Masthead

ଗୋଦାମଗୃହରେ ପରିଣତ ହୋଇଛି ଗୋପୀନାଥଙ୍କ ସାଧନାପୀଠ

କୋରାପୁଟ (ବଡ଼ ଖବର ବ୍ୟୁରୋ): ଗୋପୀନାଥଙ୍କ ସାଧନାପୀଠ ଏବେ ଗୋଦାମ ଘର । ନିଜର ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ପ୍ରଖ୍ୟାତ ‌ଲେଖକ ଗୋପୀନାଥ ମହାନ୍ତି ଯେଉଁ ଘରେ ରହି ସାଧନା କରୁଥିଲେ, ସେହି ଘର ଏବେ ଗୋଦାମଗୃହରେ ରୂପାନ୍ତରିତ ହୋଇଛି। ଏହି ବରପୁତ୍ରଙ୍କ ପ୍ରତି ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କ ଏହିଭଳି ମନୋଭାବ ସମସ୍ତଙ୍କୁ ଚକିତ କରିଛି । ଏଥିସହିତ, ରାଜ୍ୟ ସରକାରଙ୍କ ଉଦାସୀନତା ବି ବ୍ୟଥିତ କରିଛି। ତିନି ବର୍ଷ ତଳେ ତାଙ୍କ ବାସଭବନକୁ ସଂଗ୍ରହାଳୟ କରିବାପାଇଁ ସରକାରଙ୍କ ଯୋଜନା କରିଥିବାବେଳେ କାହିଁକି ଏହା ନାଲିଫିତା ତଳେ ରହିଗଲା, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ‘ଅମୃତର ସନ୍ତାନ’ ଓ ‘ପରଜା’ ଭଳି କାଳଜୟୀ ଉପନ୍ୟାସର ସ୍ରଷ୍ଟା ଗୋପୀନାଥ ଓଡ଼ିଶା ଭାଷା ସାହିତ୍ୟର ଜଣେ କିମ୍ବଦନ୍ତୀ ଲେଖକ ଏବଂ ରାଜ୍ୟର ପ୍ରଥମ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଲେଖକ।

କୋରାପୁଟର ଏହି ସରକାରୀ ବାସଭବନରେ ରହି ‌‌ସେ ‘ପରଜା’ ଓ ‘ ଅମୃତ ସନ୍ତାନ’ ଭଳି କାଳଜୟୀ ପୁସ୍ତକ ରଚନା କରିଥିଲେ। ୨୯ ବର୍ଷ ବୟସରେ ସେ ‘ପରଜା’ ଓ ଏହାର ଠିକ୍ ୪ ବର୍ଷ ପରେ ସେ ‘ ଅମୃତ ସନ୍ତାନ’ ରଚନା କରିଥିଲେ। ଯେଉଁ ଘରେ ରହି ସେ ଏହିଭଳି କାଳଜୟୀ ପୁସ୍ତକ ରଚନା କରିଥିଲେ ତାହା ଏବେ ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ ଗୋଦାମ ଗୃହରେ ପରିଣତ ହୋଇଛି। ଏହିଠାରୁ କୋରାପୁଟ ସହ ନବରଙ୍ଗପୁର, ରାୟଗଡ଼ା , ମାଲକାନଗିରିକୁ ଟେଲିକମ୍ ଜିନିଷପତ୍ର ପଠାଯାଉଛି। ଜଣେ ପ୍ରଖ୍ୟାତ ଲେଖକଙ୍କ ପ୍ରତି ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବକୁ ନେଇ ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି। କେବଳ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷ କାହିଁକି, ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ବି ସାଧାରଣରେ ପ୍ରଶ୍ନ ଉଠିଛି। ବ‌ର୍ଷେ କି ଦି’ବର୍ଷ ନୁହେଁ, ପ୍ରାୟ ୨୫ ବର୍ଷ ତଳେ ରାଜ୍ୟସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ଏହି ବାସଭବନକୁ ଟେଲିକମ୍‌କୁ ହସ୍ତାନ୍ତର କରାଯାଇଛି। ଏହାପରେ ବି ସଂସ୍କୃତି ବିଭାଗ ଏହି ସରକାରୀ ବାସଭବନକୁ ସଂଗ୍ରହାଳୟ କରିବାକୁ ଯୋଜନା କରିଥିଲା ।

କିନ୍ତୁ, ବିଭାଗର ଏହି ଯୋଜନା ନାଲିଫିତା ତଳେ ରହିଯାଇଛି। ଏନେଇ ବିଭିନ୍ନ ମହଲରେ ସ୍ବର ଉଠିବା ପରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କିଛିଦିନ ତଳେ ଏହାକୁ ଖାଲି କରିବାକୁ ବିଏସ୍‌ଏନ୍‌ଏଲ୍‌କୁ କୁହାଯାଇଛି। ଖାଲି ହେବାପରେ ଏହି ଘରର ପୁନରୁଦ୍ଧାର କରାଯିବା ସହ ତାଙ୍କର ପୁସ୍ତକ ସହ ଏହିଠାଏରେ ଏକ ସଂଗ୍ରହାଳୟ କରାଯିବ ବୋଲି ସେ କହିଛନ୍ତି। ଜିଲ୍ଲାପାଳଙ୍କ ଏହି ମନ୍ତବ୍ୟ ସାଧାରଣରେ ଅବଶ୍ୟ ଆଶ୍ବାସନା ଭରିଦେଇଛି। ତେବେ, ଏହା କେବେ ସଂଗ୍ରହାଳୟର ବାସ୍ତବ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା।

ଅନ୍ୟପକ୍ଷରେ, ବିଏସ୍‌ଏନ୍‌ଏଲ୍‌ର କୋରାପୁଟ ଏସଡିଓ ବସନ୍ତ କୁମାର ତରାଇ କହିଛନ୍ତି ଯେ ଘଟଣା ସମ୍ପର୍କରେ ଆମେ ଗଣମାଧ୍ୟମରୁ ଜାଣିଲୁ। ଖାଲି କରିବା ନେଇ ଆମକୁ କୌଣସି ନୋଟିସ ଆସିନାହିଁ। ଯଦି ସାଧାରଣ ପରିଚାଳକଙ୍କୁ ଏନେଇ ତଥ୍ୟ ଆସିଥିବ, ସେ ସମ୍ପର୍କରେ ଆମେ ଅବଗତ ନାହୁଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୧୪ ମସିହା ଏପ୍ରିଲ ୨୦ ତାରିଖରେ କଟକ ଜିଲ୍ଲା ନାଗାବଳୀରେ ଜନ୍ମଗ୍ରହଣ କରିଥିଲେ। ଇଂରାଜୀରେ ଏମ୍‌ଏ କରିବା ପରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ