Before Header

ଖବର ସଂଗ୍ରହ କରିବାକୁ ଥାନାକୁ ଯାଇଥିଲେ ସାମ୍ବାଦିକ, ପୋଲିସ ଠୁଙ୍କିଦେଲା ମାମଲା

0 4,352

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତର କବୀର ଭୋଇ ଘଟଣା କଥା ଆପଣମାନଙ୍କର ମନେ ଥିବ ନିଶ୍ଚୟ। ତଥାପ ଆମେ ଟିକିଏ ମନେ ପକାଇ ଦେଉଛୁ। ଆମେ କହୁଛୁ ସେହି କବୀର ଭୋଇଙ୍କ କଥା ଯିଏକି ସରକାରୀ କଳର ଅପାରଗତା ଯୋଗୁ କିଛିଦିନ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ ପୁରୀରୁ କଟକ ଦୀର୍ଘ ୯୦ କିଲୋମିଟର ଟ୍ରଲିରେ ବୋହି ନେଲେ ଆଉ ତା’ ପରଦିନ କଟକ ବଡ଼ ମେଡିକାଲରେ କବୀରଙ୍କ ସ୍ତ୍ରୀ ଆଖି ବୁଜିଦେଲେ। କବୀରଙ୍କ ଜୀବିତ ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ମିଳି ନ ଥିଲା ସିନା କିନ୍ତୁ ତାଙ୍କ ମୃତଦେହକୁ ମିଳିଯାଇଥିଲା ମହାପ୍ରୟାଣ ଗାଡ଼ି। ବାସ୍, ମୃତଦେହକୁ ତାଙ୍କ ଘରେ ପହଞ୍ଚାଇ ଦେଇ ବାହାବା ନେଇଥିଲେ ସରକାର। ହେଲେ ଆମ ପ୍ରସଙ୍ଗ ଏଠି ନାହିଁ। ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ତା’ ପରବର୍ତ୍ତୀ ଘଟଣା ବିଷୟରେ। ଏ ବିଷୟରେ ମଧ୍ୟ ଆପଣ ଅଳ୍ପେବହୁତେ ଅବଗତ ଥିବେ। ରାଜ୍ୟ ବିଜେପି ଏହି ଘଟଣାକୁ ଇସ୍ୟୁ କଲା ଆଉ କବୀରଙ୍କୁ ସମବେଦନା ଜଣାଇବାକୁ ତାଙ୍କ ଘରେ ପହଞ୍ଚିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ବିଜେପି ନେତା ଓ ସମର୍ଥକ। ହେଲେ କାଳେ ବିଜେପି ଏହି ଇସ୍ୟୁରୁ ରାଜନୈତିକ ଫାଇଦା ନେଇଯିବ, ବୋଧହୁଏ ସେଥିପାଇଁ ଏହାକୁ ହଜମ କରିପାରିଲେନି ଉକ୍ତ ପଞ୍ଚାୟତରେ ରାଜନୀତି କରୁଥିବା କିଛି କୁଜିନେତା।

ସିଧା ଟାର୍ଗେଟ କଲେ ଉକ୍ତ ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ହରିହର ନନ୍ଦଙ୍କୁ। ଗତ ୧୫ ତାରିଖ ରାତି ପ୍ରାୟ ୮ଟା ବେଳେ ହରିହର ଗାଁ ଦୋକାନରେ ବସିଥିବାବେଳେ କେତେଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ଚୋଟ ପରେ ଚୋଟ ହାଣିଥିଲେ। ଗୁରୁତର ଆହତ ହରିହରଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତର କରିଦିଆଯାଇଥିଲା ଆଉ ଏବେ ସେ ଚିକିତ୍ସାଧୀନ ଅଛନ୍ତି, ଅବସ୍ଥା ସଙ୍କଟାପନ୍ନ ରହିଛି। ହରିହରଙ୍କ କହିବା ଅନୁଯାୟୀ ତାଙ୍କୁ ଭୀମପୁର ଗ୍ରାମର ରବୀନ୍ଦ୍ର ରଥ ଓ ତାଙ୍କର କେତେଜଣ ସହଯୋଗୀ ହାଣିଥିଲେ ଆଉ ସେମାନେ ହେଉଛନ୍ତି ଶାସକ ଦଳ ତଥା ସ୍ଥାନୀୟ ବିଧାୟକଙ୍କ ସମର୍ଥକ। ଏ ସମ୍ପର୍କରେ ହରିହରଙ୍କ ସ୍ତ୍ରୀ ସତ୍ୟବାଦୀ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ହରିହରଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି ନେତା ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ସମର୍ଥକ ଘଟଣାର ଠିକ୍ ପରଦିନ ଅର୍ଥାତ୍ ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ସତ୍ୟବାଦୀ ଥାନା ଘେରାଉ କରିଥିଲେ। ଉକ୍ତ ଦିନ ଅଭିଯୁକ୍ତ ରବୀନ୍ଦ୍ର ରଥଙ୍କୁ ପୋଲିସ ଗିରଫ କରିବା ପରେ ଧାରଣା ପ୍ରତ୍ୟାହୃତ ବି ହୋଇଥିଲା। ହେଲେ ଥାନା ଘେରାଉ କରିଥିବା ଲୋକମାନଙ୍କ ବିରୋଧରେ ଆରମ୍ଭ ହୋଇଯାଇଥିଲା ପୋଲିସର କାର୍ୟ୍ୟାନୁଷ୍ଠାନ ଆଉ ସେମାନଙ୍କ ବିରୋଧରେ ପୋଲିସ ଠୁଙ୍କିଦେଇଛି ଗୋଟିଏ ନୁହେଁ ଦୁଇ ଦୁଇଟି ମାମଲା ତାହା ପୁଣି ସଙ୍ଗିନ ଦଫାରେ।

ସତ୍ୟବାଦୀ ଥାନା ଏଏସଆଇ ସୁଦାମ ଚରଣ ନାୟକଙ୍କ ଅଭିଯୋଗ କ୍ରମେ ଆଇପିସି ଧାରା ୩୪୧, ୨୯୪, ୫୦୬ ଏବଂ ଅନୁସୂଚିତ ଜାତି/ଜନଜାତି କ୍ରୂରତା ନିରୋଧ ଆଇନର ବିଭିନ୍ନ ଧାରାରେ ୩୯ ଆନ୍ଦୋଳନକାରୀଙ୍କ ବିରୋଧରେ ଗୋଟିଏ ମାମଲା ରୁଜୁ ହୋଇଛି। ସେହିପରି ଥାନା ଏସଆଇ ଶୁଭଶ୍ରୀ ପ୍ରିୟଦର୍ଶିନୀ ନନ୍ଦଙ୍କ ଅଭିଯୋଗ କ୍ରମେ ଆଇପିସି ଧାରା ୧୪୭, ୩୪୧, ୨୯୪, ୫୦୬, ୩୫୩, ୩୫୪, ୩୫୪(କ), ୪୨୭, ୧୪୯, ସଂଶୋଧିତ ଅପରାଧିକ ଆଇନ ୧୯୩୨ ଧାରା ୭ ଏବଂ ସଂକ୍ରାମକ ରୋଗ ଆଇନ ୧୮୯୭ର ଧାରା ୩ ଅନୁଯାୟୀ ୪୦ ଆନ୍ଦୋଳନକାରୀଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି ପୋଲିସ। ଏହାର ଏଫଆଇଆର କପି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ମାମଲାରେ ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କ ନାଁ ଗୁନ୍ଥିଛି ପୋଲିସ। ଆମେ କହୁଛୁ, ରାଜ୍ୟର ଏକ ପ୍ରମୁଖ ୱେବ୍ ମିଡିଆରେ ସ୍ୱତନ୍ତ୍ର ପ୍ରତିନିଧି ଭାବେ କାମ କରୁଥିବା ରମାବଲ୍ଲଭ ବରାଳଙ୍କ କଥା। ରମାବଲ୍ଲଭ ଓଡ଼ିଶା ଏକ୍ସକ୍ଲୁସିଭ ଚ୍ୟାନେଲରେ କାମ କରନ୍ତି। ଘଟଣା ଦିନ ସେ ଖବର ସଂଗ୍ରହ କରିବାକୁ ଥାନାକୁ ଯାଇଥିଲେ। ଆନ୍ଦୋଳନରତ କେତେଜଣ ବିଜେପି ନେତା ଓ କର୍ମୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ପୋଲିସ ମାମଲାରେ ତାଙ୍କୁ ମଧ୍ୟ ଫସାଇଛି। ସବୁଠାରୁ ବଡ଼ କଥା ହେଉଛି ରମାବଲ୍ଲଭଙ୍କ ବଡ଼ଭାଇ ଜାନକୀ ବଲ୍ଲଭ ବରାଳ ଜଣେ ବିଜେପି ସମର୍ଥକ।

ଉକ୍ତଦିନ ଆନ୍ଦୋଳନରେ ସେ ମଧ୍ୟ ସାମିଲ ହୋଇଥିଲେ। ତାଙ୍କ ନାଁରେ ମଧ୍ୟ ପୋଲିସ ମାମଲା କରିଛି। ରମାବଲ୍ଲଭଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଭାଇ ବିଜେପି ସମର୍ଥକ ହୋଇଥିବାରୁ ପୋଲିସ ଆକ୍ରୋସମୂଳକ ଭାବେ ତାଙ୍କ ନାଁରେ ମାମଲା ଠୁଙ୍କିଛି। ଏ ସମ୍ପର୍କରେ ବିଜେପି ନେତା ଓମପ୍ରକାଶ ମିଶ୍ର କହିଛନ୍ତି, ସତ୍ୟବାଦୀ ପୋଲିସ ଶାସକ ଦଳର ହାତବାରିସି ସାଜିଛି। ବିଧାୟକଙ୍କ ଇସାରାରେ ଲୋକଙ୍କୁ ମିଛ ମାମଲାରେ ଫସାଇ ଦମନଲୀଳା ଚଳାଇଛି। ଗଣତନ୍ତ୍ରରେ ଏହା ଆଦୌ ଶୋଭନୀୟ ନୁହେଁ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କଲେ ଏଠି କେସ୍ ଖାଇବାକୁ ପଡ଼ୁଛି। ସ୍ଥାନୀୟ ବିଧାୟକଙ୍କ ଇସାରାରେ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସମ୍ପର୍କରେ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ନ କରି ନ୍ୟାୟ ପାଇଁ ଗଣତାନ୍ତ୍ରିକ ଉପାୟରେ ଧାରଣାରେ ବସିଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବା ଦୁର୍ଭାଗ୍ୟଜନକ ବୋଲି ମିଶ୍ର କହିଛନ୍ତି।

ବରିଷ୍ଠ ଆଇନଜୀବୀ ଅମର ନନ୍ଦ କହିଛନ୍ତି, ପୋଲିସ ହେଉ କି ଶାସକ ଦଳ, ଏପରି ଦମନଲୀଳା ଚଳାଇ ଲୋକଙ୍କ ସ୍ୱରକୁ ଚପାଇ ଦେଇପାରିବ ନାହିଁ। ପ୍ରତିବାଦ କରିବା ପ୍ରତ୍ୟେକ ବ୍ୟକ୍ତିର ଅଧିକାର। ଆନ୍ଦୋଳନରତ ଲୋକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିପାରିବ। ଏଭଳି ଘଟଣାରେ ସାଧାରଣ ଦଫାରେ ମାମଲା ରୁଜୁ କରି ଥାନାରୁ ହିଁ ଛାଡ଼ି ଦିଆଯାଏ। ସଙ୍ଗିନ ଦଫା ଲଗାଇବା ଘଟଣାକୁ ସେ ତୀବ୍ର ନିନ୍ଦା କରିଥିଲେ। ଖବର ସଂଗ୍ରହ ପାଇଁ ଥାନାକୁ ଯିବା ଜଣେ ସାମ୍ବାଦିକର କର୍ତ୍ତବ୍ୟ। ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନନ୍ଦ କହିଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ମତାମତ ପାଇଁ ତାଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ଥାନା ଆଇଆଇସି ଦେବୀପ୍ରସାଦ ପାତ୍ର କହିଲେ, ସେ ଛୁଟିରେ ଥିଲେ, କାର୍ୟ୍ୟରତ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ ସମ୍ପର୍କରେ ସେ ଅବଗତ ନ ଥିବା କହିଛନ୍ତି। ଏହି ଘଟଣା ପରେ ବିଶେଷକରି କାର୍ୟ୍ୟରତ ସାମ୍ବାଦିକଙ୍କ ବିରୋଧରେ ପୋଲିସ ମାମଲା କରିବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ସାମ୍ବାଦିକ ବରାଳ।

Leave A Reply

Your email address will not be published.