ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ହେଉଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ପାଇଁ ବିଶ୍ୱର ବଡ଼ ବଜାର । ତେବେ ଦେଶରେ ଘୃଣା ମନ୍ତବ୍ୟ, ବିଭ୍ରାନ୍ତିକର ତଥ୍ୟ ଓ ମୁସଲମାନ ବିରୋଧି କଣ୍ଟେଣ୍ଟଗୁଡ଼ିକର ବନ୍ୟା ଛୁଟିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଫେସବୁକ କଡ଼ା ସଂଘର୍ଷ ସମ୍ନା କରିବାକୁ ପଡ଼ିଛି ବୋଲି ଶନିବାର ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ପ୍ରକଶ ପାଇଛି । ସାମାଜିକ ଗଣମାଧ୍ୟମ ଗବେଷକମାନେ କହିଛନ୍ତି ଯେ ବିଭ୍ରାନ୍ତି ସୃଷ୍ଟିକାରୀ, ଉତ୍ତେଜକ ଓ ମୁସିଲିମ ବିରୋଧୀ କଣ୍ଟେଣ୍ଟରେ ଭରି ରହିଥିବା ଗ୍ରୁପ ଏବଂ ପେଜ ସଂଖ୍ୟା ବଢିବାରେ ଲାଗିଛି । ସୋସିଆଲ ମିଡିଆ ଜାଏଂଟ ଫେସବୁକରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାର କରାଯାଉଥିବା ଭୁଲ ସୂଚନା ଓ ତଥ୍ୟ, ଦେଶରେ କଣ ପ୍ରଭାବ ପକାଇବ, ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ।

ଫେସବୁକର ପୂର୍ବତନ ପ୍ରଡକ୍ଟ ମ୍ୟାନେଜର, ସିନେଟର ସବକମିଟିରେ କହିଛନ୍ତି, ଭାରତରେ ଫେସବୁକର ପ୍ରଭାବ ନେଇ ସ୍ୱତନ୍ତ୍ର ଭାବେ ଡକ୍ୟୁମେଂଟ ପ୍ରସ୍ତୁତ ହୋଇଥିଲା, ଏବଂ ଏହାର ବଡ ଧରଣର ପ୍ରଭାବ ପଡିବାର ଆଶଙ୍କା ରହିଛି । ଆମେରିକାର ବହୁଳ ପ୍ରସାରିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏନେଇ ରିପୋର୍ଟ ପ୍ରକାଶ କରିଛି । ଫେସବୁକର ପ୍ରଡକ୍ଟ ମ୍ୟାନେଜର ଥିବା ଫ୍ରାନସେସ୍ ହଜେନ୍ ଦୁଇ ସପ୍ତାହ ତଳେ ଆମେରିକା ସିନେଟର ସବକମିଟିରେ ଯେଉଁ ତଥ୍ୟ ଦେଇଛନ୍ତି, ତାହା ବିଶେଷକରି ଆମ ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ । ସବୁଠାରୁ ଅଧିକ ଫେସବୁକ୍ ଆକାଉଣ୍ଟ ପ୍ରାୟ ୩୪ କୋଟି ଭାରତୀୟ ବ୍ୟବହାର କରୁଥିବାବେଳେ ଏହି ତଥ୍ୟ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ।

ଭାରତରେ ଫେସବୁକରେ ଉଦ୍ଦେଶ୍ୟମୂଳକ ଭାବେ ଭୁଲ ଏବଂ ମିଛ ସୂଚନା ପୋଷ୍ଟ କରିବା ସମ୍ପର୍କରେ ‘ଫେସବୁକ୍ ପେପର୍ସ’ ନାମକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଡକ୍ୟୁମେଂଟରେ, ଶାସକ ଦଳ ପକ୍ଷରୁ ରୋବୋର୍ଟ ଓ ମିଛ ଆକାଉଣ୍ଟ ଖୋଲାଯାଇ, ବ୍ୟାପକ ଭାବରେ, ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ ହେଉଛି ବୋଲି ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ବିଶ୍ୱରେ ସବୁଠାରୁ ଅଧିକ ଭୁଲ ଓ ମିଛ ସୂଚନା ଭାରତରେ ହିଁ ପୋଷ୍ଟ ହେଉଛି । ନ୍ୟୁୟର୍କ ଟାଇମ୍ସ ଏବଂ ଆସୋସିଏଟେଡ଼ ପ୍ରେସ ସହିତ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହାତରେ ଲାଗିଥିବା ଏହି ରିପୋର୍ଟ ମୁତାବକ କମ୍ପାନୀ ନିଜର ସବୁଠୁ ବଡ଼ ବଜାରରେ ୟୁଜର୍ସଙ୍କ ବ୍ୟବହାରକୁ ନେଇ ସଂଘର୍ଷ କରୁଥିବା ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡ଼ିଛି ।

ଭାରତରେ ସ୍ୱୀକୃତି ପ୍ରାପ୍ତ ୨୨ ଭାଷା ମଧ୍ୟରୁ କେବଳ ୫ ଟି ଭାଷାରେ ହିଁ କୃତ୍ରିମ ବୁଦ୍ଧିମତ୍ତା କଣ୍ଟେଣ୍ଟଗୁଡ଼ିକର ବିଶ୍ଲେଷଣ କରିବା ସୁବିଧା ଉପଲବ୍ଧ ରହିଛି । ତେବେ ସେଥିରେ ହିନ୍ଦୀ ଓ ବଙ୍ଗଳା ଭାଷାକୁ ଅଦ୍ୟାବଧି ସାମିଲ କରାଯାଇ ନାହିଁ । ଏଥି ଯୋଗୁଁ ଉଭୟ ଶାସକ ଓ ବିରୋଧୀ ନେତାମାନେ ସାଧାରଣ ନିର୍ବାଚନ ବେଳେ ଏହାର ଦୁରୁପଯୋଗ କରିବାରେ ସଫଳ ହୋଇଥିଲେ । ବିଶ୍ୱରେ ଫେସବୁକରେ ପ୍ରସାରିତ ଘୃଣା ମନ୍ତବ୍ୟକୁ ଚଳିତ ବର୍ଷ ୫୦% ପର୍ଯ୍ୟନ୍ତ ହ୍ରାସ କରିଯାଇଥିବା ଏହାର ମୁଖ୍ୟପାତ୍ର ଆଣ୍ଡି ଷ୍ଟୋନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *