ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ସାମ୍ନାକୁ ଆସିଲା ପାଠ୍ୟପୁସ୍ତକରେ ତ୍ରୁଟି । ପ୍ରଥମ ଶ୍ରେଣୀ ବହିରେ ରହିଛି ମାଳମାଳ ଭୁଲ! ‘ଝୁଲଣା–୧’ରେ ବର୍ଣ୍ଣମାଳାର ଆରମ୍ଭ ‘ଅ’ ପରିବର୍ତ୍ତେ ‘ଚ’ରୁ ହୋଇଛି ଆରମ୍ଭ । ଏହାପରକୁ ପର ରହିଛି ‘ଟ’, ‘ମ’, ‘ଗ’ ଓ ‘ର’ । ଆଉ ଏସବୁ ପରେ ସ୍ଥାନ ପାଇଛି ‘ଅ’ ଓ ‘ଆ’ । ସେହିପରି ‘ଝ’ ଓ ‘କ’ ଅକ୍ଷରର ସ୍ଥାନରେ ମଧ୍ୟ ଅସଙ୍ଗତି ଦେଖାଯାଇଛି। କେବଳ ବର୍ଣ୍ଣମାଳା ନୁହେଁ, ଦେଶାତ୍ମକ ବୋଧ ସଙ୍ଗୀତରେ ମଧ୍ୟ ରହିଛି ତ୍ରୁଟି । ବହିର ଆରମ୍ଭରେ ସ୍ଥାନ ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ ‘ଘନ ଘନ ବନଭୂମି’ ପରିବର୍ତ୍ତେ ‘ଘନ ବନଭୂମି’ ରହିଛି । ଏଥିସହ ‘ଆମ ଜାତୀୟ ସଙ୍ଗୀତ’ରେ ମଧ୍ୟ ବନାନଗତ ତ୍ରୁଟି ରହିଛି । ଉତ୍କଳ ବର୍ଣ୍ଣାନରେ ରହିଛି ଉଳଳ ।
ପାଠ୍ୟପୁସ୍ତକରେ ଏଭଳି ଭୁଲକୁ ନେଇ ଅଭିଭାବକ ଓ ଶିକ୍ଷାବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୀତି ତେଜିବା ଆରମ୍ଭ ହୋଇଛି । ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ପାଠ୍ୟପୁସ୍ତକରେ ବାରମ୍ବାର ଏଭଳି ତ୍ରୁଟି ଦେଖାଦେବା ଶିକ୍ଷା ବ୍ୟବସ୍ଥା ପ୍ରତି ସରକାରଙ୍କ ଅବହେଳାକୁ ସୂଚାଉଛି। ଏଭଳି ଭୁଲ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।
ଯାହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ସନ୍ତୋଷ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ତ୍ରୁଟି ଥିବା କଥା ସରକାର ସ୍ୱୀକାର କରିଛନ୍ତି ଏବଂ ଏହାର ସଂଶୋଧନ ପାଇଁ ପଦକ୍ଷେପ ମଧ୍ୟ ନିଆଯାଉଛି। ତାଙ୍କ ମତରେ, ନୂଆ ସଂସ୍କାର ଓ ପରିବର୍ତ୍ତନ ଆଣିବା ବେଳେ କିଛି ତ୍ରୁଟି ସାମ୍ନାକୁ ଆସିପାରେ, ଯାହାକୁ ପରବର୍ତ୍ତୀ ସମୟରେ ସୁଧାରାଯିବ। ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସଂସ୍କାର ଆଣିବାକୁ ସେତେବେଳେ ଗୁରୁତ୍ୱ ଦିଆଯାଇନଥିଲା।
