୍ଦୋଳନର ଲାଲଦୁହମା ୨୯୫୦ ଭୋଟରେ ଜିତିଛନ୍ତି । ତାଙ୍କୁ ୮୨୬୯ ଭୋଟ୍ ମିଳିଛି । ଦ୍ୱିତୀୟ ସ୍ଥାନରେ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟର ବନଲାଲ ଜୋମା ୫୩୧୯ ଭୋଟ୍ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୩ ନମ୍ବରରେ ଓ ଭାଜପା ପ୍ରାର୍ଥୀ ୪ ନମ୍ବରରେ ସନ୍ତୁଷ୍ଟ ହୋଇଛନ୍ତି ।

ରାଜସ୍ଥାନର ରାଜସମନ୍ଦ ଆସନରେ ବିଜେପିର ଦୀପ୍ତି କିରଣ ମାହେଶ୍ୱରୀ ୫୩୧୦ ଭୋଟରେ କଂଗ୍ରେସର ତନସୁଖ ବୋହରାଙ୍କୁ ପରାସ୍ତ କରିଛନ୍ତି। ମାହେଶ୍ୱରୀ ୭୪୭୦୪ ଭୋଟ୍ ପାଇଛନ୍ତି । ବୋହରା ୬୯୩୯୪ ଭୋଟ୍ ପାଇଥିଲେ ।
ସେହିଭଳି ତେଲେଙ୍ଗାନାର ନାଗାର୍ଜୁନ ସାଗର ଆସନରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ)ର ନୋମୁଲା ଭଗତ ୧୮୮୭୨ ଭୋଟରେ ଜିତିଛନ୍ତି । ସେ ୮୯୮୦୪ ଭୋଟ୍ ପାଇଥିବାବେଳେ ୨ ନମ୍ବର ସ୍ଥାନରେ ଥିବା କଂଗ୍ରେସର କୁନ୍ଦୁରୁ ଜାନାରେଡି ୭୦୯୩୨ ଭୋଟ୍ ପାଇଛନ୍ତି ।
ବିଜେପି ପ୍ରାର୍ଥୀ ମହେଶ ଜୀନା ଉତ୍ତରାଖଣ୍ଡର ସଲ୍ଟ ନିର୍ବାଚନମଣ୍ଡଳୀରୁ ୪୨୬୯ ଭୋଟରେ ଜିତିଛନ୍ତି। ସେ ୨୦୬୧୦ ଭୋଟ ପାଇଥିଲେ । ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସର ଗଙ୍ଗା ପାଞ୍ଚୋଲି ୧୬୩୪୧ ଭୋଟ୍ ପାଇଥିଲେ ।

ଏହା  ବ୍ୟତୀତ ୪ ଟି ଲୋକସଭା ଆସନରେ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ପ୍ରାର୍ଥୀ ଅବଦୁସମଦ୍ ସମାଦାନୀ କେରଳର ମାଲାପୁରମ୍ ଆସନ ଜିତିଛନ୍ତି। ସେ ସିପିଆଇ (ଏମ୍)ର ବିପି ସାନୁଙ୍କୁ ପରାସ୍ତ କରିଥିଲେ। କର୍ଣ୍ଣାଟକର ବେଲଗାମ୍ ଆସନରେ ବିଜେପିର ଏମ୍ ସୁରେଶ କଂଗ୍ରେସର ସତୀଶ ଲକ୍ଷ୍ମଣରାଓଙ୍କୁ ପରାସ୍ତ କରିଛନ୍ତି। ୱାଇଏସଆର୍ କଂଗ୍ରେସର ଏମ ଗୁରୁମୂର୍ତ୍ତି ଆନ୍ଧ୍ରପ୍ରଦେଶର ତିରୁପତି ଆସନ ଜିତିଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁର କନ୍ୟାକୁମାରୀ ଆସନରେ କଂଗ୍ରେସର ବିଜୟ ବସନ୍ତ ୧୩୭୯୫୦ ଭୋଟରେ ବିଜେପିର ରାଧାକୃଷ୍ଣନ ପିଙ୍କୁ ପରାସ୍ତ କରିଛନ୍ତି ।

 

Leave a Reply

Your email address will not be published. Required fields are marked *