ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ୧୮ରୁ ଅଧିକ ବୟସବର୍ଗଙ୍କର ମାଗଣାରେ ହେବ ଟିକା କରଣ । ଏନେଇ ସୋମବାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ବିପୁଳ ପରିମାଣରେ ଅର୍ଥ ବ୍ୟୟ ମଧ୍ୟ କରିବାକୁ ପଡ଼ିବ । ତେବେ ୟୁବିଏସ ସିକ୍ୟୁରିଟିଜ ଏନେଇ ଏକ ରିପୋର୍ଟ ତଲବ କରିଛି । ଏହି ରିପୋର୍ଟ ଅନୁସାରେ ମୋଟ ୪୦ରୁ ୪୫ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ମାଗଣା ଟିକାକରଣ ପାଇଁ ବ୍ୟୟ କରିବାକୁ ପଡ଼ିବ । ବଜେଟରେ ଟିକା ପାଇଁ ୩୫ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୧୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ସେହିପରି ଦୀପାବଳି ପର୍ଯ୍ୟନ୍ତ ଲୋକଙ୍କୁ ମାଗଣା ରାସନ ଯୋଗାଣ ମଧ୍ୟ କେନ୍ଦ୍ର ସରକାରଙ୍କ ବ୍ୟୟଭାର ବଢ଼ାଇବ । ୟୁବିଏସର ଅର୍ଥନୀତିଜ୍ଞ ତାନଭି ଗୁପ୍ତା କହିଛନ୍ତି ଯେ, ଯଦି ସରକାର ଟିକା ପିଛା ୧୫୦ ଟଙ୍କା ଓ ପରିବହନ ଓ ବିତରଣ ବାବଦରେ ଆଉ ୧୫୦ ଟଙ୍କା ବ୍ୟୟ କରନ୍ତି ତେବେ ସମଗ୍ର ଟିକାକରଣ ପାଇଁ ମୋଟ ୪୫ ହଜାର କୋଟି ଖର୍ଚ୍ଚ ହେବ । ବଜେଟରେ ଟିକାକରଣ ପାଇଁ ପୂର୍ବରୁ ୩୫ ହଜାର କୋଟିର ବ୍ୟୟବରାଦ କରାଯ଼ାଇଥିବାବେଳେ ସରକାରଙ୍କୁ ଆଉ ୧୦ ହଜାର କୋଟି ଯୋଗାଡ଼ କରିବାକୁ ପଡ଼ିବ ।