କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ପୁଣି ବଢ଼ିଛି ବୈତରଣୀ ନଦୀର ବନ୍ୟାଜଳ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବା ପରେ ଧାମନଗର ଓ ଭଣ୍ଡାରିପୋଖରୀ ଅଞ୍ଚଳର ତଳିଆ ଗାଁ ଗୁଡ଼ିକରେ ପୁଣି ବନ୍ୟାଜଳ ପଶିଛି । ଚଳିତ ବର୍ଷ ପଞ୍ଚମ ଥର ପାଇଁ ବୈତରଣୀରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାରୁ ଲୋକଙ୍କ ମଧ୍ୟରେ ପୁଣି ଚିନ୍ତା ବଢ଼ିଛି ।
ଗତ ଦୁଇଦିନ ଧରି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ହେବା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ିଛି । ଆଖୁଆପଦା ଆନିକଟ ନିକଟରେ ବୈତରଣୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ଆଜି ସକାଳ ୭ଟା ସୁଦ୍ଧା ନଦୀଜଳ ୧୯.୩୦ ମିଟର ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି । ବନ୍ୟାଜଳ ବଢ଼ିବା ପରେ କଣ୍ଟି ଘାଇ ଉପରେ ପ୍ରାୟ ୫ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ।
ଏହାର ପ୍ରଭାବରେ ଷୋଳମପୁର, ମାଳଦା, କୁରିଗାଁ, ରହଣିଆ ଓ ନପଙ୍ଗ ପଞ୍ଚାୟତର ବିଭିନ୍ନ ଗାଁରେ ବନ୍ୟାଜଳ ପଶିଛି । ଅନେକ ଅଞ୍ଚଳରେ ଘରଦ୍ୱାର ଓ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି । ସେହିପରି ଭଣ୍ଡାରିପୋଖରୀ-ପାଳଦାପପ, ମାଳଦା ଓ ମଣିନାଥପୁର ରାସ୍ତା ମଧ୍ୟ ବନ୍ୟାଜଳରେ ବୁଡ଼ିଯାଇଛି । ଫଳରେ ଭଦ୍ରକ-ଯାଜପୁର ମଧ୍ୟରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯାତାୟାତ ବନ୍ଦ ହେବାରୁ ସାଧାରଣ ଲୋକେ ବେଶ୍ ହଇରାଣ ହେଉଛନ୍ତି ।
କିଛି ଦିନ ଧରି ବନ୍ୟା ପରିସ୍ଥିତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିଲେ । ପରେ ଜଳସ୍ତର କମିବାରୁ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବା ସହ ଲୋକେ ନିଜ ନିଜର ସାଧାରଣ ଜୀବନକୁ ଫେରୁଥିଲେ । ହେଲେ ପୁଣିଥରେ ବୈତରଣୀର ଜଳସ୍ତର ବଢ଼ିବାରୁ ତଳିଆ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ବନ୍ୟାଜଳ ଆହୁରି ବଢ଼ିବା ଆଶଙ୍କା ଥିବାରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ବନ୍ୟା ଯୋଗୁଁ ଅନେକ ସ୍ଥାନରେ ଯାତାୟାତ ସହ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଛି ।
