Before Header

ଜଙ୍ଗଲି ବାରହା ଉଦ୍ଧାର

0 182

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ଜୀବଜନ୍ତୁ। ଜଙ୍ଗଲ ନଷ୍ଟ ଏବଂ ଅବାଧ ଶିକାର ବୃଦ୍ଧି ପାଉଥିବାରୁ ବନ୍ୟଜନ୍ତୁଙ୍କ ଆବାସସ୍ଥଳ ନଷ୍ଟ ହେବାରେ ଲାଗିଛି। ଖାଦ୍ୟାଭାଵ ଯୋଗୁ ଏବେ ଗାଁ ମୁହାଁ ହେଉଛନ୍ତି ବନ୍ୟପ୍ରାଣୀ। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ବିଭିନ୍ନ ସମୟରେ ହାତୀ, ବାରହା, ହରିଣ, ଅଜଗର, ଭାଲୁ, କଲରାପତରିଆ ବାଘ ଆଦି ଜୀବଜନ୍ତୁ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ୩୦ କେଜି ଓଜନର ଏକ ବାରହା ବାରଙ୍ଗ ଥାନା ନିକଟ ସୀତାରାମ ବଜାର କଲୋନୀ ଅଞ୍ଚଳକୁ ଚାଲିଆସିଥିଲା। ସମ୍ପୃକ୍ତ କଲୋନୀରେ ଥିବା ଏକ ପରିତ୍ୟକ୍ତ କୂଅରେ ବାରହାଟି ପଡ଼ିଯାଇଥିଲା। ସକାଳେ ଲୋକେ କିଛି ଶବ୍ଦ ଶୁଣି କୂଅ ନିକଟକୁ ଯିବାବେଳେ ବାରହାଟି କୂଅ ଭିତରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ଚନ୍ଦକା ଏବଂ ନନ୍ଦନକାନନ ବନବିଭାଗ ସମେତ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି କୂଅରୁ ବାରହାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ତାକୁ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଉଦ୍ଧାର ବାରହାର ବୟସ ଏକବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବାରମ୍ବାର ଏଭଳି ବନ୍ୟଜନ୍ତୁ ଜନବସତି ଅଞ୍ଚଳକୁ ଚାଲିଆସୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନବିଭାଗ ଉଚିତ ପଦକ୍ଷେପ ନେଉ ନ ଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

 

Leave A Reply

Your email address will not be published.