Before Header

ଅଭୁଲା ଅତୀତକୁ ମନେ ନପକାଇ ପରିବାର ସହ ଜିଉଁଛନ୍ତି ମଞ୍ଜୁଲତା

0 67

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଦୋଷ ନକରି ଦୋଷୀ । ୧୫ ବର୍ଷ ସଜ୍ଜା କାଟିବା ପରେ ନିର୍ଦ୍ଦୋଷରେ ଖଲାସ । ଦୋଷ ନ କରି ଜେଲର କଳା କୋଠରୀର ଚାରିକାନ୍ଥ ଭିତରେ କାଟିଲେ ୧୫ ବର୍ଷ। ଯେଉଁ ବୟସରେ ପରିବାର, ସାଙ୍ଗସାଥୀ ଓ ସହପାଠୀମାନଙ୍କ ସହିତ ସମୟ ବିତେଇବାର ଥିଲା, ତାହା ବିତିଲା କଏଦୀମାନଙ୍କ ଗହଣରେ। ତାହା ପୁଣି ଗୋଟିଏ ଜେଲରେ ନୁହେଁ ତିନି ତିନୋଟି ଜେଲରେ। ଦୀର୍ଘ ପନ୍ଦର ବର୍ଷ ପରେ ନିର୍ଦୋଷରେ ଖଲାସ ହେବା ପରେ ଅତୀତର ଅସାସୋରା କାହାଣୀକୁ ଆଉ ବଖାଣି ପାରୁନାହାନ୍ତି ସେ । ଧର୍ଯ୍ୟହରା ହୋଇ ପଡୁଛନ୍ତି। ଭଞ୍ଜନଗର ପୋଲିସ ଦ୍ଵାରା ଗିରଫ ହୋଇ ତିନୋଟି ଜେଲର ଅନ୍ଧାରିଆ କୋଠରୀର ଚାରିକାନ୍ଥ ମଧ୍ୟରେ ଦୀର୍ଘ ୧୫ ବର୍ଷ ସଜ୍ଜା କାଟିବା ପରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ମଞ୍ଜୁଲତା ମୁଦୁଲି।

ମଞ୍ଜୁଲତା ହେଉଛନ୍ତି ଦଳିତ ଗରିବ ଅଭାବୀ ପରିବାରର ଝିଅ। ମଞ୍ଜୁଲତାଙ୍କ ପରିବାର କହିଲେ ବାପା ଶ୍ରୀଧର, ମାଆ ଗୀତାଞ୍ଜଳି ଓ ସାନଭାଇ। ବାପା ମା’ ଉଭୟ ଥିଲେ ଯାତ୍ରା କଳାକାର। ସୁଖଶାନ୍ତିରେ ଚାଲୁଥିଲା ଚାରିପ୍ରାଣୀକୁ ନେଇ ତାଙ୍କ ପରିବାର। ମଞ୍ଜୁଲତା ପ୍ରଥମ ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ସେଠାରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ପଢିବା ପରେ ଗାଁ ପାଖ ହାଇସ୍କୁଲରେ ଷଷ୍ଠ ଠାରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ପଢିବା ପରେ ସୁନ୍ଦରଗଡ଼ରେ ରହୁଥିବା ମାମୁଅଜାଙ୍କ ଘରକୁ ଚାଲିଗଲେ । ସେଠାରେ ବଡ଼ ଗାଁ ସ୍କୁଲରେ ଅଷ୍ଟମ ଠାରୁ ଦଶମ ପର୍ୟ୍ୟନ୍ତ ପଢି ପରୀକ୍ଷା ଦେଇ ଗାଁକୁ ଆସିଲେ। ମଞ୍ଜୁଲତା ଛୋଟବେଳୁ ଥିଲେ ପରୋପକାରୀ । ଲୋକମାନଙ୍କ ସୁଖ ଦୁଃଖରେ ପହଞ୍ଚିବା ତାଙ୍କର ବେଶ୍ ରୁଚି ରହୁଥିଲା। ଘରକୁ ଆସିଥିବା ସମୟରେ ତାଙ୍କର ବିବାହ ପାଇଁ ପରିବାର ତରଫରୁ ପ୍ରସ୍ତାବ ଠିକ୍ କରାଗଲା ।

ଯେତେବେଳେ ମଞ୍ଜୁଲତାଙ୍କର ବିବାହ ପାଇଁ ଉଚିତ ବୟଷ ହୋଇ ନଥିଲା । ତା’ ସହିତ ମଞ୍ଜୁଲତା ଆହୁରି ପଢିବା ପାଇଁ ଇଛୁକ ଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ବାଧ୍ୟ କରାଗଲା, ସେତେବେଳେ ମଞ୍ଜୁଲତା ବାଲ୍ୟ ବିବାହକୁ ବିରୋଧ କରି ୨୦୦୬ରେ ଘର ଛାଡି ସମ୍ପକୀୟଙ୍କ ଘରକୁ ଚାଲିଗଲେ। ତା’ ସହିତ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିବା ସହିତ ସମାଜର ମଙ୍ଗଳ ପାଇଁ ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ। ଅଚାନକ ୨୦୦୮ରେ ମଞ୍ଜୁଲତାଙ୍କୁ ଗିରଫ କରିଥିଲା ପୋଲିସ । ଯାହା ବିଷୟରେ ସେ କିଛି ଜାଣି ନଥିଲେ। ଏପରି ପରିସ୍ଥିତି ହୋଇଥିଲା କି ତାଙ୍କୁ ଲୁହା କଡ଼ିରେ ବାନ୍ଧି ହାଜତରେ ରଖାଯାଇଥିଲା । ତାଙ୍କ ସହିତ ଆଉ ୪ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଥିଲା । ମଞ୍ଜୁଲତା ପରେ ଜାଣିଲେ ତାଙ୍କ ବିରୋଧରେ ମାଓବାଦୀ ମାମଲା ରୁଜୁ ହୋଇଛି । ୪ ଦିନ ପୁଲିସ ହାଜତରେ ରହିବା ପରେ ତାଙ୍କୁ ଅଦାଲତରେ ହାଜର କରାଯ୍ଧବଥିଲା । ଭଞ୍ଜନଗର ଜେଲ୍କୁ ପଠାଇ ଦିଆଯାଇଥିଲା। ମଞ୍ଜୁଲତା ୮ ମାସ ଭଞ୍ଜନଗର ଜେଲ୍ରେ ରହିବା ପରେ ତାଙ୍କୁ ସେଠାରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ସେଠାରେ ତାଙ୍କର ମାଆ, ବାପା ଓ ଭାଇ ତାଙ୍କୁ ଦେଖା କରିଥିଲେ। ବ୍ରହ୍ମପୁର ଜେଲ୍ରେ ଥିବାବେଳେ ମାଓବାଦୀ- ପୁଲିସ ଗୁଳି ବିନିମୟ ଓ ଫାଣ୍ଡି ଭଙ୍ଗାରୁଜା ମାମଲରେ ଭଞ୍ଜନଗର ଏଡିଜେଏମ୍ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଆଶା ଥିଲା କି ସେ ଜେଲ୍ ଜୀବନରୁ ମୁକ୍ତି ପାଇଗଲେ । କିନ୍ତୁ ତାଙ୍କର ଦୁଃଖଦିନର କାହାଣୀ ସରି ନଥିଲା । ଠିକ୍ ସେତିକିବେଳେ ନୟାଗଡ଼ ଅସ୍ତ୍ରାଗାର ଲୁଟ ମାମଲାରେ ତାଙ୍କୁ ବ୍ରହ୍ମପୁର ଜେଲରୁ ନୟାଗଡ଼ ଜେଲକୁ ପଠାଇ ଦିଆଗଲା। ନୟାଗଡ଼ ଜେଲରେ ମଞ୍ଜୁଲତାଙ୍କ ଉପରେ କଡ଼ା ନଜର ରଖିବା ସହିତ ବିଭିନ୍ନ କଟକଣା ମଧ୍ୟ । ରହିଥିଲା। ଏହି ଜେଲରେ ଅନ୍ୟ ଅନ୍ତଃବାସୀ କଥା ହେଇ ନଥିଲେ କି ତାଙ୍କ ପାଖ ମଧ୍ୟ ମାଡୁ ନଥିଲେ। ଶେଷରେ ତାଙ୍କ ମାମଲାର ନୟାଗଡ଼ ଏଡିଜେଏମ୍ ଶୁଣାଣି କରି ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

ମଞ୍ଜୁଲତା ଜେଲରୁ ମୁକୁଳିବା ପରେ ତାଙ୍କୁ ଭେଟିବା ପାଇଁ ବଡ଼ ଖବର ଅଫିସ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦିଗମ୍ବର ମହାରଣା ଓ ଜଗତସିଂହପୁର ପ୍ରତିନିଧି ଦେବଜ୍ୟୋତି ମହାନ୍ତି ବହୁ ପ୍ରଚେଷ୍ଟା କରିଥିଲେ । ଦୀର୍ଘଦିନ ପରେ ମଞ୍ଜୁଲତାଙ୍କୁ ଭେଟିଥିଲେ । କିନ୍ତୁ ମଞ୍ଜୁଲତା ଦୀର୍ଘ ୧୫ ବର୍ଷ ପରେ ଜେଲରୁ ମୁକୁଳି ଥିବା ବେଳେ ଅତୀତର ସେହି ଅଭୁଲା ସ୍ମୃତି ବିଷୟରେ କ୍ୟାମେରା ସମ୍ମୁଖରେ କିଛି ଆଲୋଚନା କରିବାକୁ ମନା କରିଦେଇଥିଲେ । ଏବେ ସେ ନିଜ ପରିବାରକୁ ପାଇଛନ୍ତି । ହେଲେ ଟିକିଏ ଦୁଃଖ ତାଙ୍କ ବାପା ଆଉ ନାହାନ୍ତି । ଦୀର୍ଘ ତିନିବର୍ଷ ହେଲାଣି ଝିଅ ମଞ୍ଜୁଲ ତାଙ୍କ ବିଷୟରେ ଭାବି ଭାବି କର୍କଟ ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଗଲେଣି। ଏବେ ମା’ଓ ଭାଇ ସମସ୍ତଙ୍କୁ ପାଇ ସେ ଖୁସିରେ ଅଛନ୍ତି ଆଉ ପଛ ସମୟକୁ ମନେ ପକାଇବା ପାଇଁ ଚାହୁଁ ନଥିବା କହିଛନ୍ତି ମଞ୍ଜୁଲତା । ଝିଅ ଜେଲରେ ଥିବା ବେଳେ ତାକୁ ଦେଖା କରିବା ପାଇଁ ମା’ ଗୀତାଞ୍ଜଳି ବାପା ଶ୍ରୀଧର ବ୍ରହ୍ମପୁର ଓ ନୟାଗଡ ଜେଲକୁ ଯାଇଛନ୍ତି ।

ଝିଅକୁ ଆଶ୍ୱାସନା ଦେବା ସହ ସତ୍ୟର ସବୁବେଳେ ଜୟ ବୋଲି କହନ୍ତି ମା’। ଝିଅକୁ ଝୁରି ଝୁରି ବାପା ରୋଗଗ୍ରସ୍ତ ହୋଇ ତିନି ବର୍ଷ ହେଲାଣି ଆରପାରିକୁ ଚାଲିଗଲେଣି। ପରିବାରର ବୋଝ ସାନଭାଇ ମୁଣ୍ଡରେ । ଏହି କାରଣରୁ ସାନଭାଇ ବାହାରକୁ କେଉଁ ଆଡ଼େ ଯାଇପାରୁନାହିଁ। ଗାଁରେ ମୂଲଲାଗି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛି। ନିର୍ଦ୍ଦୋଷରେ ଖଲାସ ହୋଇଛି । ଧର୍ମର ଜୟ ହେବା ସହ ଝିଅକୁ ପାଖରେ ପାଇ ବହୁତ ଖୁସି ବୋଲି କହିଛନ୍ତି ମା’ ଗୀତାଞ୍ଜଳି ।ଜେଲରୁ ମୁକୁଳିବା ପରେ ଭାଙ୍ଗିପଡ଼ି ଥିଲେ ମଞ୍ଜୁଲତା।

ପରିବାର ଲୋକଙ୍କୁ ପାଇ ଖୁସି ଅନୁଭବ କରୁଥିଲେ ମଧ୍ୟ ସେ ନିଜ ଗାଁରେ, ସାହିର. ବନ୍ଧୁ ବାନ୍ଧବରେ ସେ କାହାରିକୁ ଚିହ୍ନି ପାରୁ ନାହାନ୍ତି କି ତାଙ୍କୁ କିଏ ଚିହ୍ନି ପାରୁ ନାହାନ୍ତି । ସେ ଘରେ ବସି ରହିବା ସହିତ ବହୁତ ଦୁଃଖ ଅନୁଭବ କରୁଛନ୍ତି। ଜେଲ୍ର ସେହି ଅନ୍ଧକାର କୋଠାରୀର ଚାରିକାନ୍ଥ ଭିତରେ କଟିଥିବା ୧୫ ବର୍ଷର କାହାଣୀକୁ ଭୁଲିବା ପାଇଁ ଚେଷ୍ଟା କରିବା ସହିତ ବାକି ଜୀବନ ପରିବାର ସହିତ ସୁଖଶାନ୍ତିରେ କାଟିବା ପାଇଁ ପ୍ରୟାସ କରୁଛନ୍ତି ମଞ୍ଜୁଲତା ।

Leave A Reply

Your email address will not be published.